ଆଗରପଡ଼ା,ତା୨୭/୪(ପିଏନଏସ):ଜଲିଉଡ ଜଗତରେ ଗତ କିଛିଦିନ ଧରି ବିବାଦ ଲାଗି ରହିଥିବା ବେଳେ ପୁଣି ରବିବାର ଦିନ ଆଗରପଡ଼ାସ୍ଥିତ ଅଣିଜୋ ଠାରେ ଯାତ୍ରାପାର୍ଟି ଗାଡ଼ିକୁ କମିଟି ସଦସ୍ୟମାନେ ଅଟକ ରଖିବା ଓ ପୋଲିସ୍ ହସ୍ତକ୍ଷେପ ପରେ ଘଟଣାର ସମାଧାନ ହୋଇଥିବା ଜଣାପଡ଼ିଛି । ଅଣିଜୋ ଠାରେ ବାବା ସିନ୍ଧୁକେଶ୍ୱର ଯାତ୍ରା କମିଟି ଦ୍ୱାରା ତୁଳସୀ ଗଣନାଟ୍ୟ ଗତ ୪ଦିନ ଧରି ନାଟକ ମଞ୍ଚଚସ୍ଥ କରୁଥିଲା । ଅପେରାର ମୁଖ୍ୟ ନାୟକ ଓ ନାୟିକାଙ୍କର ଅନୁପସ୍ଥିତିରେ ପ୍ରଥମ ରାତ୍ରୀରେ ବିଳମ୍ବରେ ନାଟକ ପରିବେଷଣ, ଏଲଇଡି ନ ଚାଲିବା ସହ ବିଦ୍ୟୁତ୍ ସରବରାହ ବ୍ୟାଘାତ ଯୋଗୁଁ କିଛି ସମୟ ଧରି ନାଟକ ମଂଚସ୍ଥ ବନ୍ଦ ରହିବା ପରି ଅବ୍ୟବସ୍ଥା ପରିଲକ୍ଷିତ ହୋଇଥିଲା ବୋଲି କମିଟି ସୂତ୍ରରୁ ଜଣାପଡ଼ିଛି । ଏଥିଯୋଗୁଁ କମିଟି କ୍ଷତି ସହିଲା ବୋଲି ଅଭିଯୋଗ କରି ଟଙ୍କା ଫେରସ୍ତ ପାଇଁ ଟେଣ୍ଟ ଗାଡ଼ି ଗୁଡ଼ିକୁ କମିଟି ପକ୍ଷରୁ ଅଟକ ରଖା ଯାଇଥିଲା । ପରେ ପୋଲିସ୍ ହସ୍ତକ୍ଷେପ ପରେ ଏହାର ସମାଧାନ ହୋଇଥିବା ଥାନା ସୂତ୍ରରୁ ଜଣାପଡ଼ିଛି ।
