Img 20241209 Wa0131

ମୟୂରଭଞ୍ଜରେ ଆରମ୍ଭ ହେଲା ୧୦୦ ଦିନ ବ୍ୟାପି ଯକ୍ଷ୍ମା ବିଲୋପ ଅଭିଯାନ

State
  • ୨୦୨୫ ସୁଦ୍ଧା ଦେଶରୁ ଯକ୍ଷ୍ମା ବିଲୋପ ପାଇଁ ପ୍ରୋତ୍ସାହନ ଯୋଗାଇବା ଆମର ଲକ୍ଷ୍ୟ: ସାଂସଦ ମମତା ମହାନ୍ତ

ବାରିପଦା:  ମୟୂରଭଞ୍ଜ ଜିଲ୍ଲାରେ ସୋମବାର ଠାରୁ ଆରମ୍ଭ ହୋଇଛି ଆଗାମୀ ୧୦୦ ଦିନ ବ୍ୟାପି ଯକ୍ଷ୍ମା ବିଲୋପ ଅଭିଯାନ। ଏହି ପରିପ୍ରେକ୍ଷୀରେ, ଜିଲ୍ଲା ସଦର ମହକୁମା ବାରିପଦାରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଅଭିଯାନର ଶୁଭାରମ୍ଭ କରିଥିଲେ। ଆୟୋଜିତ ଏହି କାର୍ଯ୍ୟକ୍ରମରେ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଦାହ ବସନ୍ତ କୁମାର ବେହେରା, ଅତିରିକ୍ତ ଚିକିତ୍ସାଧିକାରୀ ଡଃ ବିଜୟ କୁମାର ଦାସ, ଓ ଏହି ଅଭିଯାନର ଜାତୀୟ ସଂଯୋଜକ ଡଃ ଧର୍ମା ରାଓ ପ୍ରମୁଖ ମଂଚାସୀନ ଥିଲେ।

ଏହି ଅବସରରେ ମାନ୍ୟବର ସାଂସଦ ଶ୍ରୀମତୀ ମହାନ୍ତ କହିଥିଲେ ଯେ ଯକ୍ଷ୍ମା ମୁକ୍ତ ଅଭିଯାନ ହେଉଛି ଗୋଷ୍ଠି ସହାୟତା ହାସଲ କରି ରୋଗୀ-କେନ୍ଦ୍ରିକ ସ୍ୱାସ୍ଥ୍ୟ ବ୍ୟବସ୍ଥା ଆଡକୁ ଏକ ପଦକ୍ଷେପ ଏବଂ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ହେଉଛି ଏକ ସାମାଜିକ ଆଭିମୁଖ୍ୟର ଆବଶ୍ୟକତାକୁ ଆଲୋକିତ କରିବା ଯାହାକି ବିଭିନ୍ନ ବର୍ଗର ଲୋକଙ୍କୁ ଜନ ଆନ୍ଦୋଳନରେ ସାମିଲ କରି ୨୦୨୫ ସୁଦ୍ଧା ଦେଶରୁ ଯକ୍ଷ୍ମା ଦୂର କରିବାର ଉଚ୍ଚାଭିଳାଷୀ ଲକ୍ଷ୍ୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି ।

ସୂଚନା ଥାଉକି, ମୟୂରଭଞ୍ଜ ସମେତ ଓଡିଶାର ପ୍ରତ୍ୟେକଟି ଜିଲ୍ଲାରେ ଏହି ଅଭିଯାନ ଆରମ୍ଭ ହୋଇଛି ଏବଂ ଏହି ୧୦୦ ଦିନିଆ ଟୀକାକରଣ, ଯାହା ସମସ୍ତ ବର୍ଗର ଲୋକ ମାନଙ୍କୁ ଅନ୍ତର୍ଭୁକ୍ତ କରିଛି, ଅଭିଯାନ ପାଇଁ 4T କାର୍ଯ୍ୟପନ୍ଥା ହାତକୁ ନିଆ ଯାଇଛି। ତାହା ହେଲା, ଟେଷ୍ଟ, ଟ୍ରାକ, ଟ୍ରିଟ ଓ ଟେକ୍ନୋଲୋଜି । ତେଣୁ ଏହି ମାଧ୍ୟମରେ ଜନସାଧାରଣ ମାନଙ୍କୁ ସଚେତନ କରାଯାଇ ସମସ୍ତ ସବ-ସେଣ୍ଟର ଠାରେ ଆୟୁଷ୍ମାନ ଶିବିର ଆୟୋଜନ କରାଯାଇ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମାଧ୍ୟମରେ ଏକ୍ସ-ରେ କରାଯାଇ ରୋଗର ନିଦାନ କରାଯିବାର ବ୍ୟବସ୍ଥା କରାଯାଇଛି। ଯକ୍ଷ୍ମା ଚିକିତ୍ସା କ୍ଷେତ୍ରରେ ସହାୟତା କରୁଥିବା ତଥା ଯକ୍ଷ୍ମା ବିଲୋପ ଦିଗରେ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ଗୋଷ୍ଠିର ହିତାଧିକାରୀଙ୍କୁ ଏକାଠି କରିବା ସକାଶେ ପ୍ରଧାନ ମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନର କଳ୍ପନା କରାଯାଇଛି ।

ଏଣୁ ଜିଲ୍ଲାରେ ଥିବା ୨୬ଟି ବ୍ଲକରେ ଏହି ସଚେତନତା ବାର୍ତ୍ତା ପ୍ରଚାର କରିବା ପାଇଁ ଏହି କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ ଶ୍ରୀମତୀ ମହାନ୍ତ ୭ଟି ସଚେତନତା ରଥର ଉଦ୍ଘାଟନ କରିଥିଲେ । ଏହି ରଥ, ଆଗାମୀ ୧୦୦ ଦିନ ଯାଏଁ ସମସ୍ତ ବ୍ଲକରେ ବୁଲି ଲୋକ ମାନଙ୍କୁ ସଚେତନ କରାଇବ। ଉପସ୍ଥିତ ଅତିଥି ମାନେ ମଧ୍ୟ ଏହି ୧୦୦ ଦିନ ଅଭିଯାନ ନିମନ୍ତେ ପ୍ରସ୍ତୁତ ନି-କ୍ଷୟ ମିତ୍ର ଶିବିରକୁ ମଧ୍ୟ ଉଦ୍ଘାଟନ କରିଥିଲେ ଯେଉଁଥିରେ ମାଗଣା ଟିବି ପରୀକ୍ଷା କରାଯିବାର ବ୍ୟବସ୍ଥା ହୋଇଅଛି। ଆଜିର କାର୍ଯ୍ୟକ୍ରମରେ ୨ ଜଣ ଟିବି ରୋଗରୁ ମୁକ୍ତ ହୋଇଥିବା ସଫଳ ବ୍ୟକ୍ତିତ୍ୱ, ତିରିଂର ଅର୍ଜୁନ ମାର୍ଣ୍ଡି ଓ କିସାନତାଣ୍ଡିର ବାସୁଦେବ ଟୁଙ୍ଗଙ୍କୁ, ନିଜ ଅଂଚଳରେ ଜନସଚେତନତା ବୃଦ୍ଧି କରୁଥିବାରୁ ପୁରସ୍କୃତ କରାଗଲା। ଏହି ଅବସରରେ, ରାଜବସା ଓ ଚନ୍ଦନପୁର ପଂଚାୟତର ସରପଞ୍ଚ ଯିଏକି ନିଜ ଅଂଚଳରେ ଟିବି ରୋଗୀଙ୍କୁ ମାଗଣା ସେବା ଯୋଗାଇବା ସହିତ ଡାକ୍ତରୀ କିଟ ଯୋଗାଇ ଦେଉଛନ୍ତି, ତାଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ଯକ୍ଷ୍ମା ନିରୋଧ କେନ୍ଦ୍ର ଠାରେ ସମସ୍ତ କର୍ମଚାରୀ ଉପସ୍ଥିତ ଥିବା ବେଳେ ଏହି କାର୍ଯ୍ୟକ୍ରମର ପରିଚାଳନା, ଜିଲ୍ଲା ପ୍ରକଳ୍ପ ସଂଯୋଜକ ଦିନକୃଷ୍ଣ ବାରିକ୍ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।