472fb2bd 5dc4 4d27 9cfb 3dd376fd8e1c

ଏନଏଲୟୁର ପୂର୍ବଞ୍ଚଳ ଆଇନ ଶିକ୍ଷକ ସମ୍ମିଳନୀ : ଆଇନ ଶୃଙ୍ଖଳା ବ୍ୟାଘାତ ହେଲେ ସଭ୍ୟତା ଲୋପ ପାଇଯିବ

State

କଟକ : ସଭ୍ୟତା ଏବଂ ଆଇନ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ଭଳି | ଆଇନ ଶୃଙ୍ଖଳା ବ୍ୟବସ୍ଥା ବ୍ୟାଘାତ ହେଲେ ସଭ୍ୟତା ଲୋପ ପାଇଯିବ | ଅନୁରୂପଭାବେ ଯଦି ସଭ୍ୟତା ଲୋପ ପାଇଯିବ ତାହେଲେ ଆଇନ ବ୍ୟବସ୍ଥାରେ କୌଣସି ପ୍ରାସଙ୍ଗିକତା ରହିବ ନାହିଁ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି | ଶନିବାର ଦିନ ଜାତୀୟ ଆନ ବିଶ୍ବବିଦ୍ୟାଳୟରେ ପୂର୍ବାଞ୍ଚଳ ଆଇନ ଶିକ୍ଷକ ସମ୍ମିଳନୀକୁ ମୁଖ୍ୟ ଅତିଥିଭାବେ ଉଦ୍‌ଘାଟନ କରି ସେ ଏହି ମତ ଦେଇଥିଲେ | ବିକଶିତ ଭାରତର ଗଠନ ପାଇଁ ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ଭଳି ଶିକ୍ଷାନୁଷ୍ଠାନର ଉନ୍ନତିକରଣ ହେବା ଆବଶ୍ୟକ ବୋଲି କହିଥିଲେ |
ମନୁପାତ୍ର ସମ୍ମିଳନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତିଷ୍ଠାତା ନିର୍ଦ୍ଦେଶକ ଦୀପକ କାପୁର ଆଇନ ବୃତ୍ତିକ୍ଷେତ୍ରରେ ଦେଖାଦେଉଥିବା ଆହ୍ବାନ ବିରୁଦ୍ଧରେ ଲଢିବା ପାଇଁ ଶିକ୍ଷାଦାନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରାଯିବା ଦରକାର ବୋଲି କହିଥିଲେ | ଯାହାଦ୍ବାରା ସେମାନେ ଶିକ୍ଷାଦାନ ପରେ ଏହି କ୍ଷେତ୍ରରେ ନିଜର ଶ୍ରେଷ୍ଠତା ପ୍ରତିପାଦନ କରିପାରିବେ |

ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ବେଦ କୁମାରୀ ଆଇନ ଶିକ୍ଷାରେ ପରିଶ୍ରମ କରିବା ଅନିବାର୍ଯ୍ୟ, ଏହାଦ୍ବାରା ବୃତ୍ତି ଏବଂ ବ୍ୟକ୍ତିଗତ ଜୀବନରେ ସଫଳତା ମିଳିପାରିବ ବୋଲି କହିଥିଲେ |
ବିଶ୍ବବିଦ୍ୟାଳୟର କୁଳସଚିବ ପ୍ରଫେସର ରଙ୍ଗୀନ ପଲ୍ଲବ ତ୍ରିପାଠୀ ବିଭିନ୍ନ ଆଇନ ସମ୍ବନ୍ଧୀୟ ଓ ଆଇନ ଶିକ୍ଷକଙ୍କ ଭୂମିକା ସମ୍ବନ୍ଧୀୟ ପ୍ରଶ୍ନ ଉପସ୍ଥାପନ କରିଥିଲେ ଏବଂ ମଞ୍ଚାସୀନ ଅତିଥି ତଥା ବୁଦ୍ଧିଜୀବୀମାନେ ଏହାର ଉତ୍ତର ରଖିଥିଲେ | ଏହି ସମ୍ମିଳନୀ ତିନୋଟି ଅଧିବେଶନରେ ଅନୁଷ୍ଠିତ ହୋଇଥିଲା | ଆଇନ ଶିକ୍ଷକଙ୍କର ଭୂମିକା, ଛାତ୍ରଛାତ୍ରୀଙ୍କୁ ଆଇନବୃତ୍ତି ପାଇଁ ପ୍ରସ୍ତୁତି ଏବଂ ଆଇନ ଶିକ୍ଷାକ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ବ୍ୟବହାର ଉପରେ ଗବେଷକମାନେ ମତ ଉପସ୍ଥାପନ କରିଥିଲେ |
ଡିନ୍ ଓ ପ୍ରଫେସର ଡ. ଶିଲା ରାୟ ସମ୍ମିଳନୀ ଶେଷରେ ନିଜର ମତାମତ ଉପସ୍ଥାପନ କରିବା ସହ ସମ୍ମିଳନୀକୁ ସଫଳତାର ସହ ପରିଚାଳନା କରିଥିବା ସମସ୍ତ ପ୍ରଫେସର, ଅଡ଼୍ୟାପକ, ଛାତ୍ରଛାତ୍ରୀ ଓ ପ୍ରଶାସନିକ କାର୍ଯ୍ୟକର୍ତ୍ତା ତଥା ସାମ୍ବାଦିକ ବନ୍ଧୁମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |