Amit W2

ଭୁବନେଶ୍ଵରରେ ପହଞ୍ଚିଲେ ହକି ତାରକା ଅମିତ ରୋହିଦାସ

State

ଭୁବନେଶ୍ୱର : ଓଡ଼ିଶା ଫେରିଲେ ଅଲିମ୍ପିକ୍ସ ହକି ହିରୋ ଅମିତ ରୋହିଦାସ । ଅଲିମ୍ପିକ୍ସରେ କ୍ରମାଗତ ବ୍ରୋଞ୍ଜ ପଦକ ଜିତିବା ପରେ ଆଜି ଭୁବନେଶ୍ବର ଫେରିଛନ୍ତି। ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଭୁବନେଶ୍ଵର ଏକାମ୍ର ବିଧାୟକ ବାବୁ ସିଂହଙ୍କ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ଅମିତଙ୍କୁ ସ୍ଵାଗତ କରାଯାଇଥିଲା । ଅମିତ ଚଳିତ ଅଲିମ୍ପିକ୍ସରେ କାଂସ୍ୟ ପଦକ ବିଜେତା ଭାରତୀୟ ଦଳରେ ଏକମାତ୍ର ଓଡ଼ିଆ ଭାବେ ସାମିଲ ହୋଇଥିଲେ । ପ୍ୟାରିସ ଅଲିମ୍ପିକ୍ସରେ ଭାରତର ସଫଳତାରେ ପ୍ରମୁଖ ଭୂମିକା ବହନ କରିଥିଲେ ଅମିତ।

ଏହି ସଫଳତା ପରେ ଅମିତ ରୋହିଦାସଙ୍କୁ ୪ କୋଟି ଟଙ୍କା ଦେବାକୁ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। କେବଳ ସେତିକି ନୁହେଁ, ଭାରତୀୟ ହକି ଦଳର ସମସ୍ତ ଖେଳାଳିଙ୍କୁ ୧୫ଲକ୍ଷ ଟଙ୍କା ଲେଖାଏଁ ଏବଂ ସପୋର୍ଟ ଷ୍ଟାଫଙ୍କୁ ୧୦ଲକ୍ଷ ଟଙ୍କା ଘୋଷଣା କରିଛନ୍ତି ରାଜ୍ୟ ସରକାର। ଅନ୍ୟପଟେ ଭୁବନେଶ୍ୱରରେ ପହଞ୍ଚିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଅମିତ କହିଛନ୍ତି ଯେ ହକୀକୁ ରାଜ୍ୟ ସରକାର ସ୍ପନ୍ସର କରୁଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଉଛି । ଏହା ଫଳରେ ରାଜ୍ୟରେ ନୂତନ ଖେଳାଳୀ ହକୀ ଖେଳିବା ପାଇଁ ଉତ୍ସାହିତ ହେବେ।