ଆଗରପଡ଼ା :୨୦୧୬ ମସିହାରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଳକରେ ୩ଟି ନୂତନ ପଂଚାୟତ ଗଠନ କରାଯାଇଥିଲା । ପୁରୁଷଣ୍ଢ ପଂଚାୟତକୁ ଭାଗ କରାଯାଇ ବଡ଼ହାଟ ତ୍ରିଲୋଚନପୁର(ବି.ଟି.ପୁର)ପଂଚାୟତ,କାଦବରାଙ୍ଗ ପଂଚାୟତକୁ ଭାଗ କରାଯାଇ ବଡ଼ବର୍ଚ୍ଚିକୟାଁ ପଂଚାୟତ ଓ ଅଣିଜୋ ପଂଚାୟତକୁ ଭାଗ କରାଯାଇ ଚାରିଗାଁ(ଚକ୍ରାପାଢୀ)ପଂଚାୟତ ଗଠନ କରାଯାଇଥିଲା । ନୂତନ ପଂଚାୟତ ଗଠନ ହେବାକୁ ଇତି ମଧ୍ୟରେ ୮ବର୍ଷ ବିତିବାକୁ ବସିଥିଲେ ସୁଧା ବିଭାଗୀୟ ଅଧିକାରଙ୍କ ଅଣଦେଖାରୁ ପଂଚାୟତ ଗଠନର ଆଭିମୁଖ୍ୟଠାରୁ ବହୁ ଦୂରରେ ରହିଯାଇଛି ଉକ୍ତ ୩ଗୋଟି ପଂଚାୟତ । ବିଟିପୁର ପଂଚାୟତ କାର୍ଯ୍ୟାଳୟ ନୂତନ ଗୃହ ନିମନ୍ତେ ଜମି ଅଧିଗ୍ରହଣ କରାଯିବା ପରେ ୩୩ଲକ୍ଷ ୭୦ ହଜାର ଟଙ୍କା ମଂଜୁର ହୋଇଥିଲା । ୨୦୧୮ ମସିହା ଜାନୁଆରୀ ୬ ତାରିଖରେ କନିଷ୍ଠ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ମିଳିବା ସହିତ ୯୦ ଦିନ ମଧ୍ୟରେ ଏହି କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ଉଲ୍ଲେଖ ରହିଥିଲା । ମାତ୍ର ଅବଧି ସରିବା ପରେ ସୁଦ୍ଧା ରାଜନୈତିକ ଆକ୍ରୋଶ ଯୋଗୁଁ ୫ବର୍ଷ ପରେ ମଧ୍ୟ ଏକ ପୂର୍ଣ୍ଣାଙ୍ଗ ଗୃହ ନିର୍ମାଣ ହୋଇପାରିନଥିଲା । ସେହିପରି ପଂଚାୟତ ଗଠନ ପରେ ପଂଚାୟତର ଉନ୍ନତି ପାଇଁ ବିଭିନ୍ନ ସମୟରେ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ଭିନ୍ନ ଭିନ୍ନ ଯୋଜନା ମାନ ପ୍ରଣୟନ ହେଉଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ ଓ ପ୍ରଶାସନର ଅଣଦେଖାରୁ ଉନ୍ନୟନ ମୂଳକ କାର୍ଯ୍ୟ ହୋଇପାରୁନଥିବା ଜଣାପଡ଼ିଛି । ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବିଟିପୁର ପଂଚାୟତରେ । ଉକ୍ତ ପଂଚାୟତର ଉନ୍ନୟନ ମୂଳକ କାର୍ଯ୍ୟରେ ବ୍ଲକ ପ୍ରଶାସନ ଓ ବିଭାଗୀୟ ଅଧିକାରୀ ଅଣଦେଖା କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି । ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ ଗତ ଜୁଲାଇ ମାସରେ ବିଟିପୁର ସରପଂଚ ଓ ପଂଚାୟତବାସୀ ପଂଚାୟତର ଉନ୍ନୟତ ମୂଳକ କାର୍ଯ୍ୟ ପାଇଁ ସରକାରୀ ଜାଗାର ଆବଶ୍ୟକତା ଥିବାରୁ ଉକ୍ତ ଆବଶ୍ୟକତାକୁ ପୂରଣ ନିମନ୍ତେ ପତ୍ର ମାଧ୍ୟମରେ ସ୍ଥାନୀୟ ବିଧାୟକ ସଂଜୀବ ମଲ୍ଲିକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପଂଚାୟତର ୭ଗୋଟି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଯଥା;ପଂଚାୟତ ଊପସ୍ୱାସ୍ଥ୍ୟ କେନ୍ଦ୍ର,ଜଳ ଓ ପରିମଳ ବିଭାଗ କ୍ୱାର୍ଟର,ପଥପ୍ରାନ୍ତ ସୁବିଧା କେନ୍ଦ୍ର(ବିଟିପୁର ସୁଲଭ ଶୌଚାଳୟ ପାଖରେ),ଲକ୍ଷ୍ମୀ ବସ୍ଷ୍ଟପ୍(ଲକ୍ଷ୍ମୀ ବଜାର ନିକଟରେ),ଶ୍ମଶାନଘାଟ,ନକୁଳ ଚୁଆ ପୋଖରୀ ସୌନ୍ଦର୍ଯ୍ୟକରଣ ଏବଂ ଗ୍ରାମ୍ୟ ଊନ୍ନୟମ ବିଭାଗ ୨ଗୋଟି କାର୍ଯ୍ୟ ଆଦି ପ୍ରକଳ୍ପ ନିର୍ମାଣ ଏବଂ ତତ୍ସହିତ ପଂଚାୟତରେ ଏକ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ ନିମନ୍ତେ ସରକାରୀ ଜାଗାର ଆବଶ୍ୟକତାକୁ ଆଖି ଆଗରେ ରଖି ଅପବ୍ୟବହୃତ ସରକାରୀ ଜାଗାକୁ ଖୋଜି ବାହାର କରିବା ସହିତ ଏହାକୁ ପଂଚାୟତକୁ ହସ୍ତାନ୍ତର କରିବା ପାଇଁ ଶ୍ରୀ ମଲ୍ଲିକ ଗତ ଅଗଷ୍ଟ ମାସ ୯ତାରିଖରେ ତହସିଲଦାର,ବନ୍ତଙ୍କୁ ପତ୍ର ମାଧ୍ୟମରେ ନିବେଦନ କରିଥିଲେ । କିନ୍ତୁ ଇତି ମଧ୍ୟରେ ୪୫ଦିନ ବିତି ଯାଇଥିଲେ ସୁଦ୍ଧା ବ୍ଲକ ପ୍ରଶାସନ ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେହିପରି ଉନ୍ନୟନ ମୂଳକ କାର୍ଯ୍ୟରେ ଜବରଦଖଲ ମଧ୍ୟ ବାଧା ସୃଷ୍ଟି କରୁଥିବାରୁ ସରକାରୀ ଜାଗାରୁ ଜବରଦଖଲ ଉଚ୍ଛେଦ ନିମନ୍ତେ ପଂଚାୟତ ପକ୍ଷରୁ ବାରମ୍ବାର ଅଭିଯୋଗ କରାଯାଉଥିଲେ ସୁଦ୍ଧା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଅସନ୍ତୋଷ ଦେଖା ଦେଇଛି । ଏହି ସବୁ ସମସ୍ୟା ସହିତ ପଂଚାୟତର ଉନ୍ନୟନ ମୂଳକ କାର୍ଯ୍ୟରେ ପ୍ରଶାସନର ଅଣଦେଖାକୁ ନେଇ ବନ୍ତ ତହସିଲଦାରଙ୍କୁ ଯୋଗାଯୋଗ କରିବାରୁ ବିଟିପୁର ପଂଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ସରକାରୀ ଜାଗାର ଆବଶ୍ୟକତା ପୂରଣ ନିମନ୍ତେ ବିଧାୟକଙ୍କ ଅନୁରୋଧ ଉପରେ ବ୍ଳକ ପ୍ରଶାସନ କାର୍ଯ୍ୟ କରୁଥିବା ପ୍ରକାଶ କରିଥିଲେ । ତେଣୁ ପଂଚାୟତବାସୀଙ୍କ ବିହିତ ସ୍ୱାର୍ଥକୁ ଆଖି ଆଗରେ ରଖିବା ସହ ସରକାରଙ୍କ ପଂଚାୟତ ଗଠନ ଆଭିମୁଖ୍ୟକୁ ପ୍ରହସନରେ ପରିଣତ ନକରି ପ୍ରଶାସନ ଯଥାଶିଗ୍ର ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଂଚାୟତବାସୀ ଦାବି କରିଛନ୍ତି ।