ବାରିପଦା: ସାମାଜିକ କର୍ମୀ ମନୋରଞ୍ଜନ ତିରିଆଙ୍କୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ(ଆରସିସିଏଫ)ଙ୍କ ଗଣମାଧ୍ୟମ ପରାମର୍ଶ ପ୍ରତିନିଧି ରୂପେ ନିଯୁକ୍ତି ଦେଇଛନ୍ତି l ସେହିପରି ଶିମିଳିପାଳ ବନାଞ୍ଚଳ ଅନ୍ତର୍ଗତ ଅସ୍ତକୁଆଁର ପଂଚାୟତର ପୂର୍ବତନ ସରପଞ୍ଚ ତଥା ଶିମିଳିପାଳ ବିକାଶ ପରିଷଦର ସଭାପତି ମହାନ୍ତି ବିରୁଆଙ୍କୁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣର ଉତ୍ତର ବନ୍ୟପ୍ରାଣୀ ଡିଭିଜନର ପ୍ରତିନିଧି ରୂପେ ନିଯୁକ୍ତି ଦିଆଯାଇଥିବା ଜଣା ପଡିଛି l ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟ କରି ଆସିଥିବା ମନୋରଞ୍ଜନ ତିରିଆ ବର୍ତ୍ତମାନ ହୋ ଭାଷା ଆନ୍ଦୋଳନ ନିମନ୍ତେ କାର୍ଯ୍ୟ କରୁଥିବା ସଂସ୍ଥା ଅଲ ଇଣ୍ଡିଆ ହୋ ଲାଙ୍ଗୁଏଜ ଆକ୍ସନ କମିଟିର ରାଜ୍ୟ ପ୍ରବକ୍ତା ରହିଛନ୍ତି l ଉଭୟ ମନୋରଞ୍ଜନ, ମହାନ୍ତି ଶିମିଳିପାଳର ବିଭିନ୍ନ ପ୍ରସଙ୍ଗକୁ ସରକାର ତଥା ପ୍ରଶାସନର ଦୃଷ୍ଟିକୁ ଆଣିବା ପାଇଁ କାର୍ଯ୍ୟ କରିଥିବାର ନଜିର ରହିଛି l