C95df03a 3ade 4a86 8071 De49b80a6775 750x430

ପ୍ରଭୁ ରାମଲଲ୍ଲାଙ୍କ ଦର୍ଶନ ପାଇଁ ପ୍ରବେଶ ବ୍ୟବସ୍ଥାକୁ ନେଇ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଦେଲା ଗୁରୁତ୍ବପୂର୍ଣ୍ଣ ସୂଚନା

National & International

ନୂଆଦିଲ୍ଲୀ: ୨୦୨୪ ଜାନୁଆରି ୨୨ତାରିଖରେ ଅଯୋଧ୍ୟାରେ ପ୍ରଭୁ ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ହେବା ପରଠାରୁ ରାମ ଭକ୍ତଙ୍କ ଅଯୋଧ୍ୟାକୁ ସୁଅ ଛୁଟୁଛି।  ଏଭଳି ପରିସ୍ଥିତିରେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ କହିଛି.‘ ଶ୍ରୀ ରାମଙ୍କ ମନ୍ଦିରକୁ ପ୍ରତିଦିନ ୧ରୁ ୧.୫ ଲକ୍ଷ ‌ଭକ୍ତ ପରିଦର୍ଶନ କରୁଛନ୍ତି। ଏଠାରେ ସକାଳ ୬.୩୦ ରୁ ରାତି ୯.୩୦ ପର୍ଯ୍ୟନ୍ତ ଭକ୍ତଙ୍କ ଭିଡ଼ ଲାଗି ରହୁଛି।

ପ୍ରଭୁ ରାମଙ୍କ ମନ୍ଦିରରେ ପ୍ରବେଶ କରିବା ଠାରୁ ଆରମ୍ଭ କରି ଦର୍ଶନ କରିବା, ଦର୍ଶନ ପରେ ବାହାରକୁ ବାହାରିବା ପ୍ରକ୍ରିୟା ଅତି ସରଳ ଏବଂ ସହଜ ରହିଛି। ଅତିକମରେ ଭକ୍ତ ୬୦ ରୁ ୭୫ ମିନିଟ ମଧ୍ୟରେ ଭଗବାନ ରାମଲଲ୍ଲାଙ୍କ ଦର୍ଶନ ପାଇ ପାରିବେ।

ଭକ୍ତମାନଙ୍କ ପାଇଁ ମୋବାଇଲ୍, ଜୋତା, ପର୍ସ ଇତ୍ୟାଦି ମନ୍ଦିର ପରିସରରେ ରଖିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ବି କରାଯାଇଛି। ଭକ୍ତଙ୍କ ପାଇଁ ବିଶେଷ ସୂଚନାଟି ହେଉଛି ବାହାରୁ କୌଣସି ଫୁଲ, ଫୁଲମାଳ କିମ୍ବା ପ୍ରସାଦ ଆଣନ୍ତୁ ନାହିଁ । ଏହାକୁ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ।

ସକାଳ ୪ ଟାରେ ମଙ୍ଗଳା ଆଳତୀ, ସକାଳ ୬.୧୫ ରେ ଶୃଙ୍ଗାର ଆଳତୀ ଏବଂ ରାତି ୧୦ ଟାରେ ଶୟନ ଆଳତୀ ସମୟରେ ଯଦି କୌଣସି ଭକ୍ତ ପ୍ରବେଶ କରିବାକୁ ଚାହିଁବେ ତେବେ ପ୍ରବେଶକାର୍ଡର ଆବଶ୍ୟକତା ରହିଛି।

ପ୍ରବେଶ କାର୍ଡରେ ଭକ୍ତଙ୍କ ନାମ, ବୟସ, ଆଧାର କାର୍ଡ, ମୋବାଇଲ୍ ନମ୍ବର ଏବଂ ସହରର ନାମ ଭଳି ସୂଚନା ଆବଶ୍ୟକ ରହିଛି। ପ୍ରବେଶ କାର୍ଡ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ୱେବସାଇଟରୁ ମଧ୍ୟ ଉପଲବ୍ଧ ହୋଇପାରିବ। ଏଥିପାଇଁ କୌଣସି ଟଙ୍କା ପୈଠ କରିବାକୁ ପଡ଼ିବ ନାହିଁ।

ଏହାଛଡ଼ା ପ୍ରଭୁ ରାମଲଲ୍ଲାଙ୍କ ଦର୍ଶନ ପାଇଁ ଆଉ କୌଣସି ପାସ ନାହିଁ। ଭକ୍ତମାନେ ଏହି ସମୟ ବ୍ୟତୀତ ଯେକୌଣସି ସମୟରେ ଯିବେ ବିନା ପାସ‌, କାର୍ଡରେ ସୁବିଧାରେ ପ୍ରଭୁଙ୍କ ଦର୍ଶନ ପାଇପାରିବେ। ଯଦି ଏମିତି କିଛି ଦର୍ଶନ ଶୁଳ୍କ ବିଷୟରେ ଆପଣମାନେ ଶୁଣୁଛନ୍ତି ତେବେ ତାହା ଗୁଜବ ବୋଲି ଜାଣିରଖନ୍ତୁ।