Zzzzzzzz

ହରିଦାସପୁର-ପାରାଦ୍ୱୀପ ଦ୍ଵିତୀୟ ରେଳ ଲାଇନ ପାଇଁ ପ୍ରସ୍ତାବ ଦେଲେ ସାଂସଦ ବୈଜୟନ୍ତ

State

ଭୁବନେଶ୍ବର : କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପ-ସଭାପତି ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡା ହରିଦାସପୁର-ପାରାଦ୍ୱୀପ ଦ୍ଵିତୀୟ ରେଳ ଲାଇନ ପାଇଁ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ପ୍ରସ୍ତାବ ଦେଇଛନ୍ତି। ଗତକାଲି ଶ୍ରୀ ପଣ୍ଡା ଏହି ପ୍ରସ୍ତାବ ଦେଇଥିବା ଜଣାପଡିଛି।
ସୂଚନାଯୋଗ୍ୟ ଯେ ୧୯୯୬ ମସିହାରେ ପୂର୍ବତଟ ରେଳପଥର ଅଂଶ ଭାବେ ୮୨.୫ କି.ମି. ଦୀର୍ଘ ହରିଦାସପୁର-ପାରାଦୀପ ପ୍ରକଳ୍ପକୁ ମଞ୍ଜୁରି ମିଳିଥିଲା। ୧୯୯୯ ମସିହାରେ ତତ୍କାଳୀନ ରେଳ ମନ୍ତ୍ରୀ ନୀତିଶ କୁମାର ମାର୍ଶାଘାଇଠାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଓ ୨୦୦୪ ସୁଦ୍ଧା ଏହା ଶେଷ ହେବ ବୋଲି ପ୍ରତିଶୃତି ଦେଇଥିଲେ। ମାତ୍ର ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରିନଥିଲା। ସାଂସଦ ଶ୍ରୀ ପଣ୍ଡା ୨୦୦୯ରେ କେନ୍ଦ୍ରାପଡାରୁ ନିର୍ବାଚିତ ହେବା ପରେ ଏହି ପ୍ରକଳ୍ପକୁ ଗୁରୁତ୍ୱ ଦେବା ସହ କାର୍ଯ୍ୟ ତ୍ୱରାନ୍ୱିତ କରିବା ନେଇ ବାରମ୍ବାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ସହଭାଗିତା ଭିତ୍ତିରେ ଏହି ପ୍ରକଳ୍ପର ନିର୍ମାଣ ଦାୟିତ୍ୱ ରେଳ ବିକାଶ ନିଗମ ଲିମିଟେଡ, ଓଡ଼ିଶା ସରକାର, ଓଡ଼ିଶା ଖଣି ନିଗମ ଓ ପାରାଦୀପ ପୋର୍ଟ ଟ୍ରଷ୍ଟକୁ ଦିଆଯାଇଥିଲା। ଆନୁମାନିକ ୨୦୮୩.୯ କୋଟି ଟଙ୍କାର ଏହି ପ୍ରକଳ୍ପ ଲାଗି ଆବଶ୍ୟକ କିଛି ଜମି ଜଙ୍ଗଲ କ୍ଷେତ୍ରରେ ପଡୁଥିବାରୁ ତାହାର ଅଧିଗ୍ରହଣ ଦୀର୍ଘ ଦିନ ଧରି ପଡିରହିଥିଲା। ଏଥିପାଇଁ ସାଂସଦ ପଣ୍ଡା ୨୦୧୪, ଅକ୍ଟୋବର ୧୪ ତାରିଖରେ ତତ୍କାଳୀନ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ସାକ୍ଷାତ କରି ପ୍ରଥମ ପର୍ଯ୍ୟାୟ ପରିବେଶ ମଞ୍ଜୁରି ଆଣିଥିଲେ। ଏହାପରେ ୨୦୧୫ ଅଗଷ୍ଟ ୨୭ ତାରିଖରେ ଶ୍ରୀଯୁକ୍ତ ପଣ୍ଡା ତତ୍କାଳୀନ ରେଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ସାକ୍ଷାତ କରି ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କରିବା ଲାଗି ଓ ରେଳ ବଜେଟରେ ସ୍ୱତନ୍ତ୍ର ଭାବେ ବ୍ୟୟବରାଦ ଦେବା ଲାଗି ଦାବି କରିଥିଲେ। ଏହାପରେ ଏହି ପ୍ରକଳ୍ପକୁ ଶେଷ କରିବା ଲାଗି ଶ୍ରୀଯୁକ୍ତ ପଣ୍ଡା ତତ୍କାଳୀନ ରେଳ ମନ୍ତ୍ରୀ ପିୟୁଷ ଗୋଏଲଙ୍କ ସହ ବାରମ୍ବାର ଆଲୋଚନା ମଧ୍ୟ କରିଥିଲେ। ଶେଷରେ ୨୦୧୯ ମସିହାରେ ଏହି ପ୍ରକଳ୍ପଟି ଶେଷ ହୋଇଥିଲା।
ହରିଦାସପୁର-ପାରାଦୀପ ରେଳ ଲାଇନ ଉପକୂଳ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ, ଯାହା ୩ଟି ଜିଲ୍ଲା ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂପୁରକୁ ସଂଯୋଗ କରୁଛି। ବିଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଓଡ଼ିଶା ପ୍ରତି ସ୍ନେହ ଓ ପ୍ରୋତ୍ସାହନ ପାଇଁ ଏହି ପ୍ରକଳ୍ପଟି ଶେଷ ହୋଇପାରିଥିଲା। ଦ୍ଵିତୀୟ ରେଳ ଲାଇନ ହେଲେ କେନ୍ଦ୍ରାପଡା ଜିଲ୍ଲାରେ ଶିଳ୍ପ କରିଡର ଓ ଶିଳ୍ପାୟନ ପାଇଁ ପଥ ପରିଷ୍କାର ହେବା ସଙ୍ଗେ ସଙ୍ଗେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ଦେଇଥିବା ପ୍ରସ୍ତାବରେ ଶ୍ରୀ ପଣ୍ଡା ଦର୍ଶାଇଛନ୍ତି।