Img 20240911 Wa0193

ମୟୂରଭଞ୍ଜରେ ଚଳଚଂଚଳ ସୁଭଦ୍ରା ଯୋଜନା; ପ୍ରତିଟି ଗାଁରେ ପ୍ରଚାର ଗାଡି ବୁଝାଉଛି ଯୋଜନା ବିଷୟରେ

State

ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆବେଦନ ପ୍ରକ୍ରିୟା ଚାଲୁଛି

ବାରିପଦା:  ସମଗ୍ର ରାଜ୍ୟର ମହିଳାଙ୍କ ଆର୍ଥିକ ଓ ସାମାଜିକ କଲ୍ୟାଣ ନିମନ୍ତେ ରାଜ୍ୟ ସରକାରଙ୍କ ବହୁ ଆକାଂକ୍ଷିତ ଏବଂ ଯୁଗାନ୍ତକାରୀ ସୁଭଦ୍ରା ଯୋଜନା ଆଜି ମୟୂରଭଞ୍ଜ ଜିଲ୍ଲାର ଘରେ ଘରେ ଆଦୃତ। ଜିଲ୍ଲା ପ୍ରଶାସନର ସମସ୍ତ ପ୍ରଚେଷ୍ଟାରେ ଜିଲ୍ଲାର ପ୍ରତିଟି ପଂଚାୟତ ଠାରୁ ଆରମ୍ଭ କରି ସଦର ମହକୁମା ପର୍ଯ୍ୟନ୍ତ ସୁଭଦ୍ରା ଯୋଜନାର ହିତାଧିକାରୀ ମାନେ ନିଃଶୁଳ୍କ ଆବେଦନ କରିପାରୁଛନ୍ତି।ଏହି ଯୋଜନାର ସଫଳ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ, ଏଥି ସହିତ ଜଡିତ ସମସ୍ତ ଅଧିକାରୀ ବର୍ଗଙ୍କ ସମେତ ପଞ୍ଚାୟତିରାଜ ଅନୁଷ୍ଠାନ ସଦସ୍ୟଙ୍କୁ ନେଇ ସମସ୍ତ ଉପାଦେୟ ପ୍ରକ୍ରିୟା ବଳି ଜିଲ୍ଲାରେ ଲାଗୁ କରିଛନ୍ତି ।

ଜିଲ୍ଲାର ପ୍ରତ୍ୟେକ ହିତାଧିକାରୀ ମା, ଭଉଣୀ କିଭଳି ଏହି ସୁବିଧାର ଉପଯୋଗ କରି ପାରିବେ, ସେ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଅଛି। ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନେ ଅଞ୍ଚଳର ଜିଲ୍ଲାରେ ଥିବା ସର୍ବମୋଟ ୧୪୫୫ଟି ପ୍ରାଧୀକୃତ ଜନ ସେବା କେନ୍ଦ୍ର ଏବଂ ମୋ ସେବା କେନ୍ଦ୍ରକୁ ପରିଦର୍ଶନ କରି ଏଠାରେ କାର୍ଯ୍ୟକାରିତାକୁ ତଦାରଖ କରୁଛନ୍ତି । ସୁଭଦ୍ରା ଯୋଜନାର ଆବେଦନ ଫର୍ମର ସ୍ଥିତି ଅନୁଧ୍ୟାନ କରିବା ଏବଂ ଜନସାଧାରଣଙ୍କୁ ସାମଗ୍ରିକ ସେବା ପ୍ରଦାନ କରିବା ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ସୟ ମତପ୍ରକାଶ କରିଛନ୍ତି।

କେନ୍ଦ୍ରଗୁଡ଼ିକରେ ବିଡ଼ିଓ ଏବଂ ଅନ୍ୟାନ୍ୟ ଅଧିକାରୀ ଓ ନୋଡାଲ ଅଫିସର ମାନେ ଉପସ୍ଥିତ ହିତାଧିକାରୀଙ୍କ ସହ ଆଲୋଚନା କରି ଆବେଦନ ପ୍ରକ୍ରିୟା ଏବଂ ପ୍ରଦାନ କରାଯାଉଥିବା ସେବା ସମ୍ପର୍କରେ ପ୍ରତ୍ୟକ୍ଷ ମତାମତ ସଂଗ୍ରହ କରୁଛନ୍ତି ତତସହିତ ସୁଭଦ୍ରା ଯୋଜନାର ସଫଳ ରୂପାୟନରେ ସେମାନଙ୍କର ଭୂମିକାର ଗୁରୁତ୍ୱ ଉପରେ କେନ୍ଦ୍ର ଅପରେଟରମାନଙ୍କୁ ବୁଝାଯାଉଛି ବୋଲି ଜିଲ୍ଲାପାଳ କହିଥିଲେ। ଆବଶ୍ୟକ ଦସ୍ତାବିଜ ଉପରେ ଆବେଦନକାରୀଙ୍କୁ ସ୍ପଷ୍ଟ ମାର୍ଗଦର୍ଶନ, ସଠିକ ସମୟରେ ପ୍ରକ୍ରିୟାକରଣ ଏବଂ ସମସ୍ତ କାର୍ଯ୍ୟରେ ସ୍ୱଚ୍ଛତା ବଜାୟ ରଖି କେନ୍ଦ୍ର ଗୁଡିକୁ ଆସୁଥିବା ହିତାଧିକାରୀମାନେ ଯେମିତି ସଠିକ ଭାବେ ସୁଭଦ୍ରା ପୋର୍ଟାଲରେ ପଞ୍ଜିକରଣ କରିବେ ସେଥି ପ୍ରତି ଧ୍ୟାନ ଦେବା ପାଇଁ ଅପରେଟର ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ଜିଲ୍ଲାରେ ସୂଚନା, ଶିକ୍ଷା ଓ ଯୋଗାଯୋଗ ମାଧ୍ୟମରେ ଯୋଜନାକୁ ନେଇ ଥିବା ଭ୍ରମ ଓ ଭ୍ରାନ୍ତ ଧାରଣା ଦୂର କରାଯାଇପାରୁଛି ଓ ଏଥିପାଇଁ ସୁଭଦ୍ରା ଯୋଜନାରେ ଆବେଦନ କରୁଥିବା ସମ୍ଭାବ୍ୟ ହିତାଧିକାରୀଙ୍କ ମତାମତ ଗ୍ରହଣ କରାଯାଇ ବହୁଳ ପ୍ରଚାର କରାଯାଉଛି । ଏଥି ନିମନ୍ତେ ୨୬ଟି ବ୍ଲକ ଓ ୪ଟି ସହରାଂଚଳ ସ୍ୱାୟତ୍ତ ଶାସନ ସଂସ୍ଥା ପାଇଁ ୧୩ଟି IEC ପ୍ରଚାର ଗାଡିର ବ୍ୟବସ୍ଥା କରାଯାଇଛି ଯାହାକି ପ୍ରତ୍ୟେକ ଦିନ ପ୍ରତ୍ୟେକ ଗାଁ ଗାଁ ବୁଲି ସୁଭଦ୍ରା ଯୋଜନା ବିଷୟରେ ଲୋକମାନଙ୍କୁ ବୁଝାଉଛି ଏବଂ ଆବେଦନର ସମ୍ପୂର୍ଣ୍ଣ ପ୍ରକ୍ରିୟା ସମ୍ବଧରେ ଆଲୋଚନା କରୁଛି। ସମସ୍ତ CSC କେନ୍ଦ୍ର ଏବଂ MSK କେନ୍ଦ୍ର ମାନଙ୍କରେ କାର୍ଯ୍ୟଶୈଳୀକୁ ଆହୁରି ସୁମାର୍ଜିତ କରିବାପାଇଁ ସମସ୍ତ ପ୍ରଚେଷ୍ଟାକୁ ତ୍ୱରାନ୍ୱିତ କରାଯାଉଛି ଏବଂ ଏଥିପାଇଁ E-KYC ପ୍ରକ୍ରିୟାକରଣ ମଧ୍ୟ ହଟା ଯାଇଛି। ଯାହାଫଳରେ ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ ହେବାକୁ ଥିବା ମା ଭଉଣୀ ମାନଙ୍କର ଆବେଦନ ପ୍ରକ୍ରିୟାରେ କୌଣସି ପ୍ରତିବନ୍ଧକ ନ ରହୁ ସେଠି ନିମନ୍ତେ ପ୍ରଚେଷ୍ଟା କରାଯାଉଛି। ବିଶେଷକରି ଏହା ଏକ ନିରନ୍ତର ଓ ସମୟ ସୀମା ପ୍ରତିବଦ୍ଧତା ବିହୀନ ପ୍ରକ୍ରିୟା ହୋଇଥିବାରୁ ହିତାଧିକାରୀ ମାନଙ୍କୁ ବ୍ୟସ୍ତ ନହୋଇ କିମ୍ବା ଆବେଦନ କେନ୍ଦ୍ର ମାନଙ୍କରେ ଭିଡ ନ କରି ପ୍ରକ୍ରିୟାରେ ସହଯୋଗ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।

ଏଠାରେ ସୂଚନା ଥାଉ କି, କୌଣସି ଜନ ସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ର କାର୍ଯ୍ୟରେ ଅବହେଳା କିମ୍ବା ଅନିୟମିତତା କଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚାଇ ଦିଆଯାଇଛି। ସୁଭଦ୍ରା ଆବେଦନର ଅଗ୍ରଗତି ଓ ଅନୁପାଳନ ଉପରେ ନଜର ରଖିବା ପାଇଁ ନିୟମିତ ଅନୁଧ୍ୟାନ କରାଯିବା ପାଇଁ ଜିଲ୍ଲାର ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ, ତହସିଲଦାର, ସିଡିପିଓଙ୍କୁ ନିଜ ଅଞ୍ଚଳର ଜନ ସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ରର ଗସ୍ତ କରିବା ପାଇଁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି I ଏଥି ନିମନ୍ତେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ସିଙ୍କୁ ସୂଚନା, ଶିକ୍ଷା ଓ ଯୋଗାଯୋଗ କାର୍ଯ୍ୟକ୍ରମର ଗୁରୁ ଦାୟିତ୍ୱ ବହନ କରିଥିବା ବେଳେ ଜିଲ୍ଲା ପ୍ରକଳ୍ପ ପରିଚାଳକ ଶ୍ରୀ ମନୋରଥ ଜଗନ୍ନାଥ, ଜିଲ୍ଲା ଇ-ଗଭର୍ନାନ୍ସ ମ୍ୟାନେଜର, ଶ୍ରୀମତୀ ସେବତୀ କର, ଡ଼ିପିଏମ (ଏନପି) ହରିଶ ଧଳ, ଏବଂ ଡିପିଏ ଶ୍ରୀ ବିକାଶ ପଣ୍ଡା ଜିଲ୍ଲାରେ ଏହି ଯୋଜନାର କାର୍ଯ୍ୟକାରିତା ଏବଂ ସଫଳତା ପାଇଁ ସମସ୍ତ ବିଭାଗୀୟ କାର୍ଯ୍ୟ କରୁଛନ୍ତି ।