ନୂଆଦିଲ୍ଲୀ : ବୁଧବାର ସକାଳେ ଇସ୍ରାଏଲ୍ ଓ ଲେବାନନର ମିଲିଟାଣ୍ଟ୍ ସମୁହ ହିଜବୁଲ୍ଲା ମଧ୍ୟରେ ଅସ୍ତ୍ରବିରତି ହୋଇସାରିଛି । ଏହି ଅସ୍ତ୍ରବିରତି ମାତ୍ର ୬୦ ଦିନ ପାଇଁ ହୋଇଛି । ଏହି ସମୟ ମଧ୍ୟରେ ଉଭୟ ପକ୍ଷ ନିଜ ତରଫରୁ ଶାନ୍ତିର ସହ ସମାଧାନ ପାଇଁ ଚେଷ୍ଟା କରିବେ । ଗତ ବର୍ଷ ୭ ଅକ୍ଟୋବରରେ ଚରମପନ୍ଥୀ ସମୁହ ହମାସ ଏକ ଆକ୍ରମଣରେ ହଜାର ହଜାର ଇସ୍ରାଏଲ୍ ନାଗରିକଙ୍କ ଜୀବନ ନେଇଥିଲା ଏବଂ ୨୫୦ରୁ ଅଧିକଙ୍କୁ ଅପହରଣ କରିନେଇଥିଲା । ଗାଜାରେ ଏଭଳି କାରନାମା ପରେ ଇସ୍ରାଏଲ୍ ମଧ୍ୟ ଆକ୍ରମଣ କରିଦେଲା ଏବଂ ଧିରେ ଧିରେ ଏହା ସବୁ ଦିଗକୁ ବ୍ୟାପିବାରେ ଲାଗିଲା । ଏଥିରେ ଲେବାନନର ଚରମପନ୍ଥୀ ସମୁହ ହିଜବୁଲ୍ଲା ମଧ୍ୟ ସାମିଲ ହୋଇଯାଇଥିଲା ଯାହା ହମାସର ବିଚାରଧାରାକୁ ସମର୍ଥନ କରୁଥିଲା । ହମାସ ଓ ଇସ୍ରାଏଲ୍ ମଧ୍ୟରେ ଅନଔପଚାରିକ ଭାବେ ଯୁଦ୍ଧ ଏବେ ବି ଲାଗିରହିଛି କିନ୍ତୁ ହିଜବୁଲ୍ଲାହ ଏବଂ ଇସ୍ରାଏଲ୍ ମଧ୍ୟରେ ୨ ମାସର ଅସ୍ତ୍ରବିରତି ହୋଇଛି ।
ପୂର୍ବରୁ ଯୁଦ୍ଧବିରାମ ନେଇ ସଙ୍କେତ ମିଳୁଥିଲା । ଗତ କିଛି ଦିନରେ ଆକ୍ରମଣ ଧିରେ ଧିରେ କମିଥିଲା । ଆଗାମୀ ୬୦ ଦିନରେ ହିଜବୁଲ୍ଲାହ ଲେବନାନ ଓ ଇସ୍ରାଏଲ ମଧ୍ୟରେ ବଫର ଜୋନରୁ ନିଜ ସେନା ହଟାଇନେବ । ଏହା ସହିତ ଇସ୍ରାଏଲ୍ ମଧ୍ୟ ଲେବାନନ ବର୍ଡରରୁ ହଟିବ । ଯୁଦ୍ଧ ବିରାମ ଚୁକ୍ତି ବର୍ତ୍ତମାନ ୬୦ ଦିନ ପାଇଁ ରହିଛି । ଏହି ସମୟରେ ଦକ୍ଷିଣ ଲେବାନନର ଲକ୍ଷ ଲକ୍ଷ ଲୋକ ଏବଂ ଉତ୍ତର ଲେବନାନର ମଧ୍ୟ ହଜାର ହଜାର ଲୋକ ନିଜ ଘରକୁ ଫେରୁଛନ୍ତି । ଉତ୍ତର ଭାଗରେ ଇସ୍ରାଏଲର ମଧ୍ୟ ବହୁ ଲୋକ ଅଛନ୍ତି ଯେଉଁମାନେ ଯୁଦ୍ଧ ଯୋଗୁଁ ହୋଟେଲରେ ରହୁଛନ୍ତି । ଏଥିପାଇଁ ସରକାର ବଡ ଖର୍ଚ୍ଚ ଉଠାଉଛନ୍ତି ଯାହା ଫଳରେ ଆର୍ଥିକ ଚାପ ରହୁଛି । ତେବେ ବର୍ତ୍ତମାନର ପରିସ୍ଥିତି ଅନୁସାରେ ଏହା ସ୍ଥିର ନାହିଁ କି ଯୁଦ୍ଧବିରାମ ନିର୍ଦ୍ଧାରିତ ସୀମା ପର୍ଯ୍ୟନ୍ତ ମଧ୍ୟ ଚାଲିବ କି ନାହିଁ । ଏହି ସମୟରେ ମଧ୍ୟରେ ପୁଣି ଆରମ୍ଭ ହୋଇଯିବ କି ନାହିଁ ଏହାର କୌଣସି ଗ୍ୟାରେଣ୍ଟି ନାହିଁ ।
ଅନ୍ୟପଟେ ଇସ୍ରାଏଲ୍ ମିଡିଆରେ କୁହାଯାଉଛି କି ହିଜବୁଲ୍ଲାହ ଏବେ ଦୁର୍ବଳ ହୋଇସାରିଛି ଏବଂ ପୁଣି ଶକ୍ତି ହାସଲ କରିବାକୁ ସମୟ ଲାଗିବ । ଅସ୍ତ୍ରବିରତିର ପ୍ରଥମ ଦିନରେ ଲେବାନନ ରେଜିମେଣ୍ଟ ଏକ ଗାଁରେ ପହଞ୍ଚିବା ପରେ ସେଠାରେ ଲୋକଙ୍କ ମଧ୍ୟରେ ଖୁସିର ମାହୋଲ ଖେଳିଯାଇଛି । ଏହାର ଏକ ଭିଡିଓ ଭାଇରାଲ ହେଉଛି । ଲୋକମାନେ ଲେବାନନ ସେନାକୁ ଜୋରଦାର ସ୍ବାଗତ କରୁଛନ୍ତି । ଭିଡିଓରେ ସେମାନେ ଚାଉଳ ପକାଇ ଉତ୍ସବ ମନାଉଥିବା ଦେଖିବାକୁ ମିଳୁଛି । ସେନା କର୍ମଚାରୀ ଭିଡକୁ ହାତ ହଲାଉଥିବା ଭିଡିଓରେ ଦେଖିବାକୁ ମିଳୁଛି ।
ଅନ୍ୟପକ୍ଷରେ ଉତ୍ତରଗାଜାର ଏକ ବିଦ୍ୟାଳୟ ଉପରେ ଇସ୍ରାଏଲ୍ ଅତର୍କିତ ଚଢଉ କରିଛି । ସେଠାରେ ହମାସର ଲଢୁଆ ସୈନିକମାନେ ଏକତ୍ରିତ ହେଉଥିବା ସୂଚନା ପାଇବା ପରେ ଉତ୍ତର ଗାଜାର ବିଟ୍ ଲାହିଆଠାରେ ଥିବା ଅଲ୍ ହାର୍ଥାନୀ ସ୍କୁଲ ଉପରେ ଇସ୍ରାଏଲ୍ ସେନା ଚଢଉ କରିଛି । ସ୍କୁଲ ପରିସରରୁ ହମାସ ଆତଙ୍କୀଙ୍କୁ ଘଉଡାଇବା ପାଇଁ ଆଣ୍ଟି ଟ୍ୟାଙ୍କ ମିଜାଇଲ୍ ବ୍ୟବହାର କରିଥିବା ଇସ୍ରାଏଲ ପକ୍ଷରୁ ସୂଚନା ଦିଆଯାଇଛି । ନିକଟରେ ଥିବା ଏକ ଇଣ୍ଡୋନେସିଓ ହସ୍ପିଟାଲ ପରିସରରୁ ଇସ୍ରାଏଲ ସେନା ଏହି କ୍ଷେପଣାସ୍ତ୍ର ମାଡ କରିଥିଲା । ବିଟ୍ ଲାହିଆ ଏବଂ ଜବାଲିଆ ଉପରେ ଇସ୍ରାଏଲର କ୍ଷେପଣାସ୍ତ୍ର ମାଡକୁ ହମାସ ନିନ୍ଦା କରିବା ସହ ଉତ୍ତର ଗାଜାରେ ପରିସ୍ଥିତି ସ୍ବାଭାବିକ କରି ଗଣହତ୍ୟା ବନ୍ଦ କରିବାକୁ ଦାବି କରିଛି । ସମଗ୍ର ଗାଜାରେ ଭୟଙ୍କର ଖାଦ୍ୟାଭାବ ଲାଗିରହିଛି । ଜନସାଧାରଣ ଭୋକ ଉପାସରେ ଆଉଟୁପାଉଟୁ ହେଉଛନ୍ତି । ଇସ୍ରାଏଲ-ହିଜବୁଲ୍ଲା ଅସ୍ତ୍ରବିରତିକୁ ସବୁଆଡୁ ଉଚ୍ଚପ୍ରଶଂସା କରାଯାଉଥିବାବେଳେ ହମାସ ଯେଭଳି କୌଣସି ଆତଙ୍କୀ କାର୍ଯ୍ୟକଳାପ ଚଳାଇନରଖେ ସେଥିପ୍ରତି ତୀକ୍ଷ୍ମ ଦୃଷ୍ଟି ରଖାଯାଇଛି ବୋଲି ଇସ୍ରାଏଲ୍ ସୂଚନା ଦେଇଛି ।