Bharatpurs

ଭରତପୁର ଥାନା ମାମଲା: ଉଭୟ ପକ୍ଷଙ୍କୁ ପଚରାଉଚରା କଲେ ତଦନ୍ତ କମିସନ

State

ଭୁବନେଶ୍ବର: ଭରତପୁର ଥାନାରେ ମେଜର ଓ ତାଙ୍କର ବାନ୍ଧବୀଙ୍କୁ ପୁଲିସର ଦୁର୍ବ୍ୟବହାର ଓ ନିର୍ଯାତନା ଅଭିଯୋଗର ତଦନ୍ତ ଜାରି ରହିଛି। ଆଜି ଏହି ଘଟଣାରେ ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିସନ ତଦନ୍ତ କରିଛନ୍ତି। କମିସନ ନିଜେ ଆଜି ସ୍ପଟ୍‌ ଭିଜିଟ୍‌ କରିଛନ୍ତି। ଏହି ଅବସରର ସେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ଅନ୍ୟ ୪ ଜଣ ପୁଲିସ କର୍ମଚାରୀଙ୍କୁ ପଚରାଉଚରା କରିଛନ୍ତି। ପୂର୍ବରୁ କମିସନଙ୍କ ନିକଟରେ ମେଜର ଓ ବାନ୍ଧବୀ ନିଜର ପକ୍ଷ ରଖିସାରିଛନ୍ତି।

ଏହି ଘଟଣାର ତଦନ୍ତ ଜାନୁଆରି ୧୫ରୁ ୨୦ ଭିତରେ ଶେଷ ହେବ। ଜାନୁଆରି ୧୫ରୁ ୨୦ ତାରିଖ ଭିତରେ ତଦନ୍ତ କମିସନ ରାଜ୍ୟସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ। ଆସନ୍ତା ୨୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଭରତପୁର ଥାନା ଘଟଣାରେ କମିଶନଙ୍କ ସ୍ପଟ୍ ଭିଜିଟ୍ ହୋଇଛି। ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିସନ ଆଜି ଉଭୟ ପକ୍ଷ ଓ ପ୍ରତିପକ୍ଷଙ୍କ ବୟାନ ନେଇଛନ୍ତି। ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କ ଉପସ୍ଥିତିରେ ଉଭୟ ପକ୍ଷ ନିଜନିଜ ବୟାନ ରଖିଛନ୍ତି। ସେଦିନ ଯେଉଁ ଘଟଣା ଘଟିଥିଲା ଓ ଘଟଣା ନେଇ ଉଭୟ ପକ୍ଷ କମିସନଙ୍କ ନିକଟରେ ଯେଉଁ ସତ୍ୟପାଠ ଦାଖଲ କରିଥିଲେ ସେ ସମ୍ପର୍କରେ ଉଭୟ ପକ୍ଷଙ୍କ ସହ ଆଲୋଚନା କରିଛନ୍ତି କମିସନ। ସେଦିନ ରାତି ଥାନା ଭିତରେ କେଉଁ ଜାଗାରେ କ’ଣ ଘଟିଥିଲା ସେନେଇ ଉଭୟ ପକ୍ଷ ସିନ୍ ରିକ୍ରିଏଟ କରି ଜଷ୍ଟିସ ଦାସଙ୍କୁ ଦେଖାଇବା ସହ ଘଟଣା ସମ୍ପର୍କରେ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ, ଭରତପୁର ଥାନା ମାମଲାରେ ସରକାର ନୂଆ ପଦକ୍ଷେପ ନେଇଛନ୍ତି। ସେନା ସୁରକ୍ଷା ଅଧିକାରୀଙ୍କ ପାଇଁ ଥାନାରେ କିଭଳି ବ୍ୟବହାର ରହିବ ସେ ନେଇ ରାଜ୍ୟ ସରକାର ଜାରି କରିଛନ୍ତି ସ୍ୱତନ୍ତ୍ର ଏସ୍ ଓ ପି। ଏନେଇ ଆଡଭକେଟ୍ ଜେନେରାଲ କୋର୍ଟଙ୍କୁ ଜଣାଇଛନ୍ତି। ଏହାର ଏକ କପି ହାଇକୋର୍ଟ ଓ ଆମିକସ୍ କ୍ୟୁରୀଙ୍କୁ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଭରତପୁର ଥାନା ଘଟଣାରେ ହୋଇଥିବା ସମସ୍ତ ମାମଲାର ତଦନ୍ତ ଜାରି ରହିଥିବା ନେଇ କୋର୍ଟଙ୍କୁ ଜଣାଇଛନ୍ତି ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ।