Minati

ଗଣ ଦୁଷ୍କର୍ମ ଘଟଣାରେ ପୀଡିତାଙ୍କ ଗ୍ରାମରେ ରାଜ୍ୟ ମହିଳା କମିଶନର, ୧୫ ଦିନ ମଧ୍ୟରେ ଚାର୍ଜସିଟ ଦାଖଲ ପାଇଁ ଏସପିଙ୍କୁ ନିର୍ଦ୍ଦେଶ

State

ଢେଙ୍କାନାଳ :  ସଦରଥାନା ଭାପୁର ଫାଣ୍ଡି ଅଞ୍ଚଳରେ ଅସହାୟ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଘଟଣା । ପୀଡିତାଙ୍କ ଗାଁ ଓ ସଖୀ କେନ୍ଦ୍ରରେ ପହଞ୍ଚି ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଘଟଣାର ତଦନ୍ତ କରିଛନ୍ତି । ଏଥି ସହ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯାଳୟରେ ପହଞ୍ଚି ସଠିକ ଦିଗରେ ତଦନ୍ତ କରି ୧୫ ଦିନ ମଧ୍ୟରେ ଚାର୍ଜସିଟ ଦାଖଲ କରିବା ପାଇଁ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପୋଲିସ ସଠିକ ସମୟରେ ଉଚିତ ପଦକ୍ଷେପ ନେଇ କାମ କରୁଥିବା ସେ କହିଛନ୍ତି ।

ଘଟଣା ଫାଷ୍ଟ ଟ୍ରାକ କୋର୍ଟରେ କିଭଳି ଶୀଘ୍ର ପଡିବା ସହ ଦୋଷୀମାନେ ଉଚିତ ଦଣ୍ଡ ପାଇବେ ଏବଂ ପୀଡିତାଙ୍କୁ କ୍ଷତିପୂରଣ ଦିଆଯାଇ ସମାଜରେ ସମ୍ମାନର ସହିତ ବଞ୍ଚିବାର ଅଧିକାର ଦିଆଯିବ ସେ ନେଇ ଏସପିଙ୍କ ସହ ଆଲୋଚନା କରିଛନ୍ତି । ଏପଟେ ଅତିରିକ୍ତ ଏସପି ସୁର୍ଯ୍ୟ ମଣି ପ୍ରଧାନ କହିଛନ୍ତି ଏସପିଙ୍କ ନିର୍ଦ୍ଦେଶ କ୍ରମେ ଘଟଣାକୁ ଗୁରୁତର ସହ ନିଆଯାଇ ତଦନ୍ତ ସହ ପଦକ୍ଷେପ ନିଆଯାଉଛି । ଘଟଣାରେ ଏଯାବତ ପାଞ୍ଚ ଜଣଙ୍କୁ ପୋଲିସ ଗିରଫ କରିଛି। ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତମାନଙ୍କୁ ଧରାଯିବ ବୋଲି ଅତିରିକ୍ତ ଏସପି ସୁର୍ଯ୍ୟମଣି ପ୍ରଧାନ କହିଛନ୍ତି।