- ଶିଶୁ ଉଦ୍ୟାନରେ ଚାଲିବ ସୃଜନଶୀଳତା ଓ ବ୍ୟକ୍ତିତ୍ୱ ବିକାଶର ମହାପର୍ବ
- ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ପ୍ରଖ୍ୟାତ ଅଭିନେତ୍ରୀ ନନ୍ଦିତା ଦାସ
- ତିନିଦିନ ଧରି ନାମୀ ଦାମୀ କଳାକାର ଓ ଶିଳ୍ପୀଙ୍କୁ ଭେଟିବେ ପ୍ରତିଯୋଗୀ
ବାରିପଦା : ସ୍ଥାନୀୟ ଶିଶୁ ଉଦ୍ୟାନ ପରିସରରେ ଆଜି ଠୁ ଆରମ୍ଭ ହେବାକୁ ଯାଉଛି ତିନିଦିନିଆ ସଂସ୍କାର ଶିଶୁ ମହୋତ୍ସବ ମୟୂରୀ । କୁନିକୁନି ପିଲାଙ୍କ ସୃଜନଶୀଳତା ଓ ବ୍ୟକ୍ତିତ୍ୱ ବିକାଶ ପାଇଁ ଆୟୋଜିତ ଏହି ମହୋତ୍ସବ ସକାଳ ୮ଟାରୁ ଆରମ୍ଭ ହେବ । ପ୍ରଥମେ ଶ୍ରୀ ହନୁମାନ ଚାଳିଶା ସମୂହପାଠ ପରେ ପରେ କୁନି କୁନି ପିଲାମାନଙ୍କ ଭିତରେ ସଂସ୍କୃୃତି, ପରଂପରା ଓ ଆଧ୍ୟାତ୍ମିକ ଚେତନାର ସହିତ ବ୍ୟକ୍ତିତ୍ୱ ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହେଉଥିବା ବେଳେ ଦିନ ସାଢେ ୧୧ଟାରେ ଏହି ମହୋତ୍ସବକୁ ପ୍ରଖ୍ୟାତ ବଲିଉଡ ଅଭିନେତ୍ରୀ ନନ୍ଦିତା ଦାସ ମୁଖ୍ୟ ଅତିଥି ଭାବେଯୋଗ ଦେଇ ଶୁଭଉଦ୍ଘାଟନ କରିବେ । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟବକ୍ତା ଭାବେ ପଦ୍ମଶ୍ରୀ ଡଃ ଦମୟନ୍ତୀ ବେଶ୍ରା ଯୋଗ ଦେବାକୁ ସ୍ୱୀକୃତୀ ଦେଇଥିବା ବେଳେ ମୟୂରଭଂଜ ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଟୁପାଲ୍ଲି ସମ୍ମାନିତ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସଂସ୍କାର ଶିଶୁ ମହୋତ୍ସବ ‘ମୟୂରୀ’ର ପ୍ରାଣ ପ୍ରତିଷ୍ଠାତା ତଥା ସାମ୍ବାଦିକ ସଂଜୟ କୁମାର ଚୌଧୁରୀଙ୍କ ସଂଚାଳନାରେ ଅନୁଷ୍ଠିତ ହେବାକୁ ଥିବା କାଯ୍ୟକ୍ରମରେ ମହୋତ୍ସବର ଅଧ୍ୟକ୍ଷ ତଥା ବାରିପଦା ପୌରାଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି ଅଧ୍ୟକ୍ଷତା କରିବେ । ଆଜିଠୁ ତିନିଦିନ ଧରି ଏହି ମହୋତ୍ସବରେ ପ୍ରତିଦିନ ଶିଶୁ ଉଦ୍ୟାନ ସ୍ଥିତ ଐତିହାସିକ ବ୍ୟାଣ୍ଡ ଷ୍ଟାଣ୍ଡ ଠାରେ ଆୟୋଜିତ ଏହି ମହୋତ୍ସବରେ ପିଲାମାନେ ଖେଳ,କୁଦ ମଜା ମସ୍ତି ସହିତ ନାଚିବେ, ଗାଇବେ, ଚିତ୍ର ଆଙ୍କିବେ, ଝୋଟି ଓ ରଙ୍ଗୋଲିରେ ନିଜନିଜର ସୃଜନ ଶୀଳତା ଦେଖାଇବା ସହିତ ଭିନ୍ନ ଭିନ୍ନ ପ୍ରତିଯୋଗିତାରେ ଭାଗନେଇ ତାଙ୍କର ପ୍ରତିଭାର ପରିଚୟ ଦେବେ । ଏଥି ସହିତ ସଂସ୍କାର ଧର୍ମୀ ଆଲୋଚନା ଓ କର୍ମଶାଳାରେ ଭାଗନେଇ ନିଜ ନିଜର ବ୍ୟକ୍ତିତ୍ୱର ବିକାଶ କରିବେ । ଚଳିତ ବର୍ଷ ଏହି ମହୋତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସେଲଫି ଷ୍ଟାଣ୍ଡ ସହିତ ପିଲାଙ୍କ ମନୋରଂଜନ ପାଇଁ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି । ଦ୍ୱିତୀୟ ଦିବସରେ ଉତ୍ତର ପ୍ରଦେଶ ନୋଏଡା ସ୍ଥିତ ଚିନ୍ମୟ ମିଶନର ଆଚାର୍ଯ୍ୟ ମାନ୍ୟବର ସ୍ୱାମୀ ଚିଦ୍ରୁପାନନ୍ଦ ମହାରାଜ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପିଲା ଓ ଅଭିଭାବଙ୍କୁ ଆର୍ଶୀବଚନ ପ୍ରଦାନ କରିବେ । ସେପଟେ ଦ୍ୱିତୀୟ ସୋପାନରେ ଅପରାହ୍ନରେ ମାନ୍ୟବର ଜିଲ୍ଲା ଓ ଦୌରାଜଜ ଅରବିନ୍ଦ ପଟ୍ଟନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ତୃତୀୟ ତଥା ଉଦଯାପନୀ ଦିବସରେ ମୟୂରଭଂଜ ଜିଲ୍ଲାପାଳ ହେମକାନ୍ତ ସାଏ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଶିଶୁମାନଙ୍କର ଏହି ମଜାମସ୍ତି ଭରା ମହୋତ୍ସବରେ ତିନିଦିନ ଧରି ଯେଉଁ ଶିଶୁମାନଙ୍କର ଜନ୍ମଦିନ ରହିଛି ତାହା ଏହି ମହୋତ୍ସବ ମଞ୍ଚରେ ପାଳନ କରିବାକୁ ସ୍ଥିର ହୋଇଛି । ସେପଟେ ତିନିଦିନ ଧରି ବିଭିନ୍ନ ସୃଜନଶୀଳ ନାମୀଦାମୀ ପ୍ରତିଭା ତଥା କଳାକାରଙ୍କୁ ଶିଶୁମାନେ ଭେଟିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ବିଶିଷ୍ଟ ବାଲୁକାଶିଳ୍ପୀ ଦଶରଥ ମହାନ୍ତ ଆସି ଏଠାରେ ବାଲୁକାକଳା ପ୍ରଦର୍ଶନ କରିବା ପାଇଁ ସ୍ୱକୃତୀ ଦେଇଥିବା ବେଳେ ଯୁବଚିତ୍ର ଶିଳ୍ପୀ ସମରେନ୍ଦ୍ର ବେହେରା ଆସି ଶିଶୁଉଦ୍ୟାନ ପରିସରରରେ ଥିବା ଗଛ ଦେହରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଖୋଦେଇ ଓ ପତ୍ରରେ ମହାପୁରୁଷଙ୍କ ଚିତ୍ର ଆଙ୍କି ପିଲାଙ୍କୁ ଚିତ୍ରକଳା ବାବଦରେ ଆକୃଷ୍ଠ କରିବେ ବୋଲି ଶିଶୁମହୋତ୍ସବ କମିଟି ପକ୍ଷରୁ ସୂଚନା ଦିଆ ଯାଇଛି ।