Couple

ସ୍ତ୍ରୀର ସବୁ ସମ୍ପତ୍ତି ନେଇ ସ୍ୱାମୀ ଫେରାର, ପିଲାକୁ ଧରି ଥାନା ଦୁଆରେ ମହିଳା

State

ଭଦ୍ରକ : ଅନେକ ସୁନେଲି ସ୍ଵପ୍ନ ଦେଖାଇଥିଲେ । ଅନେକ ଆଶା ଦେଖାଇ ପ୍ରେମିକାରୁ ସ୍ତ୍ରୀ କରିଥିଲେ । ଘର ସଂସାର କରି ସାରା ଜୀବନ ସ୍ତ୍ରୀ ସହିତ ଖୁସିରେ ବିତାଇବେ ବୋଲି ପ୍ରତିଶୃତି ଦେଇଥିଲେ । ହେଲେ ସ୍ଵପ୍ନ ଅଧାରୁ ଅଟକିଗଲା । ସ୍ତ୍ରୀକୁ ଅଧାବାଟରେ ଧୋକା ଦେଇଛି ସ୍ଵାମୀ ।

କଥାରେ ଅଛି, ପ୍ରେମ ମାନେନା ବନ୍ଧବାଡ଼ । ପ୍ରେମରେ ଲୋକେ ସବୁ ସୀମା ପାର୍‌ କରି ଦିଅନ୍ତି । କିନ୍ତୁ ଏମିତି ଏକ କାହାଣୀ ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣଙ୍କର ପ୍ରେମ ଉପରେ ଘୃଣା ଆସିଯିବ । ତେବେ ପ୍ରେମ, ପ୍ରେମିକା, ପ୍ରେମିକ ଏହାକୁ ନେଇ ପ୍ରତିଦିନ ଘଟୁଛି କିଛି ନା ଘଟଣା । ଠିକ୍ ପୁଣି ଏଭଳି ଏକ ଘଟଣା ଘଟିଛି ଜଣେ ଗୁଜୁରାଟୀ ମହିଳାଙ୍କ ସହ ।

ମିଥ୍ୟା ପ୍ରଲୋଭନ ଦେଖାଇ ପ୍ରଥମେ ଏହି ଗୁଜରାଟୀ ମହିଳାଙ୍କୁ ପ୍ରେମ ବିବାହ କରିବାପରେ କୌଶଳ କ୍ରମେ ବିବାହର ୧୫ ଦିନ ପରେ ମହିଳାଙ୍କ ଠାରୁ ପର୍ଯ୍ୟାୟ କ୍ରମେ ତାଙ୍କ ଧନ ସମ୍ପତ୍ତିକୁ ହାସଲ କରି ଏବେ ଶେଷରେ ତାଙ୍କୁ ଠକି କେଉଁ ଆଡେ ଫେରାର ହୋଇଯାଇଛି ଜଣେ ଓଡ଼ିଆ ଯୁବକ । ଶେଷରେ ମହିଳା ଜଣକ ଏବେ ନିଜର ଦୁଇ ବର୍ଷର ଶିଶୁ ପୁତ୍ରକୁ ନେଇ ସ୍ୱାମୀର ଗାଁରେ ପହଞ୍ଚିଥିବାବେଳେ ଏପଟେ ସ୍ୱାମୀ କିମ୍ବା ତା ପରିବାର ଲୋକେ କେହିବି ଗାଁରେ ନଥିବା ଦେଖିବାକୁ ମିଳିଛି । ଶେଷରେ ବାଧ୍ୟ ହୋଇ ଥାନାରେ ଦ୍ୱାରସ୍ଥ ହୋଇଥିଲେ । ତେବେ ପୋଲିସ୍ ଠାରୁ ନ୍ୟାୟ ନ ପାଇବାରୁ ଶେଷରେ ଭଦ୍ରକ ଏସପିଙ୍କ ସରଣାପର୍ଣ୍ଣ ହୋଇଛନ୍ତି ଏହି ଗୁଜରାଟୀ ମହିଳା ଜଣକ । ଏଭଳି ଏକ ଦୁଃଖ ଘଟଣା ଭଦ୍ରକ ଏସପି ଅଫିସ ନିକଟରେ ଦେଖିବାକୁ ମିଳିଛି ।

ଭଦ୍ରକ ଜିଲ୍ଲାର ବନ୍ତ ଥାନା ଅଧିନସ୍ଥ ନରସିଂହପୁର ଗ୍ରାମର ମନୋଜ ନାୟକ ନାମକ ଜଣେ ଯୁବକ ଗୁଜୁରାଟର ଅହମ୍ମଦାବାଦରେ ଏକ କମ୍ପାନୀରେ କାମ କରୁଥିବାବେଳେ ସେଠାରେ ହୀରଲ ମୋଦୀ ନାମକ ଜଣେ ଯୁବତୀଙ୍କୁ ଭଲ ପାଇ ଗତ ୨୦୧୯ ମସିହାରେ ବିବାହ କରିଥିଲା । ତେବେ ବିବାହର ୧୫ଦିନ ପରେ ମନୋଜ ତାଙ୍କ ସ୍ତ୍ରୀ ହୀରଲ ରଖିଥିବା ଟଙ୍କା ଓ ତାଙ୍କ ବାପା, ମାଆ ରଖିଥିବା ଟଙ୍କାକୁ କୌଶଳ କ୍ରମେ ହାସଲ କରିବାକୁ ଲାଗିଲା । ଏପରିକି ମନୋଜ ତା ଗାଁରେ ବହୁ ଜମିଜମା ଥିବା ଓ ବ୍ୟବସାୟ ଚାଲିଥିବା କହି ପ୍ରଲୋଭିତ କରିଥିଲା । ଏସବୁ କଥା ଶୁଣିବା ପରେ ସ୍ତ୍ରୀ ହୀରଲ ମୋଦୀଙ୍କର ମନୋଜ ଉପରେ ସନ୍ଦେହ ହୋଇନଥିଲା ।

ପରେ ୨୦୨୨ ମସିହାରେ ହୀରଲଙ୍କର ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା । ସେତେବେଳେକୁ ମନୋଜ ପ୍ରାୟ ୫କୋଟିରୁ ଅଧିକ ଟଙ୍କା ସେମାନଙ୍କ ଠାରୁ କୌଶଳ କ୍ରମେ ଠକି ନେଇଥିଲା । ଏପରିକି ବିଜିନେସ ପାଇଁ ହୀରଲ ମୋଦୀଙ୍କ ନାମରେ ବିଭିନ୍ନ ବ୍ୟାଙ୍କରୁ ଋଣ ଆଣିଥିଲା । ତେବେ ପ୍ରକୃତ ସତ କଥା ହିରଲ ଜାଣିବା ପୂର୍ବରୁ ମନୋଜ କୌଶଳ କ୍ରମେ ସେଠାରୁ ଖସି କେଉଁଆଡ଼େ ପଳାଇଛି ଯେ ତାର ପତ୍ତା ମିଳୁନାହିଁ ।

ଏପଟେ ହୀରଲ ସତକଥା ଜାଣିଲା ବେଳେକୁ ତାଙ୍କ ଓ ତାଙ୍କ ବାପାଙ୍କ ପାଖରେ କିଛି ବି ଟଙ୍କା ନଥିଲା । ସର୍ବସ୍ୱ ହରାଇ ହୀରଲ ନିଜର ଦୁଇ ବର୍ଷର ଶିଶୁ ପୁତ୍ରକୁ ସାଙ୍ଗରେ ନେଇ ପ୍ରଥମେ ମନୋଜର ଗାଁ ପରେ ବନ୍ତ ଥାନାରେ ଅଭିଯୋଗ କରିଥିଲେ । ବନ୍ତ ପୋଲିସ୍ ଏକ ମାମଲା ରୁଜ୍ଜୁ କରିଥିଲେ ହେଁ ଅଭିଯୁକ୍ତ ମାନଙ୍କୁ ଗିରଫ କରିପାରିନାହିଁ ।

ତେଣୁ ହୀରଲ ଓଡିଶା ଆସି ଏହି ବିଷୟରେ ଭଦ୍ରକ ଏସପିଙ୍କୁ ଭେଟି ନିଜର ଗୁହାରି ଜଣାଇବା ସହିତ ସେ ଓ ତାଙ୍କ ପରିବାର କିପରି ମନୋଜଙ୍କ ଦ୍ୱାରା ଶୋଷିତ ହୋଇ ସର୍ବହାର ହୋଇ ପଡିଛନ୍ତି ସେକଥା କହିଛନ୍ତି । ତାଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରାଯିବାକୁ ସେ ନିବେଦନ କରିଛନ୍ତି ।

ଏପଟେ ମୋର ସମସ୍ତ ସମ୍ପତ୍ତି ଗଲା, ଏବେ ମୁଁ ପୁଅକୁ ନେଇ କେଉଁଠି ରହିବି, କିପରି ଖାଇବି ଓ ଋଣ ଟଙ୍କା କିପରି ସୁଝିବି ବୋଲି ଦୁଃଖର ସହ କହିଛନ୍ତି ହୀରଲ । ତେଣୁ ହୀରଲ ଓ ତାଙ୍କ ଶିଶୁ ପୁତ୍ରକୁ ନ୍ୟାୟ ଦେବା ପାଇଁ ଭଦ୍ରକ ପୋଲିସ୍ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

ଆଜିକାଲି ଲଭ୍-ସେକ୍ସ-ଧୋକାକୁ ନେଇ ଅନେକ ଘଟଣା ସମାଜରେ ଘଟୁଛି ଆଉ ଏମିତି ଅନେକ ଯୁବକ ଯୁବତୀ ନ୍ୟାୟ ପାଇବା ପାଇଁ ଥାନାକୁ ଦୌଡୁଛନ୍ତି । ତେବେ ଏହି ଘଟଣାରେ ମନୋଜ ନାୟକଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନଥିବାବେଳେ, ପୋଲିସ୍ ମହିଳାଙ୍କୁ ନ୍ୟାୟ ଦେବା ପାଇଁ କି ପଦକ୍ଷପ ନେଉଛି ତାହା ଦେଖିବାକୁ ବାକି ରହିଲା ।