– ୧୭୫୦ କୋଟି ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର
– ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟକୁ ମିଶାଇ ସମୁଦାୟ ୬୦ ଲକ୍ଷରୁ ଅଧିକ ମହିଳା ପାଇଲେ ‘ସୁଭଦ୍ରା’ ସହାୟତା,
– ବର୍ତ୍ତମାନ ସୁଦ୍ଧା ୩ ହଜାର କୋଟି ଟଙ୍କାର ସହାୟତା
– ଆଜି ପର୍ଯ୍ୟନ୍ତ ୧ କୋଟି ୬୦ ଲକ୍ଷ ଫର୍ମ ଆବଣ୍ଟିତ
– ୧ କୋଟି ୩୦ ହଜାରରୁ ଉର୍ଦ୍ଧ୍ବ ଆବେଦନକାରୀ
– ପଞ୍ଜୀକରଣ ପାଇଁ ୨୮, ୦୪୦ରୁ ଅଧିକ ସାଧାରଣ ସେବା କେନ୍ଦ୍ର ଏବଂ ୧୦, ୦୫୫ରୁ ଅଧିକ ମୋ ସେବା କେନ୍ଦ୍ର କାର୍ଯ୍ୟ କରୁଛି
ପ୍ରଥମ ହିତାଧିକାରୀ ଉମାରାଣୀ ମହାନ୍ତି ଓ ୧ କୋଟି ସଂଖ୍ୟାରେ ପଞ୍ଜିକୃତ ହୋଇଥିବା ଦୟାମଣି କୁଜୁରଙ୍କୁ ସମ୍ମାନିତ କରାଗଲା
– ମା’ ମାନଙ୍କ ହସ ଓ ଖୁସି ହିଁ ଓଡିଶାର ବିକାଶର ଗାଡିକୁ ଦ୍ରୁତଗାମୀ କରାଇବ
*ଓଡ଼ିଶାର ପ୍ରତ୍ୟେକ ମହିଳାଙ୍କ ସୁଖରେ ଦୁଃଖରେ, ସବୁ ସମୟରେ ଆମେ ଛିଡ଼ା ହେବୁ, ସହାୟତାର ହାତ ବଢାଇବୁ – ମୁଖ୍ୟମନ୍ତ୍ରୀ*
ବାରିପଦା : ରାଜ୍ୟର ମହିଳା ମାନଙ୍କୁ ସାମାଜିକ, ଅର୍ଥନୈତିକ ଓ ବୃତ୍ତିଗତ ପରିପ୍ରେକ୍ଷୀରେ ସଶକ୍ତ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦିଗଦର୍ଶନରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆରମ୍ଭ କରିଥିବା ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟରେ ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମ ବୁଧବାର ଦିନ ମୟୂରଭଞ୍ଜ ସଦର ମହକୁମା ବାରିପଦା ଠାରେ ଶୁଭାରମ୍ଭ କରିଛନ୍ତି। ପୂର୍ବ ଆଧାରିତ କାର୍ଯ୍ୟସୂଚି ଅନୁଯାୟୀ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବାରିପଦା କଲେଜ ପଡିଆ ଠାରେ ଅନୁଷ୍ଠିତ ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଦ୍ଵିତୀୟ ପର୍ଯ୍ୟାୟରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ସିଧାସଳଖ ଲାଭ ସ୍ଥାନାନ୍ତର ବା Direct Benefit Transfer ମାଧ୍ୟମରେ ପ୍ରଦାନ କରିଛନ୍ତି।
ଦ୍ୱିତୀୟ ପର୍ଯ୍ୟାୟରେ ଆଜି ୩୫ ଲକ୍ଷରୁ ଅଧିକ ମହିଳା ପ୍ରଥମ କିସ୍ତି ଭାବରେ ୫ ହଜାର ଟଙ୍କା ଲେଖାଏ ସହାୟତା ପାଇଲେ। ସମୁଦାୟ ୧୭୫୦ କୋଟି ଟଙ୍କା ମହିଳାମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଗଲା।
ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟକୁ ମିଶାଇ ବର୍ତ୍ତମାନ ସୁଦ୍ଧା ସମୁଦାୟ ୬୦ ଲକ୍ଷରୁ ଅଧିକ ମହିଳା ‘ସୁଭଦ୍ରା’ ସହାୟତା ପାଇଲେ। ସମୁଦାୟ ୩ ହଜାର କୋଟି ଟଙ୍କାର ସହାୟତା ପ୍ରଦାନ କରାଗଲା। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୧୦ଜଣ ସୁଭଦ୍ରା ହିତାଧିକାରୀଙ୍କୁ ସୁଭଦ୍ରା ସହାୟତା ପ୍ରଦାନ କରିଥିଲେ ।
ଜିଲ୍ଲା ପ୍ରଶାସନ ମୟୂରଭଞ୍ଜ ଦ୍ୱାରା ଆୟୋଜିତ ଏହି ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ମନ୍ତ୍ରୀ ମହିଳା ଏବଂ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ବିଭାଗ, ଶ୍ରୀମତୀ ପ୍ରଭାତୀ ପରିଡା, ମାନ୍ୟବର ମନ୍ତ୍ରୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାର୍ବଜନୀନ ଉଦ୍ୟୋଗ, ଓଡ଼ିଶା ସରକାର ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର, ମାନ୍ୟବର ମନ୍ତ୍ରୀ, ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ, ଓଡ଼ିଶା ସରକାର ଶ୍ରୀଯୁକ୍ତ ଗଣେଶ ରାମସିଂ ଖୁଣ୍ଟିଆ, ମାନ୍ୟବର ସାଂସଦ, ରାଜ୍ୟସଭା, ଶ୍ରୀମତୀ ମମତା ମହାନ୍ତ, ମାନ୍ୟବର ସାଂସଦ, ବାଲେଶ୍ୱର ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ମାନ୍ୟବର ସାଂସଦ, ମୟୂରଭଞ୍ଜ, ଶ୍ରୀ ନବ ଚରଣ ମାଝୀ, ମାନ୍ୟବର ଉପ ମୁଖ୍ୟ ସଚେତକ ତଥା ମାନ୍ୟବର ବିଧାୟକ ରେମୁଣା, ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ, ମାନ୍ୟବର ବିଧାୟକ, ଉଦଳା, ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ମଢେଇ, ମାନ୍ୟବର ବିଧାୟକ, ବାରିପଦା,ଶ୍ରଯୁକ୍ତ ପ୍ରକାଶ ସୋରେନ, ମାନ୍ୟବର ବିଧାୟକ, ବଡ଼ସାହି, ଶ୍ରୀଯୁକ୍ତ ସନାତନ ବିଜୁଳି, ମାନ୍ୟବର ବିଧାୟକ, ସାରସକଣା ଶ୍ରୀଯୁକ୍ତ ଭାଦବ ହାଁସଦା, ମାନ୍ୟବର ବିଧାୟକ, କରଞ୍ଜିଆ, ଶ୍ରୀଯୁକ୍ତ ପଦ୍ମ ଚରଣ ହାଇବୁରୁ, ମାନ୍ୟବର ବିଧାୟକ, ରାଇରଙ୍ଗପୁର ଶ୍ରୀଯୁକ୍ତ ଜଲେନ ନାଏକ, ପ୍ରମୁଖ ଶାସନ ସଚିବ, ମହିଳା ଏବଂ ଶିଶୁ ବିକାଶ ବିଭାଗ, ଓଡିଶା ସରକାର, ଶ୍ରୀମତୀ ଶୁଭା ଶର୍ମା (ଭା.ପ୍ର.ସେ), କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ବି. ପରମେସ୍ୱରନ (ଭା.ପ୍ର.ସେ) ପ୍ରମୁଖ ଯୋଗ ଦେଇ ଏହି ସମାରୋହକୁ ଭବ୍ୟ ଏବଂ ସୁରମ୍ୟ କରିଥିଲେ।
ବାରିପଦା ଠାରେ ଆୟୋଜିତ ଏହି ଦିବସବ୍ୟାପୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦାନ କରି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ ଅବସରରେ ପ୍ରଥମେ ବାରିପଦା ପୌରପାଳିକା ପ୍ରାଙ୍ଗଣରେ ଅବସ୍ଥାପିତ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ପରେ ପରେ ଆୟୋଜିତ ବିଶାଳ ଜନସଭାରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ‘ସୁଭଦ୍ରା’ ଯୋଜନା ଓଡ଼ିଶାର ମା’ ଓ ଭଉଣୀମାନଙ୍କ ଜୀବନରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବା ସହିତ ସେମାନଙ୍କ ଅର୍ଥନୈତିକ ସଶକ୍ତିକରଣ କରିବ। ଏହା ସହିତ ସେମାନଙ୍କ ସାମାଜିକ ସମ୍ମାନ ମଧ୍ୟ ବଢାଇବ ।
ଏହି ଯୋଜନା ସାରା ଓଡିଶାର ମା’ ମାନଙ୍କ ମୁହଁରେ ହସ ଓ ଖୁସି ଆଣିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ମା’ ମାନଙ୍କ ହସ ଓ ଖୁସି ହିଁ ଓଡିଶାର ବିକାଶର ଗାଡିକୁ ଦ୍ରୁତଗାମୀ କରାଇବ। ‘ସୁଭଦ୍ରା’ ଓଡ଼ିଶାର ସର୍ବ ବୃହତ ମହିଳା ସଶକ୍ତିକରଣ ଅଭିଯାନ ବୋଲି ସେ କହିଥିଲେ। ଏହି ଯୋଜନା ରାଜ୍ୟର ମହିଳାମାନଙ୍କୁ ସଶକ୍ତ କରିବାରେ ସହାୟକ ହେବା ସହିତ ଏକ ସମୃଦ୍ଧ ଓଡ଼ିଶାର ମୂଳଦୁଆ ପକାଇଛି ବୋଲି ସେ କହିଥିଲେ।
ମୁଖ୍ୟମନ୍ତ୍ରୀ କହିଲେ ଯେ, “ଓଡ଼ିଶାର ପ୍ରତ୍ୟେକ ମହିଳାଙ୍କୁ ଆମେ ପ୍ରତିଶ୍ରୁତି ଦେଉଛୁ ଯେ ଆମେ ଆପଣଙ୍କ ସହିତ, ସୁଖରେ ଦୁଃଖରେ, ସବୁ ସମୟରେ ଛିଡ଼ା ହେବୁ। ଆପଣଙ୍କ ସାମର୍ଥ୍ୟ ଉପରେ ଆମର ପୁରା ଭରସା ଅଛି। ଆପଣଙ୍କର ଏହି ସଶକ୍ତିକରଣ ଯାତ୍ରାରେ ଆମେ ଆପଣଙ୍କ ସହିତ ଚାଲିବୁ ।”
ଜଗନ୍ନାଥ ସଂସ୍କୃତିରେ ମା’ ସୁଭଦ୍ରା ହେଉଛନ୍ତି ଶକ୍ତି ଓ ସମାନତାର ସ୍ୱରୂପ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସାମାଜିକ ବ୍ୟବସ୍ଥାରେ ପୁରୁଷମାନଙ୍କ ଭଳି ମହିଳାମାନେ ମଧ୍ୟ ପ୍ରଗତି ଓ ବିକାଶର ସମାନ ଅଂଶୀଦାର। ଜଣେ ମହିଳା ଅର୍ଥନୈତିକ ଦୃଷ୍ଟିରୁ ସଶକ୍ତ ଓ ସ୍ବାବଲମ୍ବୀ ହେଲେ, ପରିବାରର ସାମାଜିକ ଓ ଅର୍ଥନୈତିକ ନିରାପତ୍ତା ସୁଦୃଢ଼ ହୁଏ ବୋଲି ସେ କହିଥିଲେ ।
ମହିଳା ସଶକ୍ତିକରଣ ଅର୍ଥ ହେଉଛି ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସ୍ତରରେ ସଶକ୍ତ କରିବା । ଏହାର ସବୁଠାରୁ ବଡ ଉଦାହରଣ ହେଉଛନ୍ତି ମୟୁରଭଞ୍ଜ ମାଟିରେ ଜନ୍ମିତା ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘ସୁଭଦ୍ରା’ ସହାୟତା ମା’ ମାନଙ୍କର ତ୍ୟାଗ ଓ ପରିଶ୍ରମକୁ ସମ୍ମାନ ଦେବା ସହିତ ଓଡ଼ିଶାର ମହିଳାମାନଙ୍କର ସ୍ୱପ୍ନ ଏବଂ ଆକାଂକ୍ଷାକୁ ବାସ୍ତବ ରୂପଦେବ । ଏହି ଯୋଜନା ଆମ ରାଜ୍ୟର ମହିଳାମାନଙ୍କ ମୁହଁକୁ ଏକ ନୂତନ ଆଶା ଓ ସ୍ୱପ୍ନରେ ଆଲୋକିତ କରୁଛି। ଅସହାୟ ମହିଳାମାନଙ୍କ ପାଇଁ ଏହା ସହାୟତାର ଏକ ନୂତନ କିରଣ ହୋଇଛି। ସେ କହିଲେ ଯେ, ଯେଉଁ ମହିଳାମାନେ ଅନେକ ପରିଶ୍ରମ କଲା ପରେ ମଧ୍ୟ ପିଲାମାନଙ୍କୁ ଭଲ ଭାବରେ ଖାଦ୍ୟ ଦେଇ ପାରନ୍ତି ନାହିଁ, ସ୍କୁଲକୁ ପଠାଇ ପାରନ୍ତି ନାହିଁ, ସେହି ପରି ମହିଳାମାନଙ୍କ ସ୍ୱପ୍ନ ପୁରଣ କରିବାରେ ସୁଭଦ୍ରା ଯୋଜନା ବରଦାନ ସଦୃଶ ହେବ।
ସୁଭଦ୍ରା ଯୋଜନାର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ଏହି ଯୋଜନାରେ ଆଜି ପର୍ଯ୍ୟନ୍ତ ୧ କୋଟି ୬୦ ଲକ୍ଷ ଫର୍ମ ବଣ୍ଟନ ହୋଇସାରିଛି। ସେଥିମଧ୍ୟରୁ ୧ କୋଟି ୩୦ ହଜାରରୁ ଉର୍ଦ୍ଧ୍ବ ହିତାଧିକାରୀ ସୁଭଦ୍ରା ଅଧୀନରେ ଆବେଦନ କରିଛନ୍ତି । ସୁଭଦ୍ରାରେ ପଞ୍ଜିକରଣ ପାଇଁ ରାଜ୍ୟରେ ୨୮ ହଜାର ୪୦ରୁ ଅଧିକ ସାଧାରଣ ସେବା କେନ୍ଦ୍ର ଏବଂ ୧୦ ହଜାର ୫୫ରୁ ଅଧିକ ମୋ ସେବା କେନ୍ଦ୍ର କାର୍ଯ୍ୟ କରୁଅଛି। ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ୫୦୦୦ ଟଙ୍କାର ପ୍ରଥମ କିସ୍ତିର ସହାୟତା ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ କରକମଳରେ ହସ୍ତାନ୍ତର କରାଯାଇଥିଲା । ଆଜି ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଆର୍ଥିକ ସହାୟତା ପ୍ରଦାନ କାର୍ଯ୍ୟକ୍ରମରେ ୩୫ ଲକ୍ଷରୁ ଉର୍ଦ୍ଧ୍ବ ନୂତନ ହିତାଧିକାରୀଙ୍କୁ ୫୦୦୦ ଟଙ୍କାର ଆର୍ଥିକ ସହାୟତା ଦିଆଗଲା ।
ମୟୂରଭଞ୍ଜ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ୫ ଲକ୍ଷ ୭୮ ହଜାର ୧୭୮ ଜଣ ହିତାଧିକାରୀ ସୁଭଦ୍ରା ଅଧୀନରେ ପଞ୍ଜିକରଣ କରିଛନ୍ତି, ସେଥିମଧ୍ୟରୁ ୧ ଲକ୍ଷ ୩୭ ହଜାର ୮୧୬ ଜଣ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଅର୍ଥ ପ୍ରଦାନ କରାଯାଇଅଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସୁଭଦ୍ରା ଯୋଜନାରେ ପଞ୍ଜିକରଣ କରିଥିବା ପ୍ରଥମ ହିତାଧିକାରୀ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ବର ବ୍ଲକ ତଥା ବସୁଆଘାଇ ଗ୍ରାମପଞ୍ଚାୟତର ଉମାରାଣୀ ମହାନ୍ତି ଓ ୧ କୋଟି ସଂଖ୍ୟାରେ ପଞ୍ଜିକରଣ କରିଥିବା ହିତାଧିକାରୀ ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ ତଥା ସୁରୁଡା ଗ୍ରାମର ଦୟାମଣି କୁଜୁରଙ୍କୁ ସମ୍ମାନିତ କରିଥିଲେ। ଏହି ସମ୍ମାନ ସୁଭଦ୍ରା ଯୋଜନାରେ ଆପଣମାନଙ୍କ ଉତ୍ସାହ ଓ ଅଂଶ ଗ୍ରହଣର ଏକ ସୁନ୍ଦର ସ୍ୱୀକୃତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଶୁଭାରମ୍ଭ ସମୟରେ ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ଓଡିଶା ପ୍ରତି ପ୍ରଧାନମନ୍ତ୍ରୀଙ୍କର ଅଶେଷ ସ୍ନେହ ଓ ଶ୍ରଦ୍ଧା ରହିଛି। ଗତ ମାସ ୧୭ ତାରିଖରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଭୁବନେଶ୍ୱର ଆସି ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ଶୁଭାରମ୍ଭ କରିଥିଲେ। ସେଦିନ ତାଙ୍କର ଜନ୍ମଦିନ ଥିଲା । ନିଜ ଜନ୍ମ ଦିନରେ ତାଙ୍କର ସବୁ କାର୍ଯ୍ୟକ୍ରମ ଛାଡି ସେ ଓଡିଶା ଆସିଥିଲେ ଆମର ମା’ମାନଙ୍କ ପାଇଁ, ଆମର ଭଉଣୀମାନଙ୍କ ପାଇଁ। ସେଥିରୁ ହିଁ ଜଣାପଡେ ମୋଦୀଜୀ ଓଡିଶାକୁ କେତେ ଭଲ ପାଆନ୍ତି। କେବଳ ସେତିକି ନୁହେଁ, ଭୁବନେଶ୍ୱରର ଗୋଟିଏ ଛୋଟିଆ ଜାଗା, ଗାଡକଣକୁ ଯାଇ ସେଠାରେ ଜଣେ ଆଦିବାସୀ ଶବର ମା’ଙ୍କଠାରୁ ଖିରି ଖାଇ ତାଙ୍କ ଜନ୍ମ ଦିନ ପାଳିଲେ। ଏହି ଅବସରରେ ସେ ତାଙ୍କ ନିଜ ମା’ଙ୍କୁ ମଧ୍ୟ ମନେ ପକାଇଥିଲେ। ଏହା ହେଉଛି ଓଡିଶା ପ୍ରତି ମୋଦୀଜୀଙ୍କ ସ୍ନେହ ଓ ଶ୍ରଦ୍ଧାର ପରିଚୟ।
ମୋଦୀଜୀଙ୍କ ନେତୃତ୍ୱରେ ଦେଶ ଆଜି ବିକଶିତ ଭାରତର ଲକ୍ଷ୍ୟ ଆଡକୁ ଅଗ୍ରସର ହେଉଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ, ଆଜି ଓଡିଶାରେ ଆପଣମାନେ ଡବଲ ଇଞ୍ଜିନ ସରକାର ପାଇଛନ୍ତି। ତେଣୁ ଓଡିଶାର ବିକାଶକୁ ଆଉ କେହି ଅଟକେଇ ପାରିବେ ନାହିଁ। କେନ୍ଦ୍ର ଓ ରାଜ୍ୟର ଡବଲ ଇଞ୍ଜିନ ସରକାର ବିକାଶକୁ ଦୁଇ ଗୁଣ ବେଗରେ ଆଗେଇ ନେବ। ୨୦୩୬ ପାଇଁ ୨୦୪୭ ପାଇଁ, ବିକଶିତ ଓଡିଶା ତଥା ବିକଶିତ ଭାରତ ଗଠନ କରିବାର ଆମର ଲକ୍ଷ୍ୟ ନିଶ୍ଚୟ ପୂରଣ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ।
ମୟୁରଭଞ୍ଜ ମିଶ୍ରଣ, ମୟୁରଭଞ୍ଜର କଳା, ସଂସ୍କୃତି ଓ ପରମ୍ପରା ସହିତ ବାରିପଦାର ଗୌରବମୟ ଗାଥା ଦେବୀ ସୁଭଦ୍ରାଙ୍କ ରଥ ମହିଳାମାନଙ୍କ ଦ୍ୱାରା ଟଣା ଯିବା ବିଷୟରେ ଉଲ୍ଲେଖକରି ଜିଲ୍ଲାରେ ଆଗାମୀ ଦିନରେ ହେବାକୁ ଥିବା ବିକାଶମୂଳକ କାର୍ଯ୍ୟକ୍ରମ ଉପରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ।
ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଅନ୍ୟତମ ଅତିଥି ଭାବରେ ଯୋଗଦେଇ କହିଥିଲେ ଯେ ଓଡିଶାରେ ୧୦୦ ଦିନ ସରକାରରେ ‘ସୁଭଦ୍ରା’ ଭଳି ଏକ ଜନକଲ୍ୟାଣକାରୀ ଯୋଜନା ଆରମ୍ଭ କରାଗଲା। ଆଗରୁ ଏଭଳି କୌଣସି ଯୋଜନା ନଥିଲା ଯେଉଁଥିରେ ୧ କୋଟିରୁ ଅଧିକ ମହିଳା ସାମିଲ ହୋଇଥିଲେ। ଓଡିଶାର ମହିଳାମାନଙ୍କ ସମୃଦ୍ଧି ପାଇଁ ଉଦ୍ଦିଷ୍ଟ ଏହି ‘ସୁଭଦ୍ରା’ ଯୋଜନାକୁ ମୟୁରଭଞ୍ଜ ଆଦିମ ଜନଜାତି ମହିଳାମାନେ ଆପଣେଇଛନ୍ତି। ମହିଳା ବିକାଶକୁ ଏକ ନୂଆ ଦିଗ ଦେଖାଇବ ‘ସୁଭଦ୍ରା’ ଏବଂ ବିକାଶର ମୂଳ ପିଣ୍ଡ ହେବ ‘ସୁଭଦ୍ରା’ ବୋଲି ସେ କହିଥିଲେ।
ଜଙ୍ଗଲ, ପରିବେଶ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ, ଏହା ଏକ ଐତିହାସିକ ଯୋଜନା। ଏହି ଯୋଜନା ପାଇଁ ମୟୁରଭଞ୍ଜ ସମେତ ସମଗ୍ର ଓଡିଶାର ମହିଳାମାନେ ଅତ୍ୟନ୍ତ ଖୁସି ଅଛନ୍ତି। ଆମ ସରକାର ନାରୀମାନଙ୍କୁ, ଚାଷୀମାନଙ୍କୁ ଓ ଗରୀବଙ୍କୁ ସମ୍ମାନ ଦେଉଥିବା ସରକାର।
ଗୃହ ନିର୍ମାଣ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ, ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଭାରତର ବିକାଶକୁ ଦ୍ୱିଗୁଣିତ କରୁଛନ୍ତି। ଆମ ଓଡିଶାରେ ମଧ୍ୟ ଡବଲ ଇଞ୍ଜନ ସରକାରରେ ବିକାଶର ଗତି କ୍ଷୀପ୍ର ହେବ। ମୟୁରଭଞ୍ଜକୁ ଏକ ବିକଶିତ ଜିଲ୍ଲା ଭାବେ ଗଠନ କରିବା ପାଇଁ ଦଳମତ ନିର୍ବିଶେଷରେ ସେ ସମସ୍ତଙ୍କୁ ଆହ୍ୱାନ କରିଥିଲେ।
ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜବାହର ନବୋଦୟ ବିଦ୍ୟାଳୟରସଂସ୍ଥା ଶ୍ରେଣୀର ଛାତ୍ରୀ କୁମାରୀ ପରୀରୂପା ମହନ୍ତ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ ପାଇଥିବା ଅର୍ଥରାଶି ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ହସ୍ତାନ୍ତର କରିଛନ୍ତି।
କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ଧନ୍ୟବାଦ ଅର୍ପଣ କରିଥିଲେ।