ୱାଇଏସଆର୍ କଂଗ୍ରେସ ମୁଖ୍ୟ ୱାଇଏସ୍ ଜଗନ୍ ମୋହନ ରେଡ୍ଡୀ ଏବଂ ତାଙ୍କ ଭଉଣୀ ତଥା କଂଗ୍ରେସ ନେତ୍ରୀ ୱାଇଏସ୍ ଶର୍ମିଲାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ସମ୍ପତ୍ତି ବିବାଦ ବେଶ ଚର୍ଚ୍ଚାରେ ରହିଛି। ଭାଇ-ଭଉଣୀଙ୍କ ମଧ୍ୟରେ ଚାଲିଥିବା ଏହି ସମ୍ପତ୍ତି ବିବାଦରେ ଏବେ ସେମାନଙ୍କ ମାଆ ୱାଇଏସ୍ ବିଜୟାମ୍ମା ଝିଅ ଶର୍ମିଲାଙ୍କୁ ସମର୍ଥନ କରି ଏକ ଚିଠି ଲେଖିଛନ୍ତି। ଅନ୍ୟାୟ କରାଯାଇଥିବା ପିଲାଙ୍କ ପାଇଁ ସ୍ୱର ଉତ୍ତୋଳନ କରିବା ତାଙ୍କର କର୍ତ୍ତବ୍ୟ ବୋଲି ୱାଇଏସ୍ ବିଜୟାମ୍ମା କହିଛନ୍ତି। ସେପଟେ ୱାଇଏସ୍ଆର୍ କଂଗ୍ରେସ ପାର୍ଟି ଏହାକୁ ପକ୍ଷପାତିତା ବୋଲି କହିଛି।
ସେ ଲେଖିଛନ୍ତି ଯେ, ଶର୍ମିଲା ପାରିବାରିକ ବ୍ୟବସାୟରେ ଜଡିତ ନଥିଲେ, କିନ୍ତୁ ଜଗନ୍ ରେଡ୍ଡୀ କହିବାରୁ ସେ ରାଜନୀତିରେ ନିଃସ୍ୱାର୍ଥପର ଭାବରେ କାର୍ଯ୍ୟ କରିଥିଲେ। ଜଗନ୍ କ୍ଷମତାକୁ ଆସିବାର ଶ୍ରେୟ କେବଳ ଶର୍ମିଲାଙ୍କ ଉଦ୍ୟମକୁ ଯାଉଛି। ଜଣେ ମାଆ ହିସାବରେ ସବୁ ପିଲା ସମାନ ଅଟନ୍ତି। ପିଲାଙ୍କ ପ୍ରତି ଅନ୍ୟାୟ କରାଯାଉଥିବାର ଦେଖିବା ମୋ ପାଇଁ କଷ୍ଟଦାୟକ।
‘ଆମର ଏକ ହସଖୁସିର ପରିବାର ଥିଲା’
ୱାଇଏସ୍ ବିଜୟାମ୍ମା ଲେଖିଛନ୍ତି, ‘ମୋର ସ୍ୱାମୀ ରାଜଶେଖର ରେଡ୍ଡୀ ଏବଂ ଆମ ପିଲାମାନଙ୍କୁ ନେଇ ଆମର ଏକ ହସଖୁସିର ପରିବାର ଥିଲା। ହେଲେ ଆମ ପରିବାର କାହିଁକି ଏପରି ଅସୁବିଧାର ସମ୍ମୁଖୀନ ହେଉଛି, ଏସବୁ ବୁଝିବାକୁ ମୁଁ ଅସମର୍ଥ ହେଉଛି। ଏସବୁ ରୋକିବା ପାଇଁ ମୋର ଉଦ୍ୟମ ସତ୍ତ୍ୱେ ଦୁର୍ଭାଗ୍ୟବଶତଃ ସମସ୍ତ ଘଟଣା ମୋ ଆଖି ଆଗରେ ଘଟୁଛି।’ ବିଜୟାମ୍ମା ତାଙ୍କ ପରିବାର ବିଷୟରେ ପ୍ରସାରିତ ଭିତ୍ତିହୀନ ଚର୍ଚ୍ଚାକୁ ନିନ୍ଦା କରିବା ସହ ଏହାକୁ ବନ୍ଦ କରାଯିବା ଉଚିତ ବୋଲି ଚିଠିରେ ଲେଖିଛନ୍ତି। ସେ ଲେଖିଛନ୍ତି ଯେ ଏହା ମୋ ପିଲାମାନଙ୍କ ପାଇଁ କିମ୍ବା ରାଜ୍ୟ ପାଇଁ ଭଲ ନୁହେଁ। ମୁଁ ଏ ବିଷୟରେ କଥାବାର୍ତ୍ତା କରିବାକୁ ଦ୍ୱିଧା କରୁଥିଲି, କିନ୍ତୁ ବର୍ତ୍ତମାନ ପରିସ୍ଥିତି ଏପରି ହେଲାଣି ଯେ ମୋତେ ମୁହଁ ଖୋଲିବାକୁ ପଡ଼ୁଛି। ଯେଉଁମାନେ ଆମ ପରିବାର ବିଷୟରେ ମିଛ ଓ ଭିତ୍ତିହୀନ କଥା କହିଛନ୍ତି ମୁଁ ସେମାନଙ୍କୁ ଅନୁରୋଧ କରୁଛି, ସେମାନେ ଏପରି କରିବା ବନ୍ଦ କରନ୍ତୁ।
‘ଭାଗବଣ୍ଟା ହୋଇନି ସମ୍ପତ୍ତି’
ସେ ଲେଖିଛନ୍ତି, ‘ମୋ ପିଲାମାନେ ନିଜେ ଉତ୍ତର ଦେବେ। ମୋର ଭଗବାନଙ୍କ ଉପରେ ବିଶ୍ୱାସ ଅଛି, ଯିଏ ସେମାନଙ୍କ ସମସ୍ୟାର ସମାଧାନ କରିବେ।’ ଏହା ସହିତ ୱାଇଏସ୍ ରାଜଶେଖର ଜୀବିତ ଥିବାବେଳେ ତାଙ୍କ ପିଲାମାନଙ୍କ ମଧ୍ୟରେ ସମ୍ପତ୍ତି ବାଣ୍ଟି ଦେଇଥିବା ଦାବିକୁ ମଧ୍ୟ ସେ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ ଲେଖିଛନ୍ତି, ‘ସେ ୱାଇଏସଆର୍ ଜୀବିତ ଥିବାବେଳେ ଝିଅ ଶର୍ମିଲା ଓ ପୁଅ ଜଗନଙ୍କ ନାମରେ କିଛି କିଛି ସମ୍ପତ୍ତି କରିଦେଇଥିଲା। ହେଲେ ଏହା ସମ୍ପତ୍ତି ଭାଗବଣ୍ଟା ନୁହେଁ। ସମସ୍ତ ସମ୍ପତ୍ତି ପରିବାରର ଅଟେ। ୨୦୦୯ରେ ୱାଇଏସଆରଙ୍କ ମୃତ୍ୟୁ ପରେ ଜଗନ୍ ଏବଂ ଶର୍ମିଲା ୨୦୧୯ ପର୍ଯ୍ୟନ୍ତ ଏକାଠି ଥିଲେ। ଚୁକ୍ତି ଅନୁଯାୟୀ ଜଗନ୍ ତାଙ୍କ ଅଂଶରୁ ଶର୍ମିଲାଙ୍କୁ ୨୦୦ କୋଟି ଟଙ୍କା ଦେଇଥିଲେ। ଏମଓୟୁ ଅନୁଯାୟୀ ଜଗନ ୬୦ ପ୍ରତିଶତ ଏବଂ ଶର୍ମିଲା ୪୦ ପ୍ରତିଶତ ସମ୍ପତ୍ତି ପାଇବେ। ତେବେ, ଏମଓୟୁ ପୂର୍ବରୁ ସେମାନେ ସମାନ ଭାବରେ ଭାଗ ବାଣ୍ଟୁଥିଲେ।’
ବିଜୟାମ୍ମା ଲେଖିଛନ୍ତି ଯେ ଜଗନ୍ ରେଡ୍ଡୀ ୨୦୧୯ରେ ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ହେବା ପରେ ବ୍ୟବସାୟ ବଣ୍ଟନ ପାଇଁ ପ୍ରସ୍ତାବ ଦେଇଥିଲେ। ଏହା ପରେ ବିଜୟୱାଡାରେ ମୋ ଉପସ୍ଥିତିରେ ସେମାନେ ବ୍ୟବସାୟ ଭାଗ ବାଣ୍ଟିବାକୁ ସ୍ଥିର କଲେ। ଏହା ହିଁ ହେଉଛି ୨୦୧୯ରେ ଲେଖାଯାଇଥିବା ଏମଓୟୁ। ଏଥିରେ ଶର୍ମିଲାଙ୍କୁ ଦିଆଯାଇଥିବା ସମ୍ପତ୍ତି ଜଗନଙ୍କ ଉପହାର ନୁହେଁ, ବରଂ ଶର୍ମିଲାଙ୍କ ଅଧିକାର। ଏଥିରେ କୌଣସି ପାରିବାରିକ ସମ୍ପତ୍ତିର ସଂଲଗ୍ନତା ନଥିଲା। ପାରିବାରିକ ସମ୍ପତ୍ତି ପ୍ରସଙ୍ଗରେ ମଧ୍ୟ ଶର୍ମିଲାଙ୍କ ସହ ଅନ୍ୟାୟ କରାଯାଇଛି। ଶର୍ମିଲାଙ୍କ ଅଂଶରେ ଭାରତ ସିମେଣ୍ଟ, ସାକ୍ଷୀ ମିଡିଆ ଏବଂ ୱାଇଏସଆରଙ୍କ ଘର ଅନ୍ତର୍ଭୁକ୍ତ, ଯାହା ତାଙ୍କୁ ଦିଆଯିବା ଉଚିତ। ଅନେକ ଲୋକଙ୍କ ଦ୍ୱାରା ମିଛ କୁହାଯାଉଥିବାରୁ ସତ ସାମ୍ନାକୁ ଆଣିବାକୁ ତାଙ୍କୁ ମୁହଁ ଖୋଲିବାକୁ ପଡ଼ିବ ବୋଲି କହିଛନ୍ତି ବିଜୟାମ୍ମା। ସେ ଲେଖିଛନ୍ତି, ‘ଏହା ହିଁ ହେଉଛି ସତ। ତଥାପି, ସେମାନେ ଭାଇ ଓ ଭଉଣୀ, ତାହା ହେଉଛି ସେମାନଙ୍କର ସମସ୍ୟା; ସେମାନେ ଏହାକୁ ସମାଧାନ କରିବେ।’