କୋରାପୁଟ: ଆଜି ଅବିଭକ୍ତ କୋରାପୁଟ ବନ୍ଦ । ୪ ଜିଲ୍ଲାରେ ଚକଅଖ ଜାମ୍ । କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡା ଜିଲ୍ଲାରେ ସକାଳ ୬ଟାରୁ ଆରମ୍ଭ ହୋଇଛି ବନ୍ଦ ପାଳନ । ସରକାରୀ ଚାକିରିରେ ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି ମିଳିତ କ୍ରିୟାନୁଷ୍ଠାନ କମିଟି । ଏଥିଯୋଗୁ ବିଭିନ୍ନ ସ୍ଥାନରେ ଦୋକାନବଜାର ବନ୍ଦ ରହିଛି । ଗାଡ଼ି ଚଳାଚଳ ପ୍ରଭାବିତ । ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ବନ୍ଦ ଡାକରା ଦେଇଥିବା ବେଳେ ବିଭିନ୍ନ ସଂଗଠନ ସମର୍ଥନ ଜଣାଇଛନ୍ତି ।
ଘରୋଇ ବସ ମାଲିକ ସଂଘ, ଲରି ଆସୋସିଏସନ, ଡ୍ରାଇଭର ସଂଘ, ଜିଲ୍ଲା ଓକିଲ ସଂଘ ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି । ପାର୍ବଣ ସମୟ ଓ ଛାତ୍ରଛାତ୍ରୀ ଙ୍କ ପରୀକ୍ଷା ଯୋଗୁ ସେମାନଙ୍କ ପାଇଁ କୋହଳ କରାଯିବ । ବିଶେଷ କରି ଜରୁରୀ କାଳିନ ସେବାକୁ ବ୍ୟାହତ କରାଯିବ ନାହିଁ । ଅବିଭକ୍ତ କୋରାପୁଟ ଜିଲ୍ଲାରେ ଶିକ୍ଷା ଓ ସ୍ବାସ୍ଥ୍ୟ ବିଭାଗରେ ଜିଲ୍ଲା ବାହାରୁ ଅନେକ ନିଯୁକ୍ତି ପାଉଥିବା ବେଳେ ସୁବିଧା ଦେଖି ପରବର୍ତ୍ତୀ ମୁହୁର୍ତ୍ତରେ ସେମାନେ ନିଜ ଜିଲ୍ଲାକୁ ଚାଲି ଯାଉଥିବା ଅଭିଯୋଗ ହୋଇଛି ।