Image 1722159125

ପ୍ରଥମ ଦିନରେ ମୋଟ ୨୦ ଗେଟ୍ ଦେଇ ନିଷ୍କାସିତ ହେଉଛି ବର୍ଷର ପ୍ରଥମ ବନ୍ୟାଜଳ

State

ସମ୍ବଲପୁର: ଆଜି ହୀରାକୁଦ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରିଛି । ମୋଟ ୨୦ ଗେଟ୍ ଦେଇ ନିଷ୍କାସିତ ହେଉଛି ଜଳ । ତେବେ ଆଜି ଗୋଟିଏ ଦିନରେ ପ୍ରଥମ ପର୍ଯ୍ୟାୟରେ ୭ଟି ଗେଟ୍, ଦ୍ବିତୀୟ ପର୍ଯ୍ୟାୟରେ ଆଉ ୭ଟି ଗେଟ୍ ଏବଂ ତୃତୀୟ ପର୍ଯ୍ୟାୟରେ ଆଉ ୬ଟି ଗେଟ୍ ଖୋଲାଯାଇଛି । ପ୍ରଥମ ଦିନରେ ତିନୋଟି ପର୍ଯ୍ୟାୟରେ ମୋଟ ୨୦ଟି ଗେଟ୍ ଦେଇ ବାହାରୁଛି ବନ୍ୟାଜଳ ।

ଏଥିପାଇଁ ଆଜି ସକାଳେ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ପରେ ପ୍ରଥମେ ଡ୍ୟାମ୍‌ର ବାମ ପାର୍ଶ୍ୱର ୭ ନମ୍ବର ସ୍ଲୁଇସ ଗେଟ୍ ଖୋଲା ଯାଇଥିଲା। ପରେ ଆଉ ୬ଟି ଗେଟ୍ ଖୋଲା ଯାଇଥିଲା। ଏବେ ମୋଟ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳ ନିଷ୍କାସନ କରାଯାଇଛି । ଏହା ପ୍ରଭାବରେ ୩୦ ସୁଦ୍ଧା ଖଇରମାଳ ଓ ମୁଣ୍ଡଳିରେ ସାଢ଼େ ୪ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବେଶ କରିବ । ତେବେ ଏହାକୁ ନେଇ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ ବୋଲି କହିଛନ୍ତି ଅତିରିକ୍ତ ଏସଆରସି ।

ସେପଟେ ହୀରାକୁଦରୁ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଥିବାରୁ ୯ ଜିଲ୍ଲାକୁ ସତର୍କତା ଜାରି କରିଛନ୍ତି ଏସଆରସି । ବନ୍ୟାଜଳ ନିଷ୍କାସନ ହୋଇଥିବାରୁ ଲୋକଙ୍କୁ ସଚେତନ କରାଇବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ବନ୍ୟାଜଳ ଛାଡ଼ିଥିବାରୁ ମହାନଦୀର ତଳିଆ ଅଞ୍ଚଳ ଲୋକଙ୍କୁ ନଦୀକୁ ଯିବାକୁ ବାରଣ କରାଇବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି ଅତିରିକ୍ତ ଏସଆରସି । ଏନେଇ ସମ୍ବଲପୁର, ସୋନପୁର, ନୟାଗଡ଼, ବୌଦ୍ଧ, ପୁରୀ, କଟକ, ଜଗତସିଂହପୁର, ଅନୁଗୁଳ ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ସତର୍କତା ଜାରି କରାଯାଇଛି । ଏସବୁ ଜିଲ୍ଲାପାଳମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେିଛନ୍ତି ଏସଆରସି ।