Spot 1726891588

ନାବାଳିକାଙ୍କ ପ୍ରେମରେ ପାଗଳ ଥିଲେ ବିବାହିତ ଯୁବକ, ଦୁହେଁ ଝୁଲି ପଡ଼ିଲେ

Crime State

ସାଲେପୁର : ବିବାହିତ ହୋଇ ଘର ସଂସାର କରିବା ପରେ ବି ଜଣେ ନାବାଳିକାଙ୍କ ପ୍ରେମରେ ପାଗଳ ହେଲେ ଯୁବକ । ମାତ୍ର ପରିବାର ଆଗରେ ନିଜ ଭଲ ପାଇବା କଥା ଖୋଲିକି କହି ପାରିଲେନି କି ପ୍ରେମିକା ବିନା ରହି ବି ପାରିଲେନି। ଶେଷରେ ଚରମ ନିଷ୍ପତ୍ତି ପ୍ରେମୀ ଯୁଗଳ ନେଲେ । ଆଜି ସକାଳୁ ଗଛରୁ ଉଭୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୁଲିସ୍‌। ଏପରି ଏକ ଘଟଣା ଆଜି ସକାଳେ କଟକ ଜିଲ୍ଲା ସାଲେପୁର ଥାନା ନାଳିଆମୁହଁ ନିକଟ ଅଲିପୁରରେ ଘଟିଛି।
ମୃତ ଯୁବକଜଣକ ଅଲିପୁର ଗାଁର ମନୋଜ ସାମଲ । ସେ ପାଗା ଅଞ୍ଚଳର ଜଣେ ନାବାଳିକାଙ୍କୁ କିଛି ଦିନ ହେବ ପ୍ରେମ କରୁଥିବା ଜଣାପଡ଼ିଛି। ମନୋଜ ୫ ବର୍ଷ ପୂର୍ବେ ବିବାହ କରିଥିବା ବେଳେ ତାଙ୍କର ଏକ ୩ ବର୍ଷର ପୁଅ ଅଛି।
ମାତ୍ର କିଛି ମାସ ହେବ ସେ ଜଣେ ନାବାଳିକାଙ୍କ ପ୍ରେମରେ ପଡ଼ିଥିଲେ। ଉଭୟ ଫୋନ୍‌ରେ କଥା ହେଉଥିବା ନାବାଳିକାଙ୍କ ପିତା କହିଛନ୍ତି। କିନ୍ତୁ ପୁଅ ବାପା ଘଟଣା ସମ୍ପର୍କରେ କିଛି ଜାଣି ନ ଥିବା କହିଛନ୍ତି।
ଗତକାଲି ସନ୍ଧ୍ୟାରୁ ନାବାଳିକାଜଣକ ଘରୁ କେଉଁ ଆଡ଼େ ଚାଲି ଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ଝିଅକୁ ନ ପାଇବାରୁ ପାଗା ଫାଣ୍ଡିରେ ଅଭିଯୋଗ କରିଥିଲେ।
ନାବାଳିକାଜଣକ ପୁଅ ଗାଁକୁ ଚାଲି ଆସିଥିବା ବେଳେ ଉଭୟ କେଉଁଆଡ଼େ ଚାଲି ଯାଇଥିଲେ। ଗତକାଲି ରାତି ସାରା ପୁଅ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ବି ସନ୍ଧାନ ପାଇ ନ ଥିଲେ। ଆଜି ସକାଳେ ଗାଁର ନିଛାଟିଆ ସ୍ଥାନରେ ଥିବା ଏକ ଗଛରେ ଉଭୟଙ୍କ ଝୁଲନ୍ତା ମୃତଦେହ ଗାଁ ଲୋକେ ଦେଖିବାକୁ ପାଇଥିଲେ। ଏନେଇ ଖବର ପାଇ ଉଭୟ ପୁଅ ଓ ଝିଅ ଘର ଲୋକଙ୍କ ସମେତ ପୁଲିସ୍‌ ବି ଘଟଣାସ୍ଥଳରେ ପହଞ୍ଚିଛି।
ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ଉଭୟଙ୍କ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପଠାଯିବ । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ଆତ୍ମହତ୍ୟାଜନିତ ମୃତ୍ୟୁ ନା ଆଉ କିଛି ତାହା ସ୍ପଷ୍ଟ ହେବ ବୋଲି ପୁଲିସ୍‌ ଅଧିକାରୀ କହିଛନ୍ତି।