Img 20241115 Wa0275

ମୟୂରଭଞ୍ଜରେ ପାଳିତ ହେଲା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ତଥା ଜିଲ୍ଲା ସ୍ତରୀୟ ଜନଜାତିୟ ଗୌରବ ଦିବସ

State

ବାରିପଦା: ଇତିହାସର କାଳଖଣ୍ଡରେ ମାତୃଭୂମିର କୋଳମଣ୍ଡନ କରିଥିବା ମହାନାୟକ ଧର୍ତି ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମବାର୍ଷିକୀର ଅବସରରେ ସମଗ୍ର ଦେଶରେ ଜନଜାତିୟ ଗୌରବ ଦିବସ ପାଳିତ ହୋଇଯାଇଛି ଏବଂ ଏହି ସ୍ୱତନ୍ତ୍ର ଦିବସ ପାଳନ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିହାରର ଜାମୁଇ ଗସ୍ତ କରି ସମଗ୍ର ଦେଶବାସୀଙ୍କ ସହିତ ଆଭାସୀ ମାଧ୍ୟମରେ ଏହି ଦିବସକୁ ପାଳନ କରିବା ସହିତ ବିଭିନ୍ନ ଆଦିବାସୀ ଉନ୍ନୟନ ପ୍ରକଳ୍ପର ଶୁଭ ଶିଳାନ୍ୟାସ କରିଛନ୍ତି।

ଏହି ପରିପ୍ରେକ୍ଷୀରେ, ଓଡ଼ିଶା ସରକାରଙ୍କର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଅନୁକୁଲ୍ୟରେ ମୟୂରଭଞ୍ଜରେ ଜିଲ୍ଲା ସ୍ତରୀୟ ଧର୍ତି ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମବାର୍ଷିକୀ, ବାରିପଦା ସ୍ଥିତ ଛଉ ପଡିଆ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ, ମନ୍ତ୍ରୀ, ଗୃହ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ, ଓଡ଼ିଶା ସରକାର ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର ଏହି ସମାରୋହର ଉଦ୍ଘାଟନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ବିଧାୟକ, ସାରସକଣା ଶ୍ରୀ ଭାଦବ ଚନ୍ଦ୍ର ହାଁସଦା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା, ଉଦଳା ବିଜ୍ଞାପିତ ଅଂଚଳ ପରିଷଦ, ନଗରପାଳିକା ଶ୍ରୀମତୀ ପ୍ରମିଳା ପଣ୍ଡା ଯୋଗ ଦେଇଥିଲେ। ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ଭଗବାନ ବିର୍ସା ମୁଣ୍ଡାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ସମ୍ମିଳିତ ଭାବେ, ଆଭାସୀ ମାଧ୍ୟମରେ ବିହାରରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିଥିଲେ।

ନିଜ ଅବିଭାଷଣରେ ମନ୍ତ୍ରୀ ଡଃ ମହାପାତ୍ର କହିଥିଲେଯେ ଭଗବାନ ବିର୍ସା ମୁଣ୍ଡାଙ୍କ ବଳିଦାନର ଗାଥା ଭାରତର ଆଦିବାସୀ ସମ୍ପ୍ରଦାୟର ମହାନ ବିପ୍ଳବୀମାନଙ୍କ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ। ଆଦିବାସୀମାନଙ୍କ ସଂଘର୍ଷ ସୂଚାଏ ଯେ ଏ ମାଟିର ଏପରି ଏକ ସ୍ୱତନ୍ତ୍ର ପରମ୍ପରା ରହିଛି, ଯେଉଁଠାରେ କୌଣସି ସମାଜ ବା ସମ୍ପ୍ରଦାୟ ମୁଖ୍ୟସ୍ରୋତ ଠାରୁ ପୃଥକ୍ ନୁହନ୍ତି। ଅଧୁନା ଅନୁସୂଚିତ ଜନଜାତି ବର୍ଗ ଅନ୍ତର୍ଭୁକ୍ତ ବନବାସୀଗଣ ସର୍ବଦା ଭାରତୀୟ ସମୂହର ଅଂଶ ହୋଇ ରହିଆସିଛନ୍ତି।

“ଦିନ ଥିଲା, ଭଗବାନ ବିର୍ସା ମୁଣ୍ଡା ଓ ଅନ୍ୟ ବିପ୍ଳବୀଗଣ ଆମ ଇତିହାସର ‘ଅନାଲୋଚିତ ନାୟକ’ ଭାବେ ପରିଗଣିତ ହେଉଥିଲେ। କିନ୍ତୁ ସାମ୍ପ୍ରତିକ ସମୟରେ ସେମାନଙ୍କ ପରାକ୍ରମ ଓ ବଳିଦାନ ଅଧିକରୁ ଅଧିକ ପ୍ରଶଂସିତ ହେଉଛି। ଆଦିବାସୀ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଅବଦାନକୁ ସ୍ମରଣ କରିବା ପାଇଁ ୨୦୨୧ ମସିହାରେ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ନଭେମ୍ବର ୧୫କୁ ‘ଜନଜାତୀୟ ଗୌରବ ଦିବସ’ ଭାବରେ ପାଳନ କରିବା ନିମନ୍ତେ ସରକାର ନିଷ୍ପତ୍ତି ଗ୍ରହଣ କରିବା ଦ୍ୱାରା ଆମର ଇତିହାସ-ମନସ୍କତା ପୂର୍ବାପେକ୍ଷା ବୃଦ୍ଧି ପାଇଛି। ଭଗବାନ ବିର୍ସା ମୁଣ୍ଡାଙ୍କ ଅବଦାନ ପ୍ରତି ସମ୍ମାନ ପ୍ରଦର୍ଶନ ଦ୍ୱାରା ସ୍ୱଳ୍ପାଲୋଚିତ ଆଦିବାସୀ ଇତିହାସ ଭାରତ ଇତିହାସର କେନ୍ଦ୍ରବିନ୍ଦୁ ପାଲଟିଛି। ଭାରତର ସର୍ବୋଚ୍ଚ ଶାସନ ପଦବୀରେ ମହାମହିମ ରାଷ୍ଟ୍ରପତି ମଧ୍ୟ ଜଣେ ଆଦିବାସୀ ଏବଂ ଆଜି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ଜଣେ ଆଦିବାସୀ। ମୋର ବିଶ୍ୱାସ, ଆଦିବାସୀ ବର୍ଗର ସର୍ବାଙ୍ଗୀନ ଉନ୍ନତି କଳ୍ପେ ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରିବା ହିଁ ଭଗବାନ ବିର୍ସା ମୁଣ୍ଡା ଓ ଅନ୍ୟ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଗଣଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ।,” ନିଜ ବକ୍ତବ୍ୟରେ ମାନ୍ୟବର ମନ୍ତ୍ରୀ ଡଃ ମହାପାତ୍ର କହିଥିଲେ।

ଏହି ପରିପ୍ରେକ୍ଷୀରେ, ଜିଲ୍ଲାର ଆଦିବାସୀ ବର୍ଗର ୧୧ ଜଣ ସଫଳ ବ୍ୟକ୍ତିବିଶେଷ ଯଥା ମୁଣ୍ଡାରୀ ଲେଖକ ବୁଦ୍ଧିଆ ସିଂ, ରଗବି ଖେଳାଳି ନରସିଂହ ମାର୍ଣ୍ଡି, ମୁଣ୍ଡାରୀ କବି, ଭାନୁମତୀ ସିଂ, ଟିକିଲିମଣି ସୋରେନ (ସିଭିଲ ସର୍ଭିସ), ବୀରମଲ ସିଂ (ଅଧ୍ୟାପକ), ବାଜିନାଥ ହେମ୍ବ୍ରମ (ଫୁଟବଲ ଖେଳାଳି), ଡଃ ମିନା ହେମ୍ବ୍ରମ (ମେଡିକାଲ ଅଫିସର), ଡଃ ପୂର୍ଣଚନ୍ଦ୍ର (ମେଡିକାଲ ଅଫିସର), ଡଃ ରୁବି ହେମ୍ବ୍ରମ (ମେଡିକାଲ ଅଫିସର), ବିକାଶ ବେଶରା (ସିଭିଲ ସର୍ଭିସ), ଶୁଭଶ୍ରୀ ନାଏକ (ସିଭିଲ ସର୍ଭିସ) ମାନଙ୍କୁ ଜିଲ୍ଲା ଜନଜାତି ଦିବସ ସମ୍ମାନ ପ୍ରଦାନ କରାଯାଇଥିଲା। ଏଥିସହିତ ୧୧ ଜଣ ପିଭିଟିଜି ସୋରିଷ ଚାଷୀଙ୍କୁ ଏଫ.ଆର.ଏ ପଟ୍ଟା ବଣ୍ଟନ କରାଯିବା ସହିତ ସେମାନଙ୍କ ଉନ୍ନତ ଚାଷ ପଦ୍ଧତି ପାଇଁ ସମ୍ମାନିତ ମଧ୍ୟ କରାଯାଇଥିଲା। ଏହା ସହ ୫ ଜଣ ହିତାଧିକାରୀଙ୍କୁ ପିଏମ-ଜନମନ ଗ୍ରାମୀଣ ଗୃହ ଯୋଜନାରେ ୨୦,୦୦୦ ତାଙ୍କ ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।

ସୂଚନା ଥାଉକି, ପୂର୍ବାହ୍ନ ପ୍ରାୟ ୧୧ଟାରେ, ବିହାରର ଜାମୁଇ ଠାରେ ପ୍ରଧାନମନ୍ତ୍ରୀ, ଭଗବାନ ବିର୍ସା ମୁଣ୍ଡାଙ୍କ ସମ୍ମାନରେ ଏକ ସ୍ମାରକୀ ମୁଦ୍ରା ଏବଂ ଡାକ ଟିକଟ ଉନ୍ମୋଚନ କରିଥିଲେ ଏବଂ ଏହି ଅଞ୍ଚଳର ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ଆଦିବାସୀ ସଂପ୍ରଦାୟର ଉନ୍ନତି ଏବଂ ଭିତ୍ତିଭୂମିରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ୬,୬୪୦ କୋଟି ରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ।

ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ (ପିଏମ-ଜନମନ) ଅଧୀନରେ ନିର୍ମିତ ୧୧,୦୦୦ ଆବାସର ଗୃହ ପ୍ରବେଶରେ ପ୍ରଧାନମନ୍ତ୍ରୀ ଅଂଶଗ୍ରହଣ କରିବା ସହିତ ପ୍ରଧାନମନ୍ତ୍ରୀ-ଜନମନ ଅଧୀନରେ ଆରମ୍ଭ ହୋଇଥିବା ୨୩ ଟି ଭ୍ରାମ୍ୟମାଣ ମେଡିକାଲ ୟୁନିଟ୍ (ଏମଏମୟୁ) ଏବଂ ଆଦିବାସୀ ଅଂଚଳରେ ସ୍ୱାସ୍ଥ୍ୟସେବାର ସୁବିଧା ବୃଦ୍ଧି ପାଇଁ ଧର୍ତି ଆବା ଜନଜାତିୟ ଗ୍ରାମ ଉତ୍କର୍ଷ ଅଭିଯାନ (ଡିଏଜିଜିୟୁଏ) ଅଧୀନରେ ଅତିରିକ୍ତ ୩୦ ଏମଏମୟୁକୁ ଉଦଘାଟନ କରିଥିଲେ। ଆଦିବାସୀ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ଏବଂ ଜୀବିକା ସୃଷ୍ଟିରେ ସହାୟକ ହେବା ପାଇଁ ପ୍ରଧାନମନ୍ତ୍ରୀ ୩୦୦ ଟି ବନ ଧନ ବିକାଶ କେନ୍ଦ୍ର (ଭିଡିଭିକେ) ଏବଂ ଆଦିବାସୀ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସମର୍ପିତ ପ୍ରାୟ ୪୫୦ କୋଟି ଟଙ୍କା ମୂଲ୍ୟର ୧୦ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଉଦଘାଟନ କରିଥିଲେ ଏବଂ ମଧ୍ୟପ୍ରଦେଶର ଛିନ୍ଦୱାଡା ଏବଂ ଜବଲପୁରରେ ଦୁଇଟି ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ଏବଂ ଜମ୍ମୁ ଓ କଶ୍ମୀର ତଥା ସିକ୍କିମର ଗାଙ୍ଗଟକରେ ଦୁଇଟି ଆଦିବାସୀ ଗବେଷଣା ପ୍ରତିଷ୍ଠାନକୁ ଉଦଘାଟନ କରିଥିଲେ।

ଉକ୍ତ ସଭାରେ, ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୌଲତ ଚନ୍ଦ୍ରକାର, ବାରିପଦା ଉପଜିଲ୍ଲାପାଳ ଶ୍ରୀ ଈଶ୍ବର ଚନ୍ଦ୍ର ନାୟକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଶାନ୍ତନୁ କୁମାର ନାୟକ, ବାରିପଦା ପୌରପାଳିକା ନିର୍ବାହୀ ଅଧକାରିଣୀ ଡଃ ମଧୁସ୍ମିତା ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପାଳନୀୟ ଦିବସ ବ୍ୟାପି କାର୍ଯ୍ୟକ୍ରମକୁ ପ୍ରକଳ୍ପ ପ୍ରଶାସକ, ଏଇ.ଟି.ଡ଼ି.ଏ, ଶ୍ରୀ ପ୍ରଣୟ କୁମାର ବେହେରା ସଂଯୋଜନା କରିଥିବା ବେଳେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରିଣୀ ସୁଶ୍ରୀ ସ୍ମୃତିଲିପି ସାହୁ ସଂଚାଳନ ତଥା ଧନ୍ୟବାଦ ଅର୍ପଣ କରିଥିଲେ।