Dan

ଯାତ୍ରାରେ ଅଶ୍ଳୀଳ ନୃତ୍ୟ ଉପରେ ଲାଗିବ ରୋକ୍; ଆଇନ ଆଣିବେ ସରକାର

State

ଭୁବନେଶ୍ବର: ଗତ କିଛି ବର୍ଷ ହେବ ଯାତ୍ରା ପ୍ରତି ପୁଣି ଆକୃଷ୍ଟ ହେଉଛନ୍ତି ଲୋକେ । ହେଲେ ଯାତ୍ରା ଆରମ୍ଭ ହେବା ପୂର୍ବରୁ ହେଉଥିବା ଆଇଟମ୍‌ ଡ୍ୟାନ୍ସକୁ ନେଇ ଅନେକ ସମୟରେ ବିବାଦ ଦେଖା ଦେଉଛି । ଫଳରେ ନାନା ପ୍ରକାରର ବିଶୃଙ୍ଖଳା ସୃଷ୍ଟି ହେଉଛି । ଯାହାକୁ ନେଇ କଠୋର ହୋଇଛନ୍ତି ରାଜ୍ୟ ସରକାର । ଯାତ୍ରାରେ ଅଶ୍ଲୀଳ ନୃତ୍ୟ ବନ୍ଦ କରିବା ପାଇଁ ଖୁବଶୀଘ୍ର ନୂଆ ଆଇନ ଆସିବ ବୋଲି ଆଜି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ଆଇନ ମନ୍ତ୍ରୀ କହିଛନ୍ତି ଯେ, ଯାତ୍ରାରେ ଅଶ୍ଲୀଳ ନୃତ୍ୟ କୁ ନେଇ ଚର୍ଚ୍ଚା ହେଉଛି । ଯାତ୍ରାରେ ଏଭଳି ନୃତ୍ୟ ଓଡ଼ିଆ ସଂସ୍କୃତି ବିରୋଧୀ । ଯାତ୍ରା ମାଲିକମାନେ ଏ ବାବଦରେ ନିଷ୍ପତ୍ତି ନିଅନ୍ତୁ କି ଯାତ୍ରାରେ ଯେପରି ଅଶ୍ଳୀଳତା ରହିବ ନାହିଁ । ରାଜ୍ୟ ସରକାର ଏହାକୁ ସମ୍ବେଦନଶୀଳ ଭାବେ ଗ୍ରହଣ କରିଛନ୍ତି । ଏହାକୁ ନେଇ ବିଚାର ବିମର୍ଶ ଚାଲିଛି । ଯାତ୍ରା ପାର୍ଟିର ମାଲିକଙ୍କ ସହ ଏ ନେଇ ଆଲୋଚନା ହେବ ବୋଲି ମନ୍ତ୍ରୀ କହିଛନ୍ତି ।

ଅନ୍ୟପଟେ ବାର ଡାନ୍ସ ମଧ୍ୟ ଓଡ଼ିଆ ସଂସ୍କୃତି ବିରୋଧୀ । ତେଣୁ ସେଥିପାଇଁ ନିୟମ ଆସିଛି ଯେ ବାରରେ କେବଳ ଅକ୍ରେଷ୍ଟ୍ରା ହେବ ଏବଂ ଗୀତ ସଙ୍ଗୀତ ପରିବେଷଣ ହେବ ବୋଲି ମନ୍ତ୍ରୀ କହିଛନ୍ତି ।