83194549

୫ ହଜାର ଟଂକା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ କିରାଣି

Crime State

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କିରାଣୀ ୫ ହଜାର ଟଂକା ଲାଞ୍ଚ ନେଉଥିବା ବେଳେ ଆଜି ମାଲକାନଗିରି ଭିଜିଲାନସ ହାତରେ ଧରାପଡିଛନ୍ତି। ଘଟଣା ଅନୁଯାୟୀ ସୋମନାଥ ବାଙ୍କିଆ ନାମକ ଶିକ୍ଷକ କୌଣସି କାରଣରୁ ନିଳମ୍ବିତ ହୋଇଥିଲେ। ତେବେ ତାଂକର କାଗଜ ପତ୍ର କରିବା ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣୀ ରବି ଶଂକର ପାତ୍ର ତାଂକୁ ୫ ହଜାର ଟଂକା ଲାଞ୍ଚ ମାଗୁଥିଲେ। ଶିକ୍ଷକ ଶ୍ରୀ ବାଙ୍କିଆ ଟଂକା ଦେଇପାରିବେ ନାହିଁ ବୋଲି ଗତ ୭ ମାସରୁ ତାଂକୁ ଅନୁରୋଧ କରିଆସୁଛନ୍ତି।କିନ୍ତୁ ଜାଣିଶୁଣି କିରାଣୀ ଶ୍ରୀ ପାତ୍ର ତାଂକ କାମ କରୁନଥିଲେ।ଟଂକା ନଦେଲେ କାମ ହେବ ନାହିଁ ବୋଲି ସଫା ସଫା ମନା କରିଦେଉଥିଲେ।ଶ୍ରୀ ବାଙ୍କିଆ ମଧ୍ୟ ବାରମ୍ବାର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଦୌଡି ଦୌଡି ନୟାନ୍ତ ହୋଇଥିଲେ।
ଗତକାଲି ପୁଣି ସେ କିରାଣୀ ଶ୍ରୀ ପାତ୍ରଙ୍କୁ ଅନୁରୋଧ କରି ତାଂକ କାଗଜପତ୍ର କାମ କରିଦେବାକୁ ନେହୁରା ହୋଇଥିଲେ।କିନ୍ତୁ ଶ୍ରୀ ପାତ୍ର କାଲି ମଧ୍ୟ ୫ ହଜାର ଟଂକା ନଦେଲେ କେବେ ମଧ୍ୟ କାମ ହେବ ନାହିଁ ବୋଲି କହିଥିଲେ। ନିଲମ୍ବିତ ଶିକ୍ଷକ ଶ୍ରୀ ବାଙ୍କିଆ ଶେଷରେ ମାଲାକନଗିରି ଭିଜିଲାନସ ବିଭାଗରେ କେଶ ରୁଜୁ କରିଥିଲେ। କେଶକୁ ଭିତ୍ତି କରି ଡିଏସପି ସଦାନନ୍ଦ ପାଣିଙ୍କ ନେତୃତ୍ବରେ ଏକ ଟିମ ଆଜି ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଚଢାଉ କରିଥିଲା।କିରାଣୀ ଶ୍ରୀ ପାତ୍ର ଟଂକା ନେଇ ତାଂକ ପକେଟରେ ରଖିଥିଲେ।ଭିଜିଲାନସ ଟିମ ଚଢାଉ କରି ରଂଗ ବୋଳା ଟଂକା ଜବତ କରିବା ସହ ତାଂକ ହାତ ଧୋଇଥିଲେ। ଶ୍ରୀ ପାତ୍ରଙ୍କ ହାତରୁ ରଂଗ ବାହାରିବା ପରେ ତାଂକୁ ଗିରଫ କରାଯାଇଥିଲା।ଶ୍ରୀ ପାତ୍ରଙ୍କୁ ଗିରଫ କରି ଜୟପୁର ଭିଜିଲାନସ କାର୍ଯ୍ୟାଳୟକୁ ନିଆଯାଇଥିବା ଜଣାପଡିଛି। ଏନେଇ ଡିଏସପି ଶ୍ରୀ ପାଣିଙ୍କୁ ଯୋଗାଯୋଗ କରିବାକୁ ଏହି ଘଟଣାକୁ ସ୍ବୀକାର କରିବା ସହ ତଦନ୍ତ ଚାଲିଥିବା କହିଥିଲେ।