ମାଲକାନଗିରି : ରାଜ୍ୟ ସରକାରଙ୍କ ଫୋକସରେ ବଣ୍ଡା ଘାଟି । କୌଣସି ବଣ୍ଡା ମହିଳା ସୁଭଦ୍ରା ଯୋଜନାରୁ ବଞ୍ଚିତ ହେବେନି। ସେମାନେ ଖୁବଶୀଘ୍ର ସୁଭଦ୍ରା ଟଙ୍କା ପାଇବେ । ଆଜି ମାଲକାନଗିରି ଜିଲ୍ଲା ବଣ୍ଡା ଘାଟି ଗସ୍ତ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବଣ୍ଡା ଲୋକଙ୍କ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ। ଘାଟିରେ ପାନୀୟ ଜଳ, ମୋବାଇଲ ଟାୱାର ଏବଂ ଯୋଗାଯୋଗ ପାଇଁ ବସ ଆବଶ୍ୟକ ବୋଲି ଅଭିଯୋଗ କରିଥିଲେ ବଣ୍ଡା ଜନଜାତି । ଏହି ସବୁ ଅଭିଯୋଗର ତୁରନ୍ତ ସମାଧାନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।
ଏହା ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟ ସୁଦ୍ଧା ବଣ୍ଡା ଘାଟିରେ ସମସ୍ତ ବଣ୍ଡା ମହିଳା ଏଥିରେ ସାମିଲ ହେବେ । ଜିଲ୍ଲାରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ସ୍ୱତନ୍ତ୍ର ଅନୁଦାନ ଦେବା ସହ ମିଶନସକ୍ତି ଯୋଜନା ମାଧ୍ୟମରେ ବଣ୍ଡା ମହିଳା କିଭଳି ରୋଜଗାର କ୍ଷମ ହେବେ ସେଥିପାଇଁ ଗୁରୁତ୍ୱ ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ । ଏହା ବଣ୍ଡା ଘାଟିର ପର୍ଯ୍ୟଟନ ସ୍ଥଳୀ ପୌରାଣିକ କିମ୍ବଦନ୍ତୀ ସୀତାକୁଣ୍ଡକୁ ବୁଲି ଦେଖିଲେ ପ୍ରଭାତୀ ପରିଡ଼ା । ଅପରାହ୍ନରେ ମାଲକାନଗିରି ଫେରି ଏହି ସମସ୍ତ ଯୋଜନା ନେଇ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରି ସର୍କିଟ ହାଉସରେ ରାତ୍ରି ଯାପନ କରିବାର କାର୍ଯ୍ୟକ୍ରମ ରହିଛି।