ନୂଆଦିଲ୍ଲୀ : ଏଣିକି ଆଉ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟରେ ରହିବନି ଲେବଲ୍। ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ପ୍ୟାକେଟରେ A1 ଓ A2 ଲେବଲ୍ ଲେଖିବାକୁ ବାରଣ କରିଛି ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI)। ସମସ୍ତ ପ୍ରକାର ଦୁଗ୍ଧ ଏବଂ ଦୁଗ୍ଧଜାତୀୟ ଦ୍ରବ୍ୟ, ଯେପରିକି ଘିଅ, ଦହି ଏବଂ ପନିରରେ A1 ଓ A2 ଲେଖିବାକୁ ବାରଣ କରାଯାଇଛି।
ଏହା ଉପଭୋକ୍ତାଙ୍କ ମଧ୍ୟରେ ବିଭ୍ରାନ୍ତ ସୃଷ୍ଟି କରୁଥିବାରୁ ଏପରି ନିର୍ଦ୍ଦେଶ ଦିଆଯାଇଥିବା FSSAI ପକ୍ଷରୁ କୁହାଯାଇଛି। FSSAI କହିଛି ଯେ, A1 ଓ A2 ପ୍ରୋଟିନ୍ ସଂପର୍କରେ ପ୍ୟାକେଟରେ ଲେଖିବା ବିଭ୍ରାନ୍ତିକର। ଏହା ଲୋକଙ୍କ ମଧ୍ୟରେ ବିଭ୍ରାନ୍ତ ସୃଷ୍ଟି କରିଥାଏ। ତେଣୁ ଆଗକୁ ଦୁଗ୍ଧ ଏବଂ ଦୁଗ୍ଧଜାତୀୟ ଦ୍ରବ୍ୟରେ A1 ଓ A2 ଲେବଲ୍ ରହିବ ନାହିଁ।
ଯଦି ପୂର୍ବରୁ ଛାପା ବା ପ୍ରିଣ୍ଟ୍ ହୋଇଥିବା ପ୍ୟାକେଟରେ ଲେବଲ୍ ରହିଥାଏ, ତେବେ ୬ ମାସ ମଧ୍ୟରେ ଏହାକୁ ହଟାଇବାକୁ FSSAI ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ଯାଞ୍ଚ ପରେ FSSAI କହିଛି ଯେ, କ୍ଷୀରର A1 ଓ A2 ଲେବଲ୍ ପ୍ରୋଟିନ୍ (ବିଟା-କେସିନ୍)ର ପାର୍ଥକ୍ୟ ସହିତ ଜଡ଼ିତ। କ୍ଷୀର ପ୍ୟାକେଟରେ A2 ଥିଲେ ଏହା ଫ୍ୟାଟ୍ ବୋଲି ଦର୍ଶାଇବା ବିଭ୍ରାନ୍ତକର ଓ ଏହା FSS ଅଧିନିୟମ, 2006 ଏବଂ ଏହା ଅଧୀନରେ କରାଯାଇଥିବା ନିୟମାବଳୀ ଅନ୍ତର୍ଗତ ନୁହେଁ।
ଖାଦ୍ୟ ନିରାପତ୍ତା ଏବଂ ମାନକ ନିୟମାବଳୀ, ୨୦୧୧ ଅନୁସାରେ ମଧ୍ୟ ମିଲ୍କ ପ୍ୟାକଟରେ ଦର୍ଶାଯାଉଥିବା A1 ଓ A2 ଲେବଲ୍ କ୍ଷୀରର ଭିନ୍ନତାକୁ ଉଲ୍ଲେଖ କରେ ନାହିଁ। ତେଣୁ ଏସବୁ ଲେବଲ୍ ଥିଲେ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି।