Gvkk 3wxcaelvoi 750x430 (1)

ଲେହରେ ବଡ଼ ଦୁର୍ଘଟଣା, ଗଭୀର ଖାଇରେ ଖସିପଡ଼ିଲା ସ୍କୁଲବସ୍

National & International

ଲେହ: ଲଦାଖର ଲେହରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଯାଇଛି |  ଏକ ସ୍କୁଲ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୬ ଜଣ ପ୍ରାଣ ହରାଇଛନ୍ତି ।
ପୁଲିସର ସୂଚନା ଅନୁସାରେ ବସଟି ୨୦୦ ମିଟର ଗଭୀର ଘାଟିକୁ ଖସି ପଡ଼ିବାରୁ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି। ଖବର ପାଇ ସୁରକ୍ଷାବାହିନୀର ଟିମ୍ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
୨୮ ଜଣ ଯାତ୍ରୀଙ୍କୁ ନେଇ ଏକ ସ୍କୁଲବସଟି ଲେହରୁ ଦୁର୍ବୁକ୍ ଅଭିମୁଖେ ଯାଉଥିଲା। ପାହାଡ଼ିଆ ଅଞ୍ଚଳର ଡୁକ୍ବୁକ୍ ନିକଟରେ ଏହି ଦୁର୍ଘଟଣା ଘଟି ତାହା ୨୦୦ ମିଟର ଗଭୀରତାକୁ ଖସି ପଡ଼ିଥିଲା। ବସଟି ଖାଇକୁ ଖସି ପଡ଼ିବାରୁ ବସରୁ ଯାତ୍ରୀମାନଙ୍କ ଆର୍ତ୍ତଚିତ୍କାର ଶୁଣାଯାଇଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି । ଖବରପାଇ ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ଓ ଭାରତୀୟ ସେନାର ଯବାନ ପହଞ୍ଚିଥିଲେ। ସେମାନେ ବସ୍ ଭିତରେ ଫସି ରହିଥିବା ଯାତ୍ରୀମାନଙ୍କୁ ବାହାର କରିବା ପରେ ଦଉଡ଼ି ସାହାଯ୍ୟରେ ରାସ୍ତା ଉପରକୁ ନେଇଯାଇଥିଲେ। ଆହତମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି ।
ସୁରକ୍ଷାବାହିନୀ ଆମ୍ବୁଲାନ୍ସ ଯୋଗେ ଆହତ ଯାତ୍ରୀମାନଙ୍କୁ ଡାକ୍ତରଖାନା ନେଇଥିଲେ, ଯେଉଁଠାରେ ଡାକ୍ତର ୬ ଜଣଙ୍କୁ ମୃତ ଘୋଷଣା କରିଥିଲେ। ବାକି ୨୨ ଜଣ ଆହତ ଚିକିତ୍ସାଧୀନ ଅଛନ୍ତି। ପୁଲିସ ଶବ ବ୍ୟବଚ୍ଛେଦ କରିବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।