Photo For The News Of Kadabaranga Highschool

କାଦବରାଙ୍ଗ ହାଇସ୍କୁଲକୁ ଯୁକ୍ତ ୨ ମାନ୍ୟତା ପ୍ରସଙ୍ଗ, ଆରମ୍ଭ ହେଲା ନାମ ଲେଖା, ଛିଡ଼ୁନି ଶ୍ରେଣୀ ଗୃହ ସମସ୍ୟା

State

ଆଗରପଡ଼ା :ଇତି ମଧ୍ୟରେ ଯୁକ୍ତ ୨ ଶ୍ରେଣୀରେ ପ୍ରଥମ ଚୟନ ପ୍ରକ୍ରିୟାର ନାମ ଲେଖା ଚାଲିଥିବା ବେଳେ ସୂଚନା ଅନୁଯାୟୀ ବନ୍ତ ବ୍ଲକ କାଦବରାଙ୍ଗ ପଂଚାୟତ ଅନ୍ତର୍ଗତ କାଦବରାଙ୍ଗ ନୋଡ଼ାଲ ହାଇସ୍କୁଲରେ ନାମ ଲେଖାଇବା ପାଇଁ ପ୍ରଥମ ପସନ୍ଦରେ ଆବେଦନ କରିଥିବା ୬୫ଜଣ ଆବେଦନକାରୀଙ୍କ ମଧ୍ୟରୁ ୬୧ ଜଣ ନାମ ଲେଖାଇସାରିଥିବା ବେଳେ ନାମ ଲେଖାର ଶେଷ ତାରିଖ ଶନିବାର ବୋଲି ଜଣାପଡ଼ିଛି । ସରକାରଙ୍କ ନିର୍ଦ୍ଦେଶାନୁସାରେ ୨୦୨୪-୨୫ ଶିକ୍ଷା ବର୍ଷରେ ଏହି ବିଦ୍ୟାଳୟରେ ୧୨୮ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳାରେ ଓଡ଼ିଆ,ଇଂରାଜୀ,ଇତିହାସ,ରାଜନୀତି ବିଜ୍ଞାନ,ଅର୍ଥଶାସ୍ତ୍ର ଏବଂ ତର୍କ ଶାସ୍ତ୍ର ବିଷୟରେ ଶିକ୍ଷାଲାଭ କରିବାର ସୁଯୋଗ ପାଇବାକୁ ଥିବା ବେଳେ ଶିକ୍ଷାଲାଭ କ୍ଷେତ୍ରରେ ଶ୍ରେଣୀଗୃହ ମୁଖ୍ୟ ସମସ୍ୟା ଥିବା ବେଳେ ଆଜି ପର୍ଯ୍ୟନ୍ତ ଏହାର କୌଣସି ସ୍ଥାୟୀ ସମାଧାନ ହୋଇ ପାରିନଥିବା ଜଣାପଡ଼ିଛି । ଆଉ ଦିନ କେଇଟା ପରେ ଯୁକ୍ତ ୨ ପାଠ୍ୟକ୍ରମ ଆରମ୍ଭ ହେବାକୁ ଥିବା ବେଳେ ଶ୍ରେଣୀ ଗୃହ ସମସ୍ୟା ଛିଡ଼ି ପାରୁନଥିବାରୁ ଏହାକୁ ନେଇ ଅଭିଭାବକମାନେ ଚିନ୍ତାରେ ଥିବା ଜଣାପଡ଼ିଛି । ପ୍ରକାଶ ଯେ;ଗତ ଜୁନ ୨୬ ତାରିଖରେ ରାଜ୍ୟ ସରକାରୀଙ୍କ ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟରେ ୧୪ଟି ଜିଲ୍ଲାରେ ୭୯ଟି ହାଇସ୍କୁଲକୁ ଯୁକ୍ତ ୨ ମାନ୍ୟତା ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷିରେ ଭଦ୍ରକ ଜିଲ୍ଲାର ୪ଟି ହାଇସ୍କୁଲ ଅର୍ନ୍ତଭୂକ୍ତ । ତନ୍ନମଧ୍ୟରୁ ବନ୍ତ ବ୍ଲକ କାଦବରାଙ୍ଗ ପଂଚାୟତ ଅନ୍ତର୍ଗତ କାଦବରାଙ୍ଗ ନୋଡ଼ାଲ ହାଇସ୍କୁଲ ଅନ୍ୟତମ । ବନ୍ତ ବ୍ଲକରେ ସମୁଦାୟ ୪୩ ଗୋଟି ହାଇସ୍କୁଲ ଥିବା ବେଳେ ୧୧ଟି ହାଇସ୍କୁଲରେ ୧ରୁ ୧୦ମ,୩ଟି ହାଇସ୍କୁଲରେ ୬ଷ୍ଠରୁ ୧୦ମ,୨ଟି ହାଇସ୍କୁଲରେ ୮ମ ରୁ ୧୦ମ ଓ ୨୭ଟି ହାଇସ୍କୁଲରେ ୯ମ ଓ ୧୦ମ ଶ୍ରେଣୀର ପିଲାଙ୍କୁ ଶିକ୍ଷାଦାନ କରାଯାଉଛି । ସେଥିମଧ୍ୟରୁ କାଦବରାଙ୍ଗ ହାଇସ୍କୁଲରେ ୧ମରୁ ୧୦ମ ଶ୍ରେଣୀର ପିଲାଙ୍କୁ ଶିକ୍ଷାଦାନ କରାଯାଉଛି । ୧୯୬୫ ମସିହାରେ ପ୍ରତିଷ୍ଠିତ ଉକ୍ତ ହାଇସ୍କୁଲରେ ଚଳିତ ଶିକ୍ଷାବର୍ଷରେ ୫୩୬ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୨୪୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୯ମରେ୧୪୬ ଓ ୧୦ମରେ ୧୪୮ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ବିଭିନ୍ନ ଦୃଷ୍ଟିକୋଣରୁ ଉକ୍ତ ହାଇସ୍କୁଲଟି ବ୍ଲକରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାସହ ଶିକ୍ଷାର ମାନବୃଦ୍ଧି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିଛି । ଚଳିତ ବର୍ଷ ପରି ବିଗତ ଦିନରେ ମାଟ୍ରିକ୍ ପରୀକ୍ଷା ରେ ବ୍ଲକରେ ପ୍ରଥମ ସ୍ଥାନ ମଧ୍ୟ ଉକ୍ତ ହାଇସ୍ଖୁଲର ଛାତ୍ରଛାତ୍ରୀ ଅକ୍ତିଆର କରିପାରିଛନ୍ତି । କିନ୍ତୁ ବିଡ଼ମ୍ବନାର ବିଷୟ ସବୁଥାଇ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ୍‌ପ୍ରଦାନ କରିବାରେ ବର୍ତ୍ତମାନ ଶ୍ରେଣୀଗୃହ ମୁଖ୍ୟ ସମସ୍ୟା ପାଲଟିଥିବା ଜଣାପଡ଼ିଛି । ଶ୍ରେଣୀ ଗୃହ ଅଭାବରୁ ୮ମ ଶ୍ରେଣୀରେ ଚଳିତବର୍ଷରେ ଅଧ୍ୟୟନ କରୁଥିବା ୧୦୧ଜଣ ଛାତ୍ରଛାତ୍ରୀ ଗୋଟିଏ ଶ୍ରେଣୀ ଗୃହରେ ଶିକ୍ଷାଲାଭ କରୁଛନ୍ତି । ସେହିପରି ୯ମ ଓ ୧୦ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ପିଲାଙ୍କ ସଂଖ୍ୟା ଅନୁଯାୟୀ ଶ୍ରେଣୀଗୃହର ଅଭାବ ପରିଲକ୍ଷିତ ହେଉଛି । ଶ୍ରେଣୀଗୃହ ଅଭାବରୁ ବିଭାଗ ବଣ୍ଟନ ମଧ୍ୟ ସୂଚାରୁରୂପେ କରାଯାଇପାରୁନଥିବା ଜଣାପଡ଼ିଛି । ଶିକ୍ଷାଦାନ ପାଇଁ ଶିକ୍ଷକଙ୍କ ଅଭାବ ମଧ୍ୟ ଲାଗିରହିଛି ।

ତେଣୁ ହାଇସ୍କୁଲଟିରେ ଲାଗିରହିଥିବା ଶ୍ରେଣୀଗୃହ ସମସ୍ୟାର ଯଥାଶୀଘ୍ର ସମାଧାନ କରାନଗଲେ ଯୁକ୍ତ ୨ ପିଲାଙ୍କୁ କିପରି ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯିବ ତାକୁ ନେଇ ଅଭିଭାବକମାନେ ଚିନ୍ତା ପ୍ରକଟ କରିଛନ୍ତି । ଉକ୍ତ ଅଂଚଳରେ ଏକ ବାଳିକା ହାଇସ୍କୁଲ କାଦବରାଙ୍ଗ ହାଇସ୍କୁଲକୁ ଲାଗି ଗଠିଉଠିଥିଲା । ସେଠାରେ କେବଳ ୯ମ ଓ ୧୦ମ ଶ୍ରେଣୀର ଛାତ୍ରୀ ଅଧ୍ୟୟନ କରୁଥିଲେ । ପରବର୍ତ୍ତି ସମୟରେ ୨୦୨୧ ମସିହାରେ ସରକାର କାଦବରାଙ୍ଗ ହାଇସ୍କୁଲକୁ ନୋଡ଼ାଲ ହାଇସ୍କୁଲରେ ପରିଣତ କରିବାରୁ ବାଳିକା ହାଇସ୍କୁଲକୁ ଉକ୍ତ ହାଇସ୍କୁଲ ସହିତ ମିଶାଇ ଦେଇଥିଲେ । ସେହି ସମୟରେ ଉକ୍ତ ବାଳିକା ହାଇସ୍କୁଲ ପରିସରରେ ବାବା ଧବଳେଶ୍ୱର ପଂଚାୟତ ମହିଳା ମହାସଂଘ ଗଢି ଉଠିଥିଲା । ମହିଳାଙ୍କୁ ସ୍ୱାବଲମ୍ବୀ କରାଇବାରେ ଉକ୍ତ ମହାସଂଘ ପ୍ରମୁଖ ଭୂମିକା ନିର୍ବାହ କରୁଥିବାରୁ ଅଦ୍ୟାବଧି ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ସମସ୍ତେ ଉକ୍ତ ସଂଘକୁ ଅଗ୍ରାଧିକାର ଦେଇ ଆସୁଛନ୍ତି । ସରକାରଙ୍କ ପକ୍ଷରୁ ସେମାନଙ୍କ ନିମନ୍ତେ ଗୃହ ନିର୍ମାଣ ଆରମ୍ଭ କରାଯାଉଥିବାରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ୍‌କୁ ଆଖିଆଗରେ ରଖି ପିଲାଙ୍କ ପଢା ନିମନ୍ତେ ଉଦ୍ଧିଷ୍ଠ ଉକ୍ତ ସ୍ଥାନକୁ ହାଇସ୍କୁଲକୁ ହସ୍ତାନ୍ତର କରିବା ପାଇଁ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ବିହିତ ପଦକ୍ଷେପ ନେବା ପାଇଁ ଚେଷ୍ଟିତ ହେବାକୁ ଶିକ୍ଷାବିତ୍‌ଙ୍କ ସମେତ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି । ଅପରପକ୍ଷରେ ଯୁକ୍ତ ୨ର ପାଠପଢା ଆରମ୍ଭ ପୂର୍ବରୁ ଶ୍ରେଣୀ ଗୃହ ସମସ୍ୟାକୁ ଦୂର କରିବା ପାଇଁ ବିଦ୍ୟାଳୟ ପରିଚାଳନା କମିଟି ମଧ୍ୟ ଜିଲ୍ଲାପାଳ,ବିଡ଼ିଓ ଏବଂ ଡ଼ିଇଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ଅଦ୍ୟାବଧି କୌଣସି ସୁଫଳ ପାଇପାରିନଥିବା ଜଣାପଡ଼ିଛି । ତେଣୁ ଏକ ନୂତନ ପାଠ୍ୟକ୍ରମର ଆରମ୍ଭ ପୂର୍ବରୁ ବିଦ୍ୟାଳୟରେ ଲାଗିରହିଥବବା ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ଦୃଷ୍ଟି ଦେବାକୁ ବିଭିନ୍ନ ମଡଲରୁ ଦାବି ହେଉଛି ।