ବାରିପଦା: ଜନ୍ମମାଟି ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ l ଗସ୍ତ ସମୟରେ ରାଇରଙ୍ଗପୁର ଉପରବେଡ଼ା ଉପ୍ରା ବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ l କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଅଭିଭାଷଣରେ ପିଲାଙ୍କୁ ମନ ଦେଇ ପାଠ ପଢ଼ିବାକୁ ପରାମର୍ଶ ଦେଇଛନ୍ତି ମହାମହିମ l ପାଠ କେବଳ ଚାକିରି ପାଇଁ ନୁହେଁ ବରଂ ଶିକ୍ଷିତ ହେବା ପାଇଁ ମଧ୍ୟ ଆବଶ୍ୟକ l ସମାଜରେ ବଡ଼ ହେବାକୁ ହେଲେ, ପ୍ରଥମେ ନାଁକୁ ବଢ଼ାଇବାକୁ ପଡ଼େ l ଏବେ ପାଠପଢ଼ା ପାଇଁ ବହୁତ ସୁବିଧା ହେଲାଣି l ବହୁତ ସହଯୋଗ ମଧ୍ୟ ମିଳୁଛି l ତେଣୁ ମନ ଦେଇ ପାଠ ପଢିଲେ ଭବିଷ୍ୟତ ଉଜ୍ଜ୍ୱଳ ହେବ ବୋଲି କହିଛନ୍ତି ମହାମହିମ l ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏକତ୍ରିତ ହୋଇ ରହିଲେ ସବୁ ସମସ୍ୟାର ସମାଧାନ ମିଳେ l ପିଲା ନଆସିଲେ କାରଣ କ’ଣ ବୁଝିବାକୁ ପ୍ରତ୍ୟକ ପିଲାଙ୍କ ଘରକୁ ଶିକ୍ଷକ ଯାଆନ୍ତୁ l ସେମାନଙ୍କୁ ବୁଝା ସୁଝା କରି ଅଣାନ୍ତୁ ବୋଲି କହିଛନ୍ତି ରାଷ୍ଟ୍ରପତି l
ସୂଚନାଯୋଗ୍ୟ, ୨ ଦିନିଆ ଜନ୍ମମାଟି ମୟୁରଭଞ୍ଜ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ l ମହାମହିମଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁରା ଅଂଚଳକୁ ସୁସଜ୍ଜିତ କରାଯାଇଛି । ଏଥିସହିତ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରିଛି ଜିଲ୍ଲା ପ୍ରଶାସନ l ମହାମହିମଙ୍କ ସୁରକ୍ଷା ପାଇଁ ସୁରକ୍ଷା ଦୃଷ୍ଟିରୁ ଉପରବେଡ଼ା ସମେତ ବିଭିନ୍ନ ସ୍ଥାନରେ ୪୦ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ରହିଛନ୍ତି l ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଯେପରି କୌଣସି ତ୍ରୁଟି ନହୁଏ ଏପ୍ରତି ସ୍ବତନ୍ତ୍ର ଦୃଷ୍ଟି ରଖାଯାଇଥିବା ପୋଲିସ ପ୍ରଶାସନ କହିଛି।
ଉପରବେଡ଼ା ଉପ୍ରା ବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଉରବେଡା ସ୍ଥିତ ନିଜ ବାସଭବନକୁ ଯିବେ ମହାମହିମ। ପରେ ସେ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ। ବାଙ୍ଗିରିପୋଷି ଠାରେ ୩ଟି ରେଳ ପ୍ରକଳ୍ପ ଯେପରିକି ବାଙ୍ଗିରିପୋଷି-ଗୋରୁମହିସାଣି, ବୁଢ଼ାମରା-ଚକୁଳିଆ ଏବଂବାଦାମପାହାଡ଼-କେନ୍ଦୁଝରର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ସେଥିପାଇଁ ରେଳ ବିଭାଗ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ, ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ରାଜେଶ କୁମାର।