Teacher

ବିଦ୍ୟାଳୟରେ ମାତାଲ ଶିକ୍ଷକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

State

ଯାଜପୁର ଟାଉନ: ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଆଲୋକ ଭଳି ସଠିକ ରାସ୍ତା ଦେଖାନ୍ତି ଯିଏ ସେ ହେଉଛନ୍ତି ଗୁରୁ । ମା’ ବାପାଙ୍କ ପରେ ଗୁରୁ ହିଁ ଆମର ମାର୍ଗଦର୍ଶକ ସାଜନ୍ତି । ଆମକୁ ଅନେକ ଶିକ୍ଷା ଦିଅନ୍ତି ଆଉ ବେଳେବେଳେ ଶୃଙ୍ଖଳିତ କରିବା ପାଇଁ କଠୋର ଅନୁଶାସନରେ ବି ରଖନ୍ତି । ହେଲେ ବିଦ୍ୟାଳୟରେ ମାତାଲ ଅବସ୍ଥାରେ ଦେଖିବାକୁ ମିଳିଛି ଶିକ୍ଷକଙ୍କୁ । ପିଲାଙ୍କୁ ପାଠ ପଢ଼ାଇବା ବଦଳରେ ମଦ ପିଇ ଶ୍ରେଣୀ ଭିତରେ କଲେ ହଙ୍ଗାମା ।

ଚେୟାରରେ ବସି ଗୋଡ ଦିଟାକୁ ଟେକି ଟେବୁଲ ଉପରେ ରଖିଛନ୍ତି । ଆଉ ପଚାରିଲେ କହୁଛନ୍ତି ପିଲା ତ ଆସୁନାହାନ୍ତି କରିବି କଣ । ଜଣେ ଶିକ୍ଷକଙ୍କ ଏଭଳି ଉତ୍ତର ଶୁଣି ଆପଣ କଣ କହିବେ ଦର୍ଶକବନ୍ଧୁ । ପିଲା ଆସୁନାହାନ୍ତି ମାନେ କଣ ମଦ ପିଇକି ବିଦ୍ୟାଳୟକୁ ଆସିବେ । ତେବେ ସ୍କୁଲ ଭିତରେ ମଦ ପିଇ ମାତାଲ ଅବସ୍ଥାରେ ଶିକ୍ଷକଙ୍କୁ ଦେଖି ପୁରା ତାତିଗଲେ ଲୋକେ ।

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, ଯାଜପୁର ଜିଲ୍ଲା ଦଶରଥପୁର ଶିକ୍ଷା ମଣ୍ଡଳ ଜାଫରପୁର ପଂଚାୟତ ଅନ୍ତର୍ଗତ ବାଲି ସାହି ପ୍ରାଥମିକ ବିଦ୍ୟାଳୟରେ । ବିଦ୍ୟାଳୟରେ ଶିକ୍ଷକ ମଦ ପିଇ ମାତାଲ ହୋଇଥିବା ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ବାଲି ସାହି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରଦୀପ କୁମାର ଦାସଙ୍କ ବିରୋଧରେ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ ।

ସ୍ଥାନୀୟ ଲୋକେ ମାତାଲ ଶିକ୍ଷକଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ । ହେଲେ ଶିକ୍ଷକ ଜଣକ ମଦ ନିଶାରେ ଏମିତି ଚୁର ଥିଲେ ଯେ ଠିକରେ ଉଠି ବି ପାରୁନଥିଲେ । ଶିକ୍ଷା ଭଳି ପବିତ୍ର ମନ୍ଦିରରେ ଜଣେ ଶିକ୍ଷକଙ୍କ ଏଭଳି କାର୍ଯ୍ୟକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ତେବେ ପିଲାଙ୍କୁ ଶୃଙ୍ଖଳିତ କରିବା ପାଇଁ ଗୁରୁ ସବୁବେଳେ ଚେଷ୍ଟା କରିଥାନ୍ତି ହେଲେ, ଏଠି ଗୁରୁ ନିଜେ ବାଟବଣା, ପିଲାଙ୍କୁ କଣ ବାଟ ଦେଖାଇବେ । ତେବେ ତୁରନ୍ତ ଏହି ଶିକ୍ଷକଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ନେବାକୁ ଗ୍ରାମବାସୀ ଓ ଅଭିଭାବକ ମାନେ ଦାବି କରିଛନ୍ତି ।