Bir

ରାଜ୍ୟସ୍ତରୀୟ ବିର୍ସାମୁଣ୍ଡାଙ୍କ ଜୟନ୍ତୀ ଏବଂ ଜନଜାତୀୟ ଗୌରବ ଦିବସ ପାଳିତ

State

ଭୁବନେଶ୍ୱର: ଆଜି ଜନତା ମୈଦାନରେ ରାଜ୍ୟସ୍ତରୀୟ ବିର୍ସାମୁଣ୍ଡାଙ୍କ ଜୟନ୍ତୀ ଏବଂ ଜନଜାତୀୟ ଗୌରବ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ ବିର୍ସା ମୁଣ୍ଡା ଆମ ସ୍ବାଧୀନତା ସଂଗ୍ରାମର ଏକ ଅନନ୍ୟ ଯୋଦ୍ଧା । ବିର୍ସା ମୁଣ୍ଡାଙ୍କ ସଂଗ୍ରାମର କାହାଣୀ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି ଓ ରହିବ ବୋଲି ସେ କହିଥିଲେ । ଆଦିବାସୀ ମାନଙ୍କ ଉନ୍ନତି ପାଇଁ ତାଙ୍କ ଅବଦାନକୁ ଦେଶ ଓ ଜାତି କେବେ ଭୁଲିବ ନାହିଁ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ ଜନଜାତିଙ୍କ ଉନ୍ନତି ଓ କଲ୍ୟାଣ ପାଇଁ ୧୫୩୫ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି। ଏଥିରେ ୧୬ଟି ଆଶ୍ରମ ସ୍କୁଲକୁ ହାଇସ୍କୁଲକୁ ଉନ୍ନୀତ କରାଯିବ। ପ୍ରତ୍ୟେକ ସ୍କୁଲ ପିଛା ୧୫କୋଟି ଟଙ୍କା ଭାବରେ ସମୁଦାୟ ୨୪୦ କୋଟି ଟଙ୍କା ବିନିଯୋଗ କରାଯିବ। ସେହିପରି ୧୩ଟି ମାଧ୍ୟମିକ ବିଦ୍ୟାଳୟକୁ ମଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିଣତ କରାଯିବ। ଏଥିପାଇଁ ପ୍ରତ୍ୟେକ ସ୍କୁଲ ପିଛା ୨୨ କୋଟି ଟଙ୍କା ହିସାବରେ ୨୮୬ କୋଟି ଟଙ୍କା ବିନିଯୋଗ ହେବ। ୪୨୬ଟି ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲ ନିର୍ମାଣ ପାଇଁ ୮୫୨ କୋଟି ଟଙ୍କା ଖର୍ଚ୍ଚ କରାଯିବ ।

ସେହିପରି ଭୁବନେଶ୍ବରର ଗୋଠପାଟଣା ଠାରେ ଜନଜାତି ସଂସ୍କୃତି ଓ ଐତିହ୍ୟ ଭବନ ନିର୍ମାଣ ପାଇଁ ୧୦୦ କୋଟି ଟଙ୍କା ବିନିଯୋଗ କରାଯିବ। ଗୋଠପାଟଣା ଠାରେ ଜନଜାତି ଭାଷା ପ୍ରତିଷ୍ଠାନ ନିର୍ମାଣ ପାଇଁ ୫୦ କୋଟି ଟଙ୍କା ଓ ଜନଜାତି ଅସ୍ମିତା ଭବନ ନିର୍ମାଣ ପାଇଁ ୪ କୋଟି ଟଙ୍କା ବିନିଯୋଗ କରାଯିବ। ସେହିପରି ୫ଟି ବହୁମୁଖୀ କେନ୍ଦ୍ର ନିର୍ମାଣ ପାଇଁ ମଧ୍ୟ ୩ କୋଟି ଟଙ୍କା ବିନିଯୋଗ କରାଯିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜଙ୍ଗଲ ଜମି ଅଧିକାର ଆଇନ୍ ବଳରେ ରାଜ୍ୟର ୮ଟି ବିଶେଷ ଅନୁନ୍ନତ ଜନଜାତି ବା ପିଭିଟିଜି ବର୍ଗଙ୍କୁ ବସବାସର ଅଧିକାର ବା ହାବିଟାଟ ରାଇଟସ ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଦିବାସୀ ମାନଙ୍କ ସାମଗ୍ରିକ ବିକାଶ ଉପରେ ଆମ ସରକାର ଗୁରୁତ୍ବ ଦେଉଛନ୍ତି । ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ଡ୍ରପ୍ ଆଉଟ୍ ହାର ରୋକିବା ପାଇଁ ଆମ ସରକାର ‘ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନା’ ପ୍ରଣୟନ କରିବାକୁ ଯାଉଛନ୍ତି । ଏହା ସହିତ ଆଦିବାସୀ ଅଞ୍ଚଳରେ ପିଲାଙ୍କ ପାଇଁ ହଷ୍ଟେଲ ନିର୍ମାଣ, ସିଡୁଲ୍ ଅଞ୍ଚଳରେ ପେସା ଆଇନ କାର୍ଯ୍ୟକାରୀ କରିବା, ଗ୍ରାମ ସଭା ଗୁଡ଼ିକୁ ସକ୍ରିୟ କରିବା ପାଇଁ ମଧ୍ୟ ଆମ ସରକାର ପଦକ୍ଷେପ ନେଉଛି ।