କୋରାପୁଟ: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ଲେଞ୍ଜିପୁଟ ଗାଁରେ ଘଟିଛି ଅଭାବନୀୟ ଘଟଣା । ସାଙ୍ଗମାନଙ୍କ ସହ ଖେଳୁଥିବା ସମୟରେ କିଛି ଦୁର୍ବୃତ୍ତ ପିଲାଟିକୁ ଟେକିନେଇ ଆଙ୍ଗୁଳି କାଟିଦେଇଥିବା ଅଭିଯୋଗ ହୋଇଛି । ମୂର୍ମୂଷ ଅବସ୍ଥାରେ ଘର ପାଖ ନାଳ ନିକଟରୁ ପିଲାଟିକୁ ଉଦ୍ଧାର କରିଛନ୍ତି ପରିବାର ଲୋକେ ।
ତେବେ ନାବାଳକ ଜଣକ ହେଲେ ଲେଞ୍ଜିପୁଟ ଗ୍ରାମର ପର୍ଶୁରାମ ହନ୍ତାଳଙ୍କ ୮ ବର୍ଷର ପୁଅ । ସେ ଗତ ମଙ୍ଗଳବାର ସନ୍ଧ୍ୟା ୬ଟା ସମୟରେ ଘର ନିକଟରେ ଖେଳୁଥିଲେ । ଏହି ସମୟରେ ଘର ନିକଟରେ ଥିବା ନାଳ ନିକଟରେ ନାବାଳକକୁ ପଡିଥିବାର ଦେକିବାକୁ ପାଇଥିଲେ ପରିବାର ଲୋକେ ।
ହଠାତ୍ ଦେଖିବା ବେଳକୁ ପିଲାଟିର ବାମ ହାତର କାଣି ଆଙ୍ଗୁଠିର ଅଗ୍ରଭାଗ କଟା ଯାଇଥିବା ଦେଖିବାକୁ ପାଇଥିଲେ । ଏହାପରେ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅନ୍ୟପକ୍ଷରେ ପୁଅ ଏପରି କିଏ କଲା, ପରିବାର ଲୋକେ ସମସ୍ତଙ୍କୁ ପଚରାଉଚରା କରିଥିଲେ । ହେଲେ କେହି କିଛି ଜାଣିନଥିବା କହିଥିଲେ । ପରେ ଘର ପାଖରେ ବାଉଁଶ ବୁଦା ନିକଟରେ ଏକ ପଥର ଉପରେ ରକ୍ତ, ଫୁଲ ଓ ହଳଦି ଆଦି ପଡିଥିବା ଦେଖିବାକୁ ପାଇଥିଲେ।
ତେବେ ଗୁଣିଗାରେଡି ପାଇଁ ନାବାଳକର ଆଙ୍ଗୁଳି କାଟି ଦେଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିବା ସହ ଥାନାରେ ଏତଲା ଦେଇଛନ୍ତି । ଘଟଣାର ତଦନ୍ତ କରୁଛି ପୋଲିସ ।