ବାରିପଦା: ଗୋଷ୍ଠୀ ଶିକ୍ଷା ଅଧିକାରୀ, ବାରିପଦା; ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ସ୍ଵେଚ୍ଛାସେବୀ ଅନୁଷ୍ଟାନ ସାଧନାର ମିଳିତ ସହଯୋଗରେ “ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ -୨୦୨୪ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ ।
ଅଭିଭାବକ ମାନଙ୍କ ନିଷ୍ଠାପର କର୍ତ୍ତବ୍ୟ ଉପରେ ପିଲାମାନଙ୍କର ଭବିଷ୍ୟତ ନିର୍ଭର କରିଥାଏ, ଏଣୁ ଅଭିଭାବକ ମାନେ ପିଲାମାନଙ୍କ ପ୍ରତି ନିରନ୍ତର ପ୍ରଚେଷ୍ଟା ଜାରିରଖିଲେ ପିଲାମାନଙ୍କର ଭବିଷ୍ୟତ ନିଶ୍ଚୟ ଉଜ୍ଜଳମୟ ହେବ । ଜିଲ୍ଲା ପ୍ରଶାସନ ତରଫରୁ ଆବଶ୍ୟକ ସମସ୍ତ ସହାୟତା ଏହି ପିଲାମାନଙ୍କ ପାଇଁ ଯୋଗାଇ ଦିଆଯିବ ବୋଲି ସେ ତାଙ୍କ ଅଭିଭାଷଣରେ କହିଥିଲେ । ସେ ମଧ୍ୟ ସନ୍ଥ କବି ଭୀମଭୋଇଙ୍କ କବିତା ଆବୃତିକରି ଉପସ୍ଥିତ ଅଭିଭାବକ ଓ ପିଲାଙ୍କ ମଧ୍ୟରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ସହିତ ଏ ପିଲାମାନେ ସାଧାରଣ ପିଲାଙ୍କ ଠାରୁ କୌଣସି ଗୁଣରେ କମ ନୁହନ୍ତି ବୋଲି ନିଜ ଅଭିଭାଷଣରେ କହିଥିଲେ ।
ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ପୁନମ ଜେନା ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଆଇନ ସେବା ପାଇବାର ଅଧିକାର ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଭାରତୀୟ ନ୍ୟାୟବ୍ୟବସ୍ଥାରେ ଏଥିପାଇଁ ସୁବିଧା କରାଯାଇଅଛି। ଯେଉଁ ପରିବାରର ବାର୍ଷିକ ଆୟ ତିନିଲକ୍ଷ ଟଙ୍କାରୁ କମ ହୋଇଥିବା ତଥା ସମସ୍ତ ବର୍ଗର ଭିନ୍ନକ୍ଷମ ମାନେ ମାଗଣାରେ ଆଇନ ସହାୟତା ପାଇପାରିବେ । ସେଥିପାଇଁ ଦେୟ ମୁକ୍ତ ଫୋନ ନମ୍ବର ୧୫୧୦୦ ରେ ଯୋଗାଯୋଗ କରିପାରିବେ । ସାଧନାର ନିର୍ଦେଶକ ଶ୍ରୀ ରଞ୍ଜିତ ମହାପାତ୍ର ଉକ୍ତ କାର୍ଯ୍ୟକ୍ରମର ଉଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ଏହି ଆନ୍ତର୍ଜାତୀୟ ଦିବସ ୧୯୯୨ ମସିହାରୁ ବିଶ୍ବସ୍ତରରେ ପାଳିତ ହୋଇ ଆସୁଅଛି । ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ମଧ୍ୟରେ ଥିବା ବିବିଧତାକୁ ସାମାଜିକ ସ୍ତରରେ ଗ୍ରହଣୀୟ କରିବା ଏହି ଦିବସର ମୂଳ ଲକ୍ଷ ।
ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ନଳିନୀକାନ୍ତ ପ୍ରଧାନ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଜାତୀୟ ଶିକ୍ଷାନୀତିରେ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି କରାଯାଇଅଛି । ଜିଲ୍ଲା ଭିନ୍ନକ୍ଷମ ସଂଯୋଜକ ଶ୍ରୀ ନିରଞ୍ଜନ ନାୟକ ସମଗ୍ର ଶିକ୍ଷା ମାଧ୍ୟମରେ ଭିନ୍ନକ୍ଷମ ପିଲାମାନଙ୍କୁ ଦିଆ ଯାଉଥିବା ସମସ୍ତ ସେବା ଗୁଡିକ ବିଷୟରେ ଜଣାଇଥିଲେ । ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପଣି ଯୋଗ ଦେଇ ଭିନ୍ନକ୍ଷମ ଲୋକମାନଙ୍କ ସଫଳତାର ଅନୁଭୂତି ବର୍ଣନା କରିଥିଲେ ।
କାର୍ଯ୍ୟକ୍ରମ ପୂର୍ବରୁ ଏକ ବିଶାଳ ରାଲି ଗୋଷ୍ଠୀ ଶିକ୍ଷା କାର୍ଯ୍ୟ।ଳୟରୁ ବାହାରି ଜିଲ୍ଲା ଶିକ୍ଷା କାର୍ଯ୍ୟ।ଳୟ ପର୍ଯ୍ୟନ୍ତ ଯାଇଥିଲା । ଏହି ରାଲି ମାଧ୍ୟମରେ ବିଭିନ୍ନ ସଚେତନ ମୂଳକ ବାର୍ତ୍ତା ପ୍ରଦାନ କରଯାଇଥିଲା । ଉଜ୍ଜାପନି ଉତ୍ସବରେ ଜିଲ୍ଲା ଦୌରା ଜଜ ଓ ଅଧକ୍ଷ ଜିଲ୍ଲା ଆଇନିସେବା ପ୍ରାଧିକରଣ ଶ୍ରୀ ଅରବିନ୍ଦ ପଟ୍ଟନାୟକ ଯୋଗଦେଇ ପିଲାମାନଙ୍କୁ ପୁରସ୍କାର ବିତରଣ କରିବା ସହିତ ବିଭିନ୍ନ ପ୍ରକାର ଉପକରଣ ବଣ୍ଟନ କରିଥିଲେ । ସେ କହିଥିଲେ ଯେ ଭିନ୍ନକ୍ଷମ ଅଧିକାର ଅଧିନିୟମ ଅନୁଯାଇ ପିଲାମାନଙ୍କୁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯାଉଅଛି । ଶ୍ରୀ ରବୀନ୍ଦ୍ର କୁମାର ମହାନ୍ତି, ଅଧିକାର ମିତ୍ରା ଜିଲ୍ଲା ଆଇନିସେବା ପ୍ରାଧିକରଣ, ବାରିପଦା ମଞ୍ଚ ପରିଚାଳନା କରିଥିଲେ ।
ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ତପସ୍ଵିନୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ଦିବସରେ ୨୫୦ ଜଣରୁ ଉର୍ଦ୍ଧ ଭିନ୍ନକ୍ଷମ ଛାତ୍ର ଛାତ୍ରୀ, ଅବିଭାବକ ଯୋଗଦେଇ ଥିଲେ । ପିଲାମାନଙ୍କ ମଧ୍ୟରେ ମିଉଜିକ ଚେୟାର, ବେଲୁନ ଫୁଟା, ହାଣ୍ଡିପିଟା, ଜିଲାପି ରେଶ ଇତ୍ୟାଦି ପ୍ରତିଯୋଗୀତା ମାନ ଆୟୋଜନ କରଯାଇଥିଲା । ପ୍ରତେକ ବିଭାଗରୁ ପ୍ରଥମ ତିନିଜଣ କୃତି ପ୍ରତିଯୋଗୀମାନଙ୍କୁ ଟ୍ରଫି ପ୍ରଦାନ କରାଯିବା ସହିତ ଅନ୍ୟ ସମସ୍ତଙ୍କୁ ସାନ୍ତ୍ଵନା ମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା ।
୮୫ ଜଣ ଭିନ୍ନକ୍ଷମପିଲାଙ୍କୁ ୧୯୧ ପ୍ରକାରର ବିଭିନ୍ନ ଉପକରଣ ବଣ୍ଟନ କରଯାଇଥିଲା । ସେଗୁଡିକ ହେଲା ତିନି ଚକିଆ ଗାଡି, ମସ୍ତିସ୍କ ପକ୍ଷାଘାତ ପିଲାମାନକ ନିମନ୍ତେ ସ୍ଵତନ୍ତ୍ର ଚେୟାର, ଶ୍ରବଣ ବାଧିତ ପିଲାଙ୍କୁ ଶ୍ରବଣ ଯନ୍ତ୍ର , ରୋଲେଟର ଓ ଆଶାବାଡି ଇତ୍ୟାଦି । ଅଭିଭାଷଣକୁ ସାଧାନର କର୍ମୀ ମୋନାଲିସା ପାଣିଗ୍ରାହୀ ସାଙ୍କେତିକ ଭାଷାରେ ଶ୍ରବଣ ବାଧିତ ପିଲା ମାନଙ୍କୁ ବୁଝାଇଥିଲେ । ଗୋଷ୍ଠୀ ଶିକ୍ଷା କାର୍ଯ୍ୟ।ୟାଳୟର ସମସ୍ତ କର୍ମକର୍ତ୍ତା, ସମସ୍ତ ଆଞ୍ଚଳିକ ସାଧନ କର୍ମୀ, ସାଧନାର କର୍ମୀ, ବାରିପଦା ଉଚ ବିଦ୍ୟାଳୟ ରେଡକ୍ରସ ବିଭାଗର ସ୍ଵେଚ୍ଛାସେବିମାନେ ଯୋଗ ଦେଇ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ । ଗୋଷ୍ଠୀ ସାଧନ କର୍ମୀ ରେଖାରଣୀ ଦାସ ଓ ଦିଲ୍ଲୀପ କୁମାର ଦାସଙ୍କ ପ୍ରତେକ୍ଷ ତତ୍ଵାବଧାନରେ କାର୍ଯ୍ୟ ସମାପନ ହୋଇଥିଲା ।