Ratna Bhandar

୧୮ରେ ରତ୍ନଭଣ୍ଡାର ଯାଞ୍ଚ କରିବ ASI, ଦିନ ୧ ଟାରୁ ଦର୍ଶନ ବନ୍ଦ କିନ୍ତୁ ମିଳିବ ମହାପ୍ରସାଦ

State

ପୁରୀ : ଆସନ୍ତା ୧୮ରେ ରତ୍ନଭଣ୍ଡାର ଯାଞ୍ଚ । ଏଏସଆଇ ପକ୍ଷରୁ ଆସନ୍ତା ୧୮ ତାରିଖ ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ ଅନୁଷ୍ଠିତ ହେବ । ଏନେଇ ଏଏସ୍ଆଇ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ସୂଚନା ଦିଆଯାଇଛି । ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏହି ପ୍ରାରମ୍ଭିକ ନିରୀକ୍ଷଣ ଏବଂ ବୈଷୟିକ ଯାଞ୍ଚ ଅନୁଷ୍ଠିତ ହେବ । ରାଜ୍ୟ ସରକାରଙ୍କ ଅନୁମୋଦିତ SOP ଅନୁସାରେ ଏହା ହେବ । ଏଏସଆଇର ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ବରେ ନିରୀକ୍ଷଣ ହେବ । ଏଥିପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

୧୭ ତାରିଖ ଦିନ ଦିନ ରାତ୍ର ୨ଟାରୁ ଦ୍ବାରଫିଟା, ରାତ୍ର ୩ଟାରେ ମଙ୍ଗଳ ଆଳତି ହେବ । ଏହାପରେ ୧୮ ତାରିଖରେ ଦିନ ୧ଟାରୁ ନିରୀକ୍ଷଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ମହାପ୍ରସାଦ କ୍ରୟ କରିବାକୁ ଇଚ୍ଛୁକ ଭକ୍ତ ସିଂହଦ୍ଵାର ପଟେ ବାଇଶି ପାହାଚ ଦେଇ ଆନନ୍ଦବଜାରରୁ ମହାପ୍ରସାଦ କିଣି ଉତ୍ତର ଦ୍ୱାର ପଟେ ପ୍ରସ୍ଥାନ କରିପାରିବେ ।

ପୂର୍ବରୁ ରାଜ୍ୟ ସରକାରଙ୍କ ଅନୁମୋଦିତ SOP ଅନୁସାରେ ବାହାର ଓ ଭିତର ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗ କୋଠରୀକୁ ସ୍ଥାନାନ୍ତରିତ ହୋଇସାରିଛି । ପରେ ଏଏସ୍ଆଇ କୁ ସଂରକ୍ଷଣ ତଥା ମରାମତି କାର୍ଯ୍ଯ ହାତକୁ ନେବାକୁ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରିଥିଲେ। ତେବେ ମରାମତି ପୂର୍ବରୁ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ସର୍ଭେ କରାଯିବାକୁ ଅନୁରୋଧ କରାଯାଇଥିଲା ।  ଏହା ଦ୍ବାରା ଯେପରି ଶ୍ରୀମନ୍ଦିର ଉପରେ କୌଣସି ପ୍ରତିକୂଳ ପ୍ରଭାବ ନ ପଡିବ ସେଥିପ୍ରତି ଧ୍ୟାନ ଦେବାକୁ ଏଏସଆଇ କୁ ଅନୁରୋଧ କରାଯାଇଥିଲା । ପୂର୍ଣାଙ୍ଗ ଅତ୍ଯାଧୁନିକ ତଥା ବୈଷୟିକ ଯାଞ୍ଚ ପରେ ଏଏସ୍ଆଇ ରତ୍ନଭଣ୍ଡାରର ସଂରକ୍ଷଣ ଓ ମରାମତି କାର୍ଯ୍ଯ ଶୀଘ୍ର ସାରିବାକୁ ମୁଖ୍ଯ ପ୍ରଶାସକ ଅନୁରୋଧ କରିଛନ୍ତି ।