ବାରିପଦା: କିଛିଦିନ ହେଲା ଵାମନଘାଟୀ ଉପଖଣ୍ଡରେ ଗୃହ ଚୋରୀ, ସରକାରୀ ସମ୍ପତ୍ତି ଡକାୟତି,ଗୋରୁ ,ଛେଳି ଚୋରୀ ଘଟଣା ବୃଦ୍ଧି ଯୋଗୁଁ ପୋଲିସର ନିଦ ହଜିବା ସହ ଜନସାଧାରଣଙ୍କ ଭୟଭୀତ ହୋଇପଡିଛନ୍ତି । ବିଶେଷତଃ ସରକାରୀ କର୍ମଚାରୀ ମାନେ ଛୁଟିରେ ଘରକୁ ଯାଉଥିବା ସମୟରେ ତାଙ୍କ ଘରେ ତାଲା ପଡ଼ିଥିବା ଦେଖି ଡକାୟତମାନେ ଚୋରୀ କରୁଛନ୍ତି ଯାହାକୁ ନେଇ ସରକାରୀ କର୍ମଚାରୀ ନିଜକୁ ଏବଂ ତାଙ୍କର ଧନ ସମ୍ପତ୍ତି ନେଇ ଅସୁରକ୍ଷିତ ମଣୁଛନ୍ତି ।ଚୋରୀ ଘଟଣାକୁ ନେଇ ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁଙ୍କ ନିର୍ଦ୍ଦେଶକ୍ରମେ ରାଇରଙ୍ଗପୁର ଟାଉନଥାନାଧିକାରୀ ସୁଚନ୍ଦ୍ର ମହାଳିକ ଘଟଣାକୁ ସହଜରେ ଗ୍ରହଣ କରି ନାହାନ୍ତି ।ପୋଲିସର ତା’ର ସ୍ଵତନ୍ତ୍ର ତଦନ୍ତ ଓ ବିଭିନ୍ନ ସ୍ଥାନରେ ଜାଲ ବିଛାଇବା ସହ ତଦନ୍ତକୁ ସଠିକ ରାସ୍ତାରେ ନେବାପାଇଁ ଜୋରଦାର ଚେଷ୍ଟା କରି ସଫଳତା ହାସଲ କରିଛି । ସୂଚନାଯୋଗ୍ଯ ଗତ ଅକ୍ଟୋବର ମାସ ୧୮ ତାରିଖ ରାତିରେ ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ କଣ୍ଟାବଣି ଗ୍ରାମର ନିଛାଟିଆ ଜାଗାରେ ଥିବା ଟିପିଏନଓଡିଏଲ ର ଗ୍ରୀଡ କାର୍ଯ୍ୟାଳୟ ପରିସରରୁ ଦୁଇଟି କପର ଟ୍ରାନସ୍ଫର୍ମର ୨୫ KVA ଏବଂ ୧୬ KVA ଚୋରୀ ହୋଇଥିଲା । ଏହାକୁ ନେଇ ଟିପିଏନଓଡିଏଲ କର୍ମଚାରୀ ଅମରେଶ ପ୍ରସାଦ ତ୍ରୀପାଠୀ ୧୯ ତାରିଖ ଦିନ ରାଇରଙ୍ଗପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ପୋଲିସ ୩୦୧/୨୪ ମାମଲା ରୁଜୁ କରି ତଦନ୍ତକୁ ଜୋରଦାର କରିଥିଲା ।
ସେହିଭଳି ନିକଟରେ ରାଇରଙ୍ଗପୁର ଗୋଶାଳା ମଧ୍ୟରୁ ଗେଟ୍ କାଟି ଗୁହାଳ ଘରୁ କିଛି ବହୁମୂଲ୍ୟ ଦୁଧିଆଳୀ ଗାଈ ଚୋରୀ ହୋଇଥିଲା । ଏହାକୁ ନେଇ ମଧ୍ୟ ଥାନାରେ ଗୋଶାଳା କତୃପକ୍ଷ ଲିଖିତ ଅଭିଯୋଗ କରିଥିଲେ ।ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା । ରାଇରଙ୍ଗପୁର ପୋଲିସ ତଦନ୍ତକୁ ଜୋରଦାର କରି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କୁସୁମି ବ୍ଳକର କେନ୍ଦ୍ରେଇ ଗ୍ରାମର ଗଙ୍ଗାଧର ଦଳେଇଙ୍କ ପୁତ୍ର ନଚିକେତ ଦଳେଇ(୨୪), ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ଠାକୁରାଣୀ ବେଢ଼ା ଗ୍ରାମର ଅମିର ହୁସେନ ଙ୍କ ପୁଅ କନ୍ଦ/ସେକ୍ ସଵୁଦ୍ଦିନ(୨୧) ଏବଂ ଭାଲୁଵସା ଗ୍ରାମର ସେକ୍ ମୁକ୍ତାର ଙ୍କ ପୁଅ ସେକ୍ ସାରୁଖ(୨୭)ଙ୍କୁ ଅଟକ ରଖି ଜେରା କରିବା ସମୟରେ ସେମାନେ ଚୋରୀ କରିଥିବା ସ୍ବିକାର କରିଥିବାବେଳେ ଘଟଣାରେ ସଂପୃକ୍ତ ଆଉ କେତେ ଜଣ ଫେରାର ଅଛନ୍ତି ଵୋଲି ସୂଚନା ଦେଇଛନ୍ତି ।ପୋଲିସ ସେମାନଙ୍କ ଠାରୁ ୧୦୯ ଟି ବିଭିନ୍ନ ଗାଡ଼ିର ଯନ୍ତ୍ରପାତି,ଗୋଟାଏ ବଡ଼ ଲୁହା କଟର,୨ ଟି ସାଉଣ୍ଡ ବକ୍ସ,୧ ଟି ଏଚପି ପ୍ରିଣ୍ଟର,୫୦ କେଜି ଓଜନ ମାପ ମେସିନ,୪ ପେଟି ରିଫାଇନ ତେଲ,୮ ଟି ବିଭିନ୍ନ ସାଇଜର ତେଲ ଡ୍ରମ, ବିଭିନ୍ନ କଂପାନୀ ର ୮ ଟି ଟାୟାର,୨ ଟି ମାରୁତି ଏମ୍ ପ୍ରେସୋ କାର୍ ODO2CS6842,ODO1Y1188 , ୧ ଟି ବୋଲେରୋ କାର OR02R0781, ଏବଂ ୨ ଟି ସ୍ମାର୍ଟ ଫୋନ ଜବତ କରାଯାଇଛି । ସେହି ଦୁର୍ଦାନ୍ତ ଡ଼କାୟତ ଦଳ କେନ୍ଦୁଝର ଜିଲ୍ଲାର ଘଟଗାଁରେ ଏକ ଗୋଦାମଘରୁ ରିଫାଇନ ତେଲ ଚୋରୀ କରିଥିବା ସ୍ଵିକାର କରିଛନ୍ତି । ସେହିଭଳି ଠାକୁରାଣୀ ବେଢ଼ାର ଦୁର୍ଦାନ୍ତ ଡକାୟତ ସେକ୍ ସଵଦ୍ଦିନ ( କନ୍ଦ) ନିଜର ସହଯୋଗୀଙ୍କ ସହ ବାଲେଶ୍ଵର ର ନୀଳଗିରି ଅଞ୍ଚଳରୁ ବୋଲେରୋ ଚୋରୀ କରିବା ଘଟଣା ସ୍ବିକାର କରିଛି ।୧୫ ଦିନ ମଧ୍ୟରେ ରାଇରଙ୍ଗପୁର ପୋଲିସ ଛାନଭିନ କରି ସଫଳତା ପାଇବା ସହ ଘଟଣାର ସଂପୃକ୍ତ ଅନ୍ୟମାନଙ୍କୁ ଖୁବ ଶିଘ୍ର ବାନ୍ଧିବ ବୋଲି ଜଣାପଡିଛି ।
ସେହିଭଳି ଅକ୍ଟୋବର ମାସ ୩ ତାରିଖ ରାତିରେ ଆରସିଏମ ଗୋଦାମ ଘର ସନ୍ନିକଟ ସରକାରୀ କର୍ମଚାରୀ ଗିରିଜା ଶଙ୍କର ମହାନ୍ତ ଘରେ ନ ଥିବାବେଳେ ତାଙ୍କ ଘର ଗେଟ୍ ଓ କବାଟ ଭାଙ୍ଗି ତାଙ୍କର ୫୫” ଏସେର ଏଲଇଡି ଟିଭି ଏବଂ ଅନ୍ୟ ସାମଗ୍ରୀ ଏବଂ ଅନ୍ୟ ଦୁଇଜଣ ସରକାରୀ କର୍ମଚାରୀ ଘରେ ନ ଥିବାବେଳେ କବାଟ ତାଲା କାଟି ୪୩” ଇନଫିକ୍ସ ଏଲଇଡି ସ୍ମାର୍ଟ ଟିଭି ଏବଂ କଳା ରଙ୍ଗର ଗ୍ରାଉଣ୍ଡର ଚୋରୀ ହୋଇଥିବା ଥାନାରେ ଗିରିଜା ଶଙ୍କର ମହାନ୍ତ ଲିଖିତ ଅଭିଯୋଗ କରିଥିବା ବେଳେ କେଶ ୨୯୩/୨୪ ରୁଜୁ ହୋଇଥିଲା ।ପୋଲିସ ତଦନ୍ତ କରି ରାଇରଙ୍ଗପୁର ପୌରାଞ୍ଚଳ ର ୩ ନମ୍ବର ଓ୍ବାର୍ଡ ମନ୍ଦିର ସାହିର ସ୍ବର୍ଗତ କୁନା ସାହୁଙ୍କ ପୁଅ କୁନୁ ସାହୁ(୨୦) ଏବଂ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡାମକୁରାଡି ଗ୍ରାମର ସେକ୍ ନୁସାଦଙ୍କ ପୁଅ ସେକ୍ସ ସାଦିକ୍ ଙ୍କ ଠାରୁ ୨,ଟି ଟିଭି ଓ ଏକ ଗ୍ରାଉଣ୍ଡର ଜବତ କରିବା ସହ କରି ସମସ୍ତ ୫ ଜଣଙ୍କୁ କୋର୍ଟ ଚାଲାଣ କରିଛି ।ମାସକ ମଧ୍ୟରେ ଘଟଣାର ସଂପୃକ୍ତ ଦୁର୍ଦାନ୍ତ ଚୋର ଓ ଗୋମାଫିଆଙ୍କୁ ପୋଲିସ ଧରିବାରେ ସଫଳ ହୋଇଛି ।ଏହି ଘଟଣାରେ ଆହୁରି କିଛି ଆସାମୀ ସଂପୃକ୍ତ ଅଛନ୍ତି ସେମାନଙ୍କ ପାଖରେ ପୋଲିସ ଖୁବ ଶିଘ୍ର ପହଞ୍ଚିଵ ବୋଲି ସୂଚନା ମିଳିଛି l