22 3 750x430

ଆଜି ଓଡିଶା ସରକାର ଯେତେ ବିପର୍ଯ୍ୟୟ ଆସିଲେ ମଧ୍ୟ ତାକୁ ମୁକାବିଲା କରିବା ପାଇଁ ସକ୍ଷମ- ମୁଖ୍ୟମନ୍ତ୍ରୀ

State

ଭୁବନେଶ୍ବର :  ପ୍ରାକୃତିକ ବିପର୍ଯ୍ୟୟ ଆଜି ଆମ ସହଚର ପାଲଟିଛି। ଆମ ପାଖରେ ବିପର୍ଯ୍ୟୟ ମୁକାବିଲା କରିବା ପାଇଁ ଅତ୍ୟାଧୁନିକ ଉପକରଣ ସବୁ ରହିଛି। ଆଜି ଓଡିଶା ସରକାର ଯେତେ ବିପର୍ଯ୍ୟୟ ଆସିଲେ ମଧ୍ୟ ତାକୁ ମୁକାବିଲା କରିବା ପାଇଁ ସକ୍ଷମ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆଜି ଭୁବନେଶ୍ୱର ଠାରେ ଆୟୋଜିତ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ୨୦୨୪ ଅବସରରେ କହିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଥମେ ୧୯୯୯ ମହାବାତ୍ୟା ଏବଂ ଅନ୍ୟାନ୍ୟ ବିପର୍ଯ୍ୟୟ ଯୋଗୁ ଯେଉଁ ସବୁ ମୂଲ୍ୟବାନ ଜୀବନହାନୀ ହୋଇଛି, ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ, ଗତ ସପ୍ତାହରେ ଆମ ରାଜ୍ୟ ବାତ୍ୟା ‘ଦାନା’ର ସମ୍ମୁଖୀନ ହୋଇଥିଲା। ଏହି ବାତ୍ୟାରେ ୧୧ଟି ଜିଲ୍ଲାର ୬୦୦୦ରୁ ଅଧିକ ଗାଁ ଓ ସହରାଞ୍ଚଳ ପ୍ରଭାବିତ ହୋଇଥିଲା। ସୁଦୃଢ ପ୍ରାକପ୍ରସ୍ତୁତି ଏବଂ ଟିମ୍‌ ୱାର୍କ ଯୋଗୁ ଆମେ ପ୍ରାୟ ୮ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲୁ। ନିର୍ଭୁଲ ପ୍ରାକ ସତର୍କ ସୂଚନା ଏବଂ ବୈଷୟିକ ଜ୍ଞାନର ବ୍ୟବହାର ଦ୍ୱାରା ବିପର୍ଯ୍ୟୟ ପ୍ରବଣ ସ୍ଥାନମାନଙ୍କରେ ରେସପନ୍ସ ଟିମ ନିୟୋଜନକୁ ତ୍ୱରାନ୍ୱିତ କରାଯାଇଥିଲା। ଏନଡିଆରଏଫ, ଓଡିଆରଏଫ, ଅଗ୍ନିଶମ ବାହିନୀ, ଜଙ୍ଗଲ ବିଭାଗ ଅଧିକାରୀ ଏବଂ ପୁଲିିସରର ମୋଟ ୩୮୮ ରେସପନ୍ସ ଟିମ ନିୟୋଜିତ ହୋଇଥିଲେ। ଆମର ଲକ୍ଷ୍ୟ ଥିଲା ‘ଶୂନ୍ୟ ଜୀବନହାନୀ’। ଏହି ବାତ୍ୟାରେ ଆମେ ଆମର ଲକ୍ଷ୍ୟ ହାସଲ କରିଛୁ। ବିଗତ ୨୫ ବର୍ଷରେ ଓଡିଶା ବହୁ ବାତ୍ୟାର ସମ୍ମୁଖୀନ ହୋଇଛି। ପ୍ରାକୃତିକ ବିପର୍ଯ୍ୟୟକୁ ଆମେ ବନ୍ଦ କରିପାରିବା ନାହିଁ। ଆମେ କ୍ଷୟକ୍ଷତିକୁ କମେଇ ପାରିବା ଓ ନିଜକୁ ସୁରକ୍ଷିତ ରଖିପାରିବା ବୋଲି ସେ କହିଥିଲେ।
ସେ ପୁଣି କହିଥିଲେ ଏସବୁ ପ୍ରାକୃତିକ ବିପର୍ଯ୍ୟୟରୁ ଆମକୁ ବହୁତ ଶିକ୍ଷା ମିଳିଛି। ନୂଆ କାମ କରିବା ପାଇଁ ନୂଆ ଚିନ୍ତାଧାରା ମିଳିଛି। ଆଗକୁ ପ୍ରତି ଗାଁରେ ଗୋଟେ ଲେଖାଏଁ ରେସପନ୍ସ ଟିମ ଗଠନ କରାଯିବ। ରାଜ୍ୟରେ ଥିବା ୮୪୪ଟି ବାତ୍ୟା / ବନ୍ୟା ଆଶ୍ରୟସ୍ଥଳୀର ଢାଞ୍ଚାକୁ ପରିବର୍ତ୍ତନ କରାଯିବ। ଏହାକୁ ସ୍କୁଲ ତଥା ଆଶ୍ରୟସ୍ଥଳୀରେ ପରିଣତ କରାଯିବ। ରାଜ୍ୟରେ ଗୋଟିଏ ଅତ୍ୟାଧୁନିକ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ନିର୍ମାଣ ହେବ। ରାଜ୍ୟର ସମୁଦ୍ରତଟବର୍ତ୍ତୀ ୪୮୦ କିଲୋମିଟର ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣର ହେନ୍ତାଳବନ ସୃଷ୍ଟି କରାଯିବ। ରାଜ୍ୟରେ ଥିବା ୨୦ଟି ଓଡ୍ରାଫ ଟିମକୁ ବୃଦ୍ଧି କରାଯାଇ ୩୦ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଏସଡିଏମଏର ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ।
ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ, ଶ୍ରୀ ସୁରେଶ ପୂଜାରୀ କହିଥିଲେ ଯେ, ୧୯୯୯ ମହାବାତ୍ୟାର ଆଜି ୨୫ ବର୍ଷ ପୁରିଲା। ୧୯୯୯ ବାତ୍ୟାର କ୍ରୁରତା ଦେଖିଲା ପରେ ଆମ ଆଖି ଫିଟିଲା। ପୂର୍ବରୁ ସରକାର ନିଜର ପ୍ରଶାସନିକ ଦକ୍ଷତା, ଅନୁଭୂତି ଓ ଅନୁଭବ ବଳରେ ବିପର୍ଯ୍ୟୟକୁ ମୁକାବିଲା କରୁଥିଲେ। ଆଜି କେବଳ ସରକାର ନୁହେଁ, ପରିସ୍ଥିତିର ମୁକାବିଲା କରିବା ପାଇଁ ଜନସାଧାରଣ, ସାମାଜିକ କର୍ମୀ ଓ ବିଭିନ୍ନ ସଂଗଠନ ଆଗେଇ ଆସୁଛନ୍ତି। ଶ୍ରୀ ପୂଜାରୀ ସମସ୍ତଙ୍କୁ ଆହ୍ୱାନ ଦେଇ କହିଥିଲେ ଯେ ଆସନ୍ତୁ ସମାଜକୁ ଶକ୍ତିଶାଳୀ କରିବା, ବ୍ୟବସ୍ଥାକୁ ମଜବୁତ କରିବା, ଯେତେ ଶକ୍ତିଶାଳୀ ବିପର୍ଯ୍ୟୟ ଆସୁ ତାକୁ ପରାସ୍ତ କରିବା।
ଅନ୍ୟତମ ଅତିଥି ଭାବେ, ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ବାତ୍ୟା ‘ଦାନା’ର ସଫଳ ମୁକାବିଲା ପାଇଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ ଆଜି ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡିଶା କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱ ପାଇଁ ଦୃଷ୍ଟାନ୍ତ ହୋଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାତ୍ୟା ‘ଦାନା’ର ସଫଳ ମୁକାବିଲାରେ ଉଲ୍ଲେଖନୀୟ ଭୂମିକା ନେଇଥିବା ବିଭିନ୍ନ ବର୍ଗର ୧୪୨ ଜଣଙ୍କୁ ମାନପତ୍ର ଓ ଆର୍ଥିକ ରାଶି ଦେଇ ପୁରସ୍କୃତ କରିଥିଲେ। ମୁଖ୍ୟମନ୍ତ୍ରୀ ଏହି ଅବସରରେ ଆୟୋଜିତ ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନା ସମ୍ପର୍କିତ ଏକ ପ୍ରଦର୍ଶନୀ ଉଦ୍‌ଘାଟନ କରିଥିଲେ।
ଏହି ଅବସରରେ ବିପର୍ଯ୍ୟୟ ପରିଚାଳନାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଦୁଇଟି ସଂସ୍ଥା ସହିତ ବୁଝାମଣା ପତ୍ର ସ୍ବାକ୍ଷର କରିଥିଲେ। ଓଡ଼ିଶାର ୧୦ ଟି ସହରରେ ହିଟୱେଭ ମ୍ୟାନେଜମେଣ୍ଟ ପାଇଁ କାଉନସିଲ ଫର ଏନର୍ଜି ଏନଭର୍ଣ୍ଣମେଣ୍ଟ ଆଣ୍ଡ ୱାଟର ସହିତ ରାଜିନାମା ହୋଇଥିଲା। ଅନଲାଇନ ବିପର୍ଯ୍ୟୟ ପରିଚାଳନା ସଚେତନତା ପାଇଁ ଜାତିସଂଘ ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମ ସହିତ ରାଜିନାମା ସ୍ବାକ୍ଷରିତ ହୋଇଥିଲା।
କାର୍ଯ୍ୟକ୍ରମରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ଦେଓରଞ୍ଜନ କୁମାର ସିଂହ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଓଏସଡିଏମଏ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. କମଳ ଲୋଚନ ମିଶ୍ର ଧନ୍ୟବାଦ ଦେଇଥିଲେ।