ଭୁବନେଶ୍ବର: ରାଜଧାନୀରେ ଟ୍ରାଫିକ୍ ପରିଚାଳନାକୁ ବ୍ୟବସ୍ଥିତ କରିବାକୁ ନିୟମିତ ଭାବେ ନୂଆ ଯୋଜନା କରାଯାଉଛି। ଟ୍ରାଫିକ୍ ପୋଷ୍ଟଠାରୁ ଆରମ୍ଭ କରି ସିଗ୍ନାଲ ପର୍ଯ୍ୟନ୍ତ ଭିତ୍ତିଭୂମିର ନବୀକରଣ କରାଯାଉଛି, ଅମାନିଆଙ୍କୁ ସାବାଡ୍ କରିବାକୁ ପଦକ୍ଷେପ ଗ୍ରହଣ କରାଯାଉଛି। ମାତ୍ର ରାଜଧାନୀର ଟ୍ରାଫିକ୍ ସମସ୍ୟାରେ ସୁଧାର ଆସୁନାହିଁ। ବରଂ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଅସ୍ଥିର ନେତୃତ୍ବ ଏହାର ମୁଖ୍ୟ କାରଣ ବୋଲି ଅଭିଯୋଗ ହେଉଛି। ରାଜ୍ୟ ରାଜଧାନୀରେ ଟ୍ରାଫିକ୍ ବ୍ୟବସ୍ଥା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହୋଇଥିଲେ ବି ଟ୍ରାଫିକ୍ ଡିସିପି ପଦରେ କୌଣସି ଅଧିକାରୀ ବର୍ଷଟିଏ ସୁଦ୍ଧା ତିଷ୍ଠି ପାରୁନାହାନ୍ତି। ଗତ ୬ ବର୍ଷରେ ୧୧ ଅଧିକାରୀ ବଦଳିଲେଣି। କୌଣସି ଅଧିକାରୀ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କରିବା ଆରମ୍ଭ କରିବାବେଳେ ହିଁ ତାଙ୍କର ରାତିଅଧିଆ ବଦଳି ହୋଇଯାଉଛି। କେବଳ ସେତିକି ନୁହେଁ, ଚାକିରି କାଳ ସରିବାର ଠିକ୍ ପୂର୍ବରୁ ହିଁ ଅଧିକାରୀମାନଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ପଦବିରେ ରଖାଯିବାର ବହୁ ଉଦାହରଣ ରହିଛି।
୨୦୧୮ ଜୁଲାଇରେ ଏସ୍କେ ମହାପାତ୍ର ଟ୍ରାଫିକ୍ ଡିସିପି ଭାବେ ନିଯୁକ୍ତ ପାଇଥିଲେ। ମାତ୍ର ମାସକ ପରେ ତାଙ୍କ ବଦଳି ହୋଇଗଲା। ତାଙ୍କ ବଦଳିର ୩ମାସ ପର୍ଯ୍ୟନ୍ତ ଏହି ପଦବି ଖାଲି ରହିଲା ଓ ବିନା ମୁରବିରେ ପରିଚାଳିତ ହେଲା ରାଜଧାନୀର ଟ୍ରାଫିକ୍ ବ୍ୟବସ୍ଥା। ଏହାପରେ ୨୦୧୮ ନଭେମ୍ବରରେ ବିକେ ସାହୁ ନିଯୁକ୍ତ ପାଇଲେ। କିନ୍ତୁ ୯ ମାସରେ ତାଙ୍କୁ ବଦଳି କରାଯାଇ ୨୦୧୯ ଅଗଷ୍ଟରେ ଏକେ ପଣ୍ଡାଙ୍କୁ ନିଯୁକ୍ତ ଦିଆଗଲା। କିନ୍ତୁ ସେ ମାତ୍ର ୧୯ ଦିନ ରହିପାରିଲେ। ସେହି ମାସରେ ଟ୍ରାଫିକ୍ ଡିସିପି ଭାବେ ପ୍ରଥମ ଥର ପାଇଁ ଜଣେ ଆଇପିଏସ୍ ଅଧିକାରୀଙ୍କୁ ନିଯୁକ୍ତି ଦିଆଗଲା। ଆଇପିଏସ୍ ସାଗରିକା ନାଥ ଏହି ଗୁରୁଦାୟିତ୍ବ ବହନ କଲେ। ଆଶା କରାଯାଉଥିଲା, ଏହି ଅସଜଡ଼ା ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେବ। ହେଲା ମଧ୍ୟ। କିନ୍ତୁ ୧୧ ମାସ ପରେ ତାଙ୍କର ବଦଳି ହେଲା। ତାଙ୍କ ପରେ ୨୦୨୦ ଅଗଷ୍ଟରେ ଆଇପିଏସ୍ ସୌମ୍ୟା ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଥିଲା।
ମାତ୍ର ୬ ମାସ ପରେ କ୍ୟାଡର୍ ପରିବର୍ତ୍ତନ କରି ସେ ପଞ୍ଜାବ ଚାଲିଯିବାରୁ ୨୦୨୧ ଫେବ୍ରୁଆରିରେ କେକେ ପାଣିଗ୍ରାହୀଙ୍କୁ ନିଯୁକ୍ତି ଦିଆଗଲା। ୮ ମାସ ଟ୍ରାଫିକ୍ ଦାୟିତ୍ବରେ ରହିବା ପରେ ତାଙ୍କୁ ମଧ୍ୟ ବଦଳି କରିଦିଆଗଲା। ୨୦୨୧ ଅକ୍ଟୋବରରେ ମାୟାଧର ସେଠୀଙ୍କୁ ନିଯୁକ୍ତ କରାଗଲା। ମାତ୍ର ୩ ମାସ ପରେ ସେ ଚାକିରିରୁ ଅବସର ନେଇଥିଲେ। ୨୦୨୨ ଜାନୁଆରିରେ ପୁଣି ଜଣେ ଆଇପିଏସ୍ ଏସ୍ ସୁଶ୍ରୀଙ୍କୁ ଦାୟିତ୍ବ ଦିଆଗଲା। ମାତ୍ର ୪ ମାସ ମଧ୍ୟରେ ତାଙ୍କୁ ଜିଲ୍ଲା ଏସ୍ପି ଭାବେ ବଦଳି କରିଦିଆଗଲା। ୨୦୨୨ ମେ’ରେ ଟିପି ପାତ୍ରଙ୍କୁ ଏହି ପଦବିରେ ନିଯୁକ୍ତି ମିଳିଲା। କିନ୍ତୁ ୧୦ ମାସ ପରେ ସେ ଅବସର ନେଲେ। କିଛିମାସ କାହାରିକୁ ନିଯୁକ୍ତି ଦିଆଗଲା ନାହିଁ। ୨୦୨୩ ମେ’ରେ ଏସ୍ସି ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଥିଲା। ୩ ମାସ ପରେ ସେ ବି ଅବସର ନେଲେ। ଶ୍ରୀ ମହାନ୍ତିଙ୍କ ଅବସରର ୩ମାସ ପର୍ଯ୍ୟନ୍ତ ଡିସିପି ଟ୍ରାଫିକ୍ ପଦ ଫାଙ୍କା ରହିଲା। ୨୦୨୩ ନଭେମ୍ବରରେ ପ୍ରାଣକୃଷ୍ଟ ରାଉତଙ୍କୁ ଟ୍ରାଫିକ୍ ଡିସିପି ଭାବେ ନିଯୁକ୍ତି ଦିଆଗଲା। ପାଖାପାଖି ୬ମାସ କାର୍ଯ୍ୟକରିବା ପରେ ସେ ଗତ ମେ’ ମାସରେ ଅବସର ନେଲେ। ତା’ପରେ ୩ମାସ ବିତିଗଲାଣି, ହେଲେ ଗୁରୁତ୍ବପୂର୍ଣ୍ଣ ରାଜଧାନୀ ଟ୍ରାଫିକ୍ ମୁରବୀବିହୀନ ହୋଇରହିଛି।
ଦେଖାଯାଉଛି ଯେ ଅନେକ ସମୟରେ ଅଧିକାରୀମାନଙ୍କୁ ଅବସରର ଠିକ୍ ପୂର୍ବରୁ ଏଠାରେ ନିଯୁକ୍ତି ମିଳୁଛି। ବିଭାଗକୁ ଜାଣୁଜାଣୁ ସମୟ ସରିଯାଉଛି। ପୁଣି ଅଳ୍ପ କିଛି ମାସ ଚାକିରି ଥିବାରୁ ସେମାନେ ଏହି କାମକୁ ବେଶି ଗୁରୁତ୍ବ ଦେଉନଥିବା ଅଭିଯୋଗ ରହିଛି। ଏହି ପଦରେ ରହିଥିବା ୩ ମହିଳା ଆଇପିଏସ୍ଙ୍କ କାର୍ଯ୍ୟକାଳରେ ସ୍ଥିତିରେ ଅନେକ ସୁଧାର ଆସିଥିଲା। ସାଗରିକା ନାଥଙ୍କ ସମୟରେ ଲେନ୍ ଡ୍ରାଇଭ୍ଠାରୁ ଆରମ୍ଭ କରି ହେଲମେଟ୍ ଓ ସିଟ୍ବେଲ୍ଡ ଭଳି ନିୟମ କଡ଼ାକଡ଼ି ହୋଇଥିଲା। ରାଜଧାନୀବାସୀ ଜେବ୍ରା କ୍ରସିଂ ନିୟମରେ ଅଭ୍ୟସ୍ତ ହୋଇଥିଲେ। ସୌମ୍ୟା ମିଶ୍ରଙ୍କ ସମୟରେ ରାସ୍ତାକଡ଼ରୁ ବେଆଇନ୍ ପାର୍କିଂ ହଟାଇବା ଭଳି ପଦକ୍ଷେପ ନେଇଥିଲେ। ସେମିତି ଏସ୍ ସୁଶ୍ରୀ ଯୋଗଦେବା ପରେ ଟ୍ରାଫିକ୍ ଛକର ବାମପାର୍ଶ୍ବକୁ ଆମ୍ବୁଲାନ୍ସ ପାଇଁ ଫାଙ୍କା ରଖିବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ଏହି ଆଇପିଏସ୍ ଅଧିକାରୀମାନେ ସ୍ବାଧୀନଭାବେ କାର୍ଯ୍ୟ କରିଥିବାରୁ କିଛି ଦୃଢ଼ ପଦକ୍ଷେପ ନେଇପାରିଥିଲେ ବୋଲି କୁହାଯାଏ।
ରାଜଧାନୀରେ ଲୋକ ଓ ଗାଡ଼ି ସଂଖ୍ୟା ହୁହୁହୋଇ ବଢ଼ିଚାଲିଛି। ଲମ୍ବା ଟ୍ରାଫିକ୍ ଜାମ୍ ସହରରେ ନିତିଦିନିଆ ହୋଇଗଲାଣି। ଏ ସମସ୍ୟା ଏତେ ସାଂଘାତିକ ହୋଇଗଲାଣି ଯେ ତାହା ଆଉ ଯାନବାହନ ଚଳାଚଳଜନିତ ବିଶୃଙ୍ଖଳାରେ ସୀମିତ ରହିନାହିଁ। ଏହି କାରଣରୁ ସହରବାସୀ ପ୍ରତିଦିନ ଆହୁରି ଅସଂଖ୍ୟ ଗୁରୁତର ସମସ୍ୟାରେ ଘାଣ୍ଟି ହେଉଛନ୍ତି। ତେଣୁ ଏହାକୁ ନେଇ ସରକାର ଗମ୍ଭୀର ହୁଅନ୍ତୁ ବୋଲି ବିଭିନ୍ନ ମହଲରେ ଦାବି ହେଉଛି।