Sc 1724326862

ସୁପ୍ରିମକୋର୍ଟଙ୍କ ଆଶ୍ବାସନା ପରେ ଆନ୍ଦୋଳନ ପ୍ରତ୍ୟାହାର କଲେ ଡାକ୍ତର

National & International

ନୂଆଦିଲ୍ଲୀ : କୋଲକାତା ହରର ଓ ସୁରକ୍ଷା ଦାବିରେ ଦୀର୍ଘ ୧୧ ଦିନ ହେଲା ଆନ୍ଦୋଳନ କରୁଥିବା ଡାକ୍ତରମାନେ ଆଜି ଏହାକୁ ପ୍ରତ୍ୟାହାର କରିଛନ୍ତି। ସୁପ୍ରିମକୋର୍ଟଙ୍କ ସୁରକ୍ଷା ସମ୍ପର୍କିତ ଆଶ୍ୱସନା ପରେ ଡାକ୍ତରମାନେ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି।
ନିଜ ଆଡ଼ୁ କୋଲକାତା ହରର ଶୁଣାଣି କରିବା ବେଳେ ସୁପ୍ରିମକୋର୍ଟ ସାରା ଦେଶରେ ଡାକ୍ତରମାନଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଗୃହ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆନ୍ଦୋଳନ କରୁଥିବା ଡାକ୍ତରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ଆଶ୍ୱସନା ଦେଇଛନ୍ତି। ଏହାବାଦ ସୁପ୍ରିମକୋର୍ଟ ସମସ୍ତ ଆନ୍ଦୋଳନରତ ଡାକ୍ତରଙ୍କୁ ଡିଟ୍ୟୁରେ ଯୋଗ ଦେବାକୁ ମଧ୍ୟ ଅନୁରୋଧ କରିଥିଲେ। ସୁପ୍ରିମକୋର୍ଟଙ୍କ ଅନୁରୋଧ ପରେ ପ୍ରଥମେ ଏମ୍ସର ରେସିଡେଣ୍ଟ ଡାକ୍ତରମାନେ ୧୧ ଦିନ ଧରି ଜାରି ରଖିଥିବା ଆନ୍ଦୋଳନକୁ ପ୍ରତ୍ୟାହାର କରୁଥିବା ଘୋଷଣା କରିଥିଲେ। ଏହାପରେ ଆରଏଲଏମ ହସ୍ପିଟାଲର ଡାକ୍ତରମାନେ ମଧ୍ୟ ସମାନ ପଦକ୍ଷେପ ଗ୍ରହଣ କରିଥିଲେ। ଏହି ଦୁଇ ବଡ଼ ସଂସ୍ଥାର ଡାକ୍ତରମାନେ ଆନ୍ଦୋଳନରୁ ହଟିବାରୁ ଦେଶରେ ବିଭିନ୍ନ ପ୍ରାନ୍ତରେ ଚାଲିଥିବା ବିକ୍ଷୋଭ ମଧ୍ୟ ଧୀରେଧୀରେ ପ୍ରତ୍ୟାହାର ହେବାରେ ଲାଗିଛି।
ଏମ୍ସର ରେସିଡେଣ୍ଟ ଡାକ୍ତର ସଂଘ ପକ୍ଷରୁ କୁହାଯାଇଛି ଯେ ସୁପ୍ରିମକୋର୍ଟଙ୍କ ଆହ୍ୱାନ ଓ ଆଶ୍ୱସନା ପରେ ଆମେ ଡିଟ୍ୟୁରେ ଯୋଗଦେବାକୁ ନିଷ୍ପତ୍ତି ନେଇଛୁ। ସୁପ୍ରିମକୋର୍ଟ ଆରଜି କର ଘଟଣା ଓ ଡାକ୍ତରଙ୍କ ସୁରକ୍ଷା ସମ୍ପର୍କରେ ଦେଇଥିବା ପ୍ରତିଶ୍ରୁତି ଯୋଗୁ ଆନ୍ଦୋଳନକୁ ଏବେ ପ୍ରତ୍ୟାହାର କରାଯାଉଛି।”
କୋଲକାତା ରେପ କେସ୍‌ ଓ ପୂରା ଦେଶର ମେଡିକାଲ କର୍ମଚାରୀଙ୍କ ସୁରକ୍ଷା ପ୍ରସଙ୍ଗରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିଥିବା ସଂଘ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଦିଆଯାଇଛି। ସୁପ୍ରିମକୋର୍ଟ ଡାକ୍ତରମାନଙ୍କ ସୁରକ୍ଷା ପାଇଁ ଏମ୍ସ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ୧୦ ଜଣିଆ ନ୍ୟାଶନାଲ ଟାସ୍କ ଫୋର୍ସ ଗଠନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଇଥିଲେ।
ଆଜି ଶୁଣାଣି ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଡାକ୍ତରମାନଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ଅନୁରୋଧ କରିଥିଲେ। ସେ କହିଥିଲେ, “ସମସ୍ତ ଡାକ୍ତର ସେମାନଙ୍କ କାର୍ଯ୍ୟକୁ ଫେରିଯାଆନ୍ତୁ। ଆମେ କିଛି ସାଧାରଣ ଆଦେଶ ପାସ୍ କରିବୁ।
ଡାକ୍ତରମାନଙ୍କ ଉପରେ ପ୍ରତିକୂଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ଆମେ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବୁ। ଥରେ ସେମାନେ କାର୍ଯ୍ୟକୁ ଫେରିଗଲେ, ପୁନର୍ବାର ସବୁକିଛି ଠିକ୍ ଚାଲିବ। ଯଦି ସେମାନେ କାର୍ଯ୍ୟକୁ ନ ଫେରନ୍ତି, ତେବେ ସରକାରୀ ସ୍ୱାସ୍ଥ୍ୟ ସୁବିଧା ଢାଞ୍ଚା ଚାଲିବ କିପରି?”
ଯଦି ଏହା ପରେ ଅସୁବିଧା ହୁଏ, ତେବେ ଆମ ପାଖକୁ ଆସନ୍ତୁ, କିନ୍ତୁ ପ୍ରଥମେ ସେମାନଙ୍କୁ ଡ୍ୟୁଟିରେ ଯୋଗଦିଅନ୍ତୁ ବୋଲି ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ କହିଥିଲେ।