ବାରିପଦା : ସ୍ଥାନୀୟ ବାରିପଦା ବ୍ଲଡ଼ ସେଣ୍ଟର ପରିସରରେ ଜାତୀୟ ସ୍ବେଛାକୃତ ରକ୍ତଦାନ ଦିବସ ଅବସରରେ ହେଲପିଙ୍ଗହେଣ୍ଡ ଆନୁକୂଲ୍ୟରେ ଓ ବାରିପଦା ବ୍ଲଡ଼ ସେଣ୍ଟରର ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ମାନ୍ୟବର ବିଧାୟକ, ବାରିପଦା ପ୍ରକାଶ ସୋରେନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଶିବିର କୁ ଉଦଘାଟନ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡଃ ଅଭୟ କୁମାର ଦାଶ, ପି ଆର ଏମ ମେଡିକାଲ କଲେଜର ଅଧିକ୍ଷକ ଡଃ ରବୀନ୍ଦ୍ର କୁମାର ମିଶ୍ର, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡଃ ବିଜୟ କୁମାର ଦାଶ ଓ ବରିଷ୍ଠ ସ୍ତ୍ରୀ ରୋଗ ଚିକିତ୍ସକ ଡଃ ପ୍ରଣବ ଦାଶ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ I ଏହି ଶିବିରରେ ୨ ଜଣ ମହିଳା ସମେତ ମୋଟ ୪୩ ଜଣ ରକ୍ତଦାନ କରିଥିବା ବେଳେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡଃ ଦାଶ, ରକ୍ତ ଭଣ୍ଡାର ଅଧିକାରୀ ଡଃ ସୌମ୍ୟ ରଞ୍ଜନ ନାୟକ ଏବଂ ସୁପରଭାଇଜର ପୁଣ୍ଡରୀକାକ୍ଷ ଦାଶ, ପରାମର୍ଶଦାତା ପାର୍ଥ ସାରଥୀ ମହାନ୍ତ ମଧ୍ୟ ରକ୍ତଦାନ କରିଥିଲେ I ଏହି ଶିବିରକୁ ପରିଚାଳନା କରିଥିବା ସଂସ୍ଥାର ପ୍ରତିଷ୍ଠାତା ଅଶୋକ କୁମାର ବେହେରାଙ୍କ ସମେତ ସମାଜସେବୀ ଓ ନିୟମିତ ରକ୍ତଦାତା ଅମର କୁମାର ସେଠି, ସୋମନାଥ ସିଂହ ଓ ଡଃ ନିରୋଜ କୁମାର ପୋଥାଳଙ୍କୁ ରକ୍ତ ଭଣ୍ଡାର ଅଧିକାରୀ ଡଃ ନାୟକ ଉପଢୌକନ ଦେଇ ସମ୍ମାନିତ କରିଥିଲେ I ଆଜିଠାରୁ ହେମଫିଲିଆ (ରକ୍ତହୀନତା) ରୋଗୀଙ୍କୁ ରକ୍ତ ଯୋଗାଇ ଦେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଆରମ୍ଭ ହେଲା ବୋଲି ରକ୍ତ ଭଣ୍ଡାର ଅଧିକାରୀ ଡଃ ନାୟକଙ୍କ ସୂତ୍ରରୁ ପ୍ରକାଶ I