Z

ସିମ୍‌ ବକ୍ସରେ ଲାଗିଥିଲା ସ୍ମାର୍ଟ ସୁଇଚ୍‌, ଢାକାରୁ ଅପରେଟ୍‌ କରୁଥିଲା ଆସାଦୁର

State

ଭୁବନେଶ୍ବର :ଧୀରେ ଧୀରେ ଖୋଲିବାରେ ଲାଗିଛି ସିମ୍‌ ବକ୍ସ ପଛର ସାଂଘାତିକ ତଥ୍ୟ। ସ୍ମାର୍ଟ ସୁଇଚ୍‌ ଦ୍ୱାରା ହେଉଥିଲା ସିମ୍‌ ବକ୍ସ କଣ୍ଟ୍ରୋଲ। ଢାକାରେ ବସି ଆସାଦୁର ଭୁବନେଶ୍ୱର ଓ ରାଞ୍ଚିରେ ବସିଥିବା ସିମ୍‌ ବକ୍ସକୁ ଅପରେଟ୍‌ କରିବା ସହ କଣ୍ଟ୍ରୋଲ କରୁଥିଲା। କମିଶନରେଟ ପୁଲିସ୍‌ ଓ NIA ପକ୍ଷରୁ ଗୁଡ଼ାଇତୁଡ଼ାଇ ପଚରାଉଚରା ପରେ ଏପରି ସାଂଘାତିକ ତଥ୍ୟ ଉଗାରିଛି ରାଜୁ ମଣ୍ଡଳ।
ସିମ୍‌ ବକ୍ସ ଗୁମରର ମାଷ୍ଟର ମାଇଣ୍ଡ ଆସାଦୁର୍‌ ଜମାନ ବାଂଲାଦେଶୀ ହୋଇଥିବା ବେଳେ କଟକ, ଭୁବନେଶ୍ୱର ଓ ରାଞ୍ଚିରେ ସେ ଲଗାଇଥିଲା ସିମ୍‌ ବକ୍ସ। ତେବେ ଏହାକୁ ସେ କିପରି ନିୟନ୍ତ୍ରଣ କରୁଥିଲା ତାହା ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ।
ପୁଲିସ୍‌ କମିଶନର ସଞ୍ଜୀବ ପଣ୍ଡା ଆଜି ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱର ଓ ରାଞ୍ଚିରେ ବସିଥିବା ସିମ୍‌ ବକ୍ସରେ ଲାଗିଥିଲା ସ୍କାର୍ଟ ସୁଇଚ୍‌। ଆସାଦୁର୍‌ ଢାକାରେ ରହି ଏହାକୁ କଣ୍ଟ୍ରୋଲ କରୁଥିଲା।
ଢାକାରେ ଆସାଦୁର Icon Tecnogoly ନାମକ ଏକ ସଫ୍ଟଓୟାର କଂପାନୀ ଚଳାଇଥିଲା । ସେ ଉକ୍ତ କମ୍ପାନୀର ମାଲିକ ହୋଇଥିବା ବେଳେ ତାହାକୁ ନିଜେ ପରିଚାଳନା କରୁଥିଲା ।
ଆସାଦୁର ଅତି ସତର୍କତାର ସହ କଟକ, ଭୁବନେଶ୍ୱର ଓ ରାଞ୍ଚିରେ ଘର ଭଡ଼ା ନେଇ ସିମ୍‌ ବକ୍ସ ଲଗାଇଥିଲା। ଏହାର ବୁଝାଶୁଝା ନିମନ୍ତେ ସେ ପଶ୍ଚିମବଙ୍ଗର ରାଜୁ ମଣ୍ଡଳକୁ ରଖିଥିଲେ। ରାଜୁ ଏହି ସମସ୍ତ ସ୍ଥାନକୁ ଭିନ୍ନ ଭିନ୍ନ ସମୟରେ ଯାଇ ବୁଝାଶୁଝା କରିବା ସହ ସମସ୍ତ ସିମ୍‌ ବକ୍ସର ଦେଖାରଖା କରୁଥିଲେ। ଏଥିସହ ମାଲିକମାନଙ୍କର ଯେପରି ସନ୍ଦେହ ନ ହେବ ନିର୍ଦ୍ଧାରିତ ସମୟରେ ଭଡ଼ା ବି ଦେଉଥିଲା।
ଆସାଦୁର ଭାରତରେ ୨ ମାସ ଥିଲା । ସେ ଅଗରତାଲା ବାଟେ ଆସି ପଶ୍ଚିମବଙ୍ଗ ବାଟେ ଯାଇଛି । ତେବେ ସେ ଓଡ଼ିଶାରେ କେତେ ଦିନ ରହିଛି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳି ପାରିନି। ତେବେ ଆସାଦୁରର ଫଟୋ ମିଳି ସାରିଥିବା କହିଛନ୍ତି କମିଶନର।
ରାଜୁ ମଣ୍ଡଳକୁ ପଚରାଉଚରାରୁ ୩ଟି ଇଣ୍ଟରନେଟ କନେକ୍ସନ ନିଆଯାଇ ୮ଶହରୁ ଊର୍ଦ୍ଧ୍ୱ ସିମ୍ ଅପରେଟ କରାଯାଉଥିବା ଜଣାଯାଇଛି। ତେବେ ଏହି ସିମ୍‌ ଦ୍ୱାରା କାହା କାହା ପାଖକୁ କଲ୍‌ ଯାଇଥିଲା ତାହାର ତଦନ୍ତ କରାଯିବ ବୋଲି କହିଛନ୍ତି କମିଶନର ।
ଗିରଫ ରାଜୁ ମଣ୍ଡଳର ରିମାଣ୍ଡ ଅବଧୀ ଆଜି ସରୁଥିବା ବେଳେ ଆହୁରି ପଚରାଉଚରା ପାଇଁ କମିଶନରେଟ ପୁଲିସ୍‌ ଆଉ ୭ ଦିନିଆ ରିମାଣ୍ଡ ଆବେଦନ କରିଥିବା ଜଣାଯାଇଛି।
ଏଥିସହ ପୁଲିସ୍‌ ଆସାଦୁର ବିରୋଧରେ ପ୍ରମାଣ ଯୋଗାଡ଼ କରିବାରେ ଲାଗିଛି। ଯଥେଷ୍ଟ ପ୍ରମାଣ ସଂଗ୍ରହ ହେଲେ ଆସାଦୁରକୁ ଗିରଫ ନିମନ୍ତେ କମିଶନରେଟ ପୁଲିସ୍‌ ଇଣ୍ଟରପୋଲର ସହାୟତା ଲୋଡ଼ିପାରେ ବୋଲି ଚର୍ଚ୍ଚା ହେଉଛି।
ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ କମିଶନରେଟ ପୁଲିସ୍‌ ପ୍ରଥମ ଭୁବନେଶ୍ୱରରୁ ଏକ ଭଡ଼ା ଘରୁ ସିମ୍‌ ବକ୍ସ ଜବତ କରିଥିଲା। ଏହି ଘଟଣାରେ ପୁଲିସ୍‌ ରାଜୁ ମଣ୍ଡଳଙ୍କୁ ଗିରଫ କରିଥିଲା। ଏହାପରେ ତାଙ୍କୁ ପଚରାଉଚରା କରିବାରୁ ସେ କଟକରେ ଓ ରାଞ୍ଚିରେ ବି ସିମ୍‌ ବକ୍ସ ଲଗାଇଥିବା କହିଥିଲେ। ଏହାପରେ ପୁଲିସ୍‌ ତାଙ୍କୁ ଧରି ଉଭୟ ସ୍ଥାନରୁ ସିମ୍‌ ବକ୍ସ ଜବତ କରିଛି। ଏହି ଘଟଣାରେ ପୁଲିସ୍‌ ଅଧିକ ଖୋଳତାଡ଼ ଜାରି ରଖିଛି।