Raju

ପୁଣି ୨ ଦିନିଆ ରିମାଣ୍ଡରେ ଗଲା ସିମ୍‌ ବକ୍ସ ମାଫିଆ ରାଜୁ ମଣ୍ଡଳ

State

ଭୁବନେଶ୍ବର: ସିମ୍ ବକ୍ସ କାରବାର ମାମଲାରେ ପୁଣି ରିମାଣ୍ଡରେ ଗଲା ଅଭିଯୁକ୍ତ ରାଜୁ ମଣ୍ଡଳ । ଆଉ ୨ ଦିନ ରିମାଣ୍ଡରେ ନେଇ ଜେରା କରିବ କମିଶନରେଟ ପୋଲିସ । ତେବେ ଏହି ରିମାଣ୍ଡ ପାଇଁ ୭ ଦିନ ଆବେଦନ କରିଥିଲେ ମଧ୍ୟ ପୋଲିସକୁ ୨ ଦିନ ଅନୁମତି ମିଳିଛି ।

ତେବେ ଖୋଲୁଛି ସିମ୍ ବକ୍ସ ମିଷ୍ଟ୍ରି । ପ୍ରଥମେ ଭୁବନେଶ୍ବର, କଟକ ଆଉ ତାପରେ ରାଞ୍ଚି ଯାଏଁ ଲମ୍ବିଥିବା ସିମବକ୍ସର ନେଟଓ୍ବାର୍କ ଏବେ ଧିରେ ଧିରେ ଏହାର ରହସ୍ୟ ଖୋଲୁଛି । ସେପଟେ ଏବେବି ମାଷ୍ଟର ମାଇଣ୍ଡ ଆଶଦ୍ଦୁର ଫେରାର ଥିବା ବେଳେ ଜଣେ ବଙ୍ଗୀୟ ଯୁବକ ରାଜୁ ମଣ୍ଡଳଙ୍କୁ ଗିରଫ କରି ପ୍ରଥମେ ୫ ଦିନିଆ ରିମାଣ୍ଡରେ ନେଇ ଜେରା କରିଥିଲା ପୋଲିସ୍ । ଯାହାପରେ ରାଜୁ ସବୁ ସତ ଉଗାରିଥିଲା ।

କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାର୍ଡ ଆଗରେ ସିମ୍ ବକ୍ସ ଆଣିବା ଠାରୁ ଲଗାଇବା ପର୍ଯ୍ୟନ୍ତର ସବୁ ମିଷ୍ଟ୍ରିକୁ ଖୋଲିଥିଲା ଗିରଫ ରାଜୁ ମଣ୍ଡଳ । ପ୍ରଥମେ ଭୁବନେଶ୍ବର ଓ କଟକରେ ସିମ୍ ବକ୍ସ ଠାବ ପରେ ଏହାର ଲିଙ୍କ ଝାଡଖଣ୍ଡ ଥିବା ନେଇ ସନ୍ଦେହରେ ଝାଡଖଣ୍ଡରେ ପହଞ୍ଚିଥିଲା କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାର୍ଡ । ସେଠି ଝାଡଖଣ୍ଡର ରାଞ୍ଚିର ମୌଲାନା ଆଜାଦ କଲୋନୀ ଗଳି ନମ୍ବର- ୧୫ରେ ଏକ ୪ ମହଲା କୋଠାର ଉପର ମହଲାରେ ପାଞ୍ଚ ପାଞ୍ଚଟି ସିମ୍‌ ବକ୍ସ ଲାଗିଥିବା ଠାବ କରିଥିଲା ପୋଲିସ୍ । ଏହାସହିତ କମିଶନରେଟ ପୁଲିସ୍‌ ଓ ଏନଆଇଏ ପକ୍ଷରୁ ଗୁଡ଼ାଇତୁଡ଼ାଇ ପଚରାଉଚରା ପରେ ଏପରି ସାଂଘାତିକ ତଥ୍ୟ ଉଗାରିଛି ରାଜୁ ମଣ୍ଡଳ । ସ୍ମାର୍ଟ ସୁଇଚ୍‌ ଦ୍ୱାରା ହେଉଥିଲା ସିମ୍‌ ବକ୍ସ କଣ୍ଟ୍ରୋଲ । ଢାକାରେ ବସି ମୁାଷ୍ଟର ମାଇଣ୍ଡ ଆସାଦୁର ଭୁବନେଶ୍ୱର ଓ ରାଞ୍ଚିରେ ବସିଥିବା ସିମ୍‌ ବକ୍ସକୁ ଅପରେଟ୍‌ କରିବା ସହ କଣ୍ଟ୍ରୋଲ କରୁଥିଲା।

ଅନ୍ୟପକ୍ଷରେ ସିମ୍‌ ବକ୍ସ ଅପରେଟିଂ ଜାରି ରହିଥିବାରୁ ଦେଶଦ୍ରୋହ ନେଇ ଆଶଙ୍କା କରିଛି ଓଡ଼ିଶା ଓ ଝାଡଖଣ୍ଡ ପୁଲିସ ସହ ତଦନ୍ତରେ ସାମିଲ ଥିବା ରିଜର୍ଭ ବାଟାଲିୟନ୍। ଯାହାକୁ ନେଇ ଆଜି ପୁଣି ୨ ଦିନିଆ ରିମାଣ୍ଡରେ ନେଇ ରାଜୁ ଠାରୁ ଅଧିକ ରହସ୍ୟ ଜାଣିବାକୁ ପ୍ରୟାସ ଜାରି ରଖିଛି ପୋଲିସ ।