Budget 1721721176

ମୋଦି ସରକାରଙ୍କ ତୃତୀୟପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ : ପରିମାଣ ୪୮,୨୦,୫୧୨ କୋଟି

National & International

ନୂଆଦିଲ୍ଲୀ : ଆଜି ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ସେ ଫେବୃଆରୀ ୧ରେ ୪୭,୬୫,୭୬୮ କୋଟି ଟଙ୍କାର କାମଚଳା ବଜେଟ ଉପସ୍ଥାପନ କରିଥିଲେ। ସାଧାରଣ ନିର୍ବାଚନ ପରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରାଯାଇଛି। ପୂର୍ଣ୍ଣାଙ୍ଗ ବଜେଟର ପରିମାଣ ୪୮,୨୦,୫୧୨ କୋଟି ଟଙ୍କା ରହିଛି।
ଏହି ବଜେଟ୍‌ ରେ କୃଷକ ଓ ଯୁବପିଢିଙ୍କ ପାଇଁ ବଡ ଘୋଷଣା କରାଯାଇଛି । ବଜେଟ୍‌ କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କହିଛନ୍ତି, ସାଧାରଣ ବଜେଟ୍‌ ଅମୃତକାଳର ମହତ୍ତ୍ୱପୂର୍ଣ୍ଣ ବଜେଟ୍‌ । ଏହା ପାଞ୍ଚ ବର୍ଷ ପାଇଁ ବିଭିନ୍ନ ଦିଗ ସ୍ଥିର କରିବା ସହ ୨୦୪୭ ପର୍ଯ୍ୟନ୍ତ ବିକଶିତ ଭାରତର ଆଧାରଶିଳା ରଖିବ । ମୋଦୀଙ୍କ ୩ୟ ପାଳିର ଏହା ହେଉଛି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ ।
ଦେଶରେ ଉଦ୍ୟମିତାକୁ ପ୍ରୋତ୍ସାହିତ କରିବା ଓ ନିଯୁକ୍ତିି ସୁଯୋଗ ବୃଦ୍ଧି କରିବା ଲକ୍ଷ୍ୟରେ ଅର୍ଥମନ୍ତ୍ରୀ ୩ଟି ସ୍କିମ୍‌ ଘୋଷଣା କରିଛନ୍ତି । ପ୍ରଥମ ସ୍କିମ୍‌ ଟି ହେଉଛି ପ୍ରଥମ ଥର ପାଇଁ ଜଣଙ୍କୁ ନୂଆ ନିଯୁକ୍ତି ଦିଆଗଲେ ପ୍ରଥମ ମାସର ଦରମା ସହାୟତା ସରକାରଙ୍କ ପକ୍ଷରୁ ମିଳିବ । ୨ୟ ସ୍କିମ୍‌ ଅନୁଯାୟୀ, ମାନୁଫାକଚରିଂ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ଓ ୩ୟ ସ୍କିମ୍‌ ନିଯୁକ୍ତି ଦାତାମାନଙ୍କୁ ସହାୟତା ।
ଆଉ ୩କୋଟି ଆବାସ ଗୃହ ନିର୍ମାଣ ନେଇ ବଜେଟ୍‌ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ୩ କୋଟି ଆବାସ ନିର୍ମାଣ କରାଯିବ । ବଜେଟ୍‌ରେ ୯ଟି କ୍ଷେତ୍ରକୁ ଫୋକସ୍‌ କରାଯାଇଛି।
୧. କୃଷି କ୍ଷେତ୍ରରେ ଉତ୍ପାଦକତା ଏବଂ ସ୍ଥିରତା , ୨. ରୋଜଗାର ଏବଂ ଦକ୍ଷତା, ୩. ସମାବେଶୀ ମାନବ ସମ୍ବଳ ବିକାଶ ଏବଂ ସାମାଜିକ ନ୍ୟାୟ, ୪. ବିନିର୍ମାଣ ଏବଂ ସେବା, ୫. ସହରୀ ବିକାଶ, ୬. ଶକ୍ତି ସୁରକ୍ଷା, ୭. ଭିତ୍ତିଭୂମି, ୮. ଅଭିନବ, ଅନୁସନ୍ଧାନ ଏବଂ ବିକାଶ, ୯. ଆଗାମୀ ପିଢିର ଉନ୍ନତି
ବଜେଟରେ ମୁଦ୍ରା ଋଣ ସୀମା ୧୦ଲକ୍ଷରୁ ୨୦ଲକ୍ଷକୁ ବୃଦ୍ଧି ନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଏହି ଋଣ ପାଇପାରିବେ । ବଜେଟ ଉପସ୍ଥାପନ ବେଳେ ନିର୍ମଳା କହିଛନ୍ତି ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ଏହି ବଜେଟ ପ୍ରସ୍ତୁତ ହୋଇଛି । ବିକଶିତ ଭାରତକୁ ବଜେଟରେ ପ୍ରାଥମିକତା ଦିଆଯାଇଛି । ମହିଳା କଲ୍ୟାଣ ଓ ରୋଜଗାର ଉପରେ ଗୁରୁତ୍ୱ ଦିଆଯାଇଛି । ୫ବର୍ଷରେ ୪କୋଟି ଯୁବବର୍ଗଙ୍କୁ ନିଯୁକ୍ତି ଲକ୍ଷ୍ୟ ରଖାଯାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି । ମୁଦ୍ରା ଋଣ ଏକ ସରକାରୀ ଯୋଜନା । ଯେଉଁ ମାଧ୍ୟମରେ ଉଦ୍ଦ୍ୟୋଗୀମାନଙ୍କୁ ଋଣ ପ୍ରଦାନ କରାଯାଇଥାଏ । ଏହା ଅଧୀନରେ ୩ଟି ଶ୍ରେଣୀ ରହିଛି । ଶିଶୁ( ୫୦ ହଜାର ଟଙ୍କା), କିଶୋର(୫୦ ହଜାରରୁ ୫ ଲକ୍ଷ ଟଙ୍କା), ଯୁବବର୍ଗ(୫ରୁ ୧୦ ଲକ୍ଷ ଟଙ୍କା) । ଦେଶର ଯୁବକମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଆରମ୍ଭ ହୋଇଥିଲା ।
ଅର୍ଥମନ୍ତ୍ରୀ ଆଉ ଏକ ଘୋଷଣା କରି କହିଛନ୍ତି ଯେ ମୋଦୀ ସରକାରଙ୍କ ପଞ୍ଚମ ନୂତନ ଯୋଜନା ଅଧୀନରେ ୫୦୦ ବଡ଼ କମ୍ପାନୀରେ ଇଣ୍ଟର୍ନସିପ୍‌କୁ ପ୍ରୋତ୍ସାହନ ଦିଆଯିବ। ସରକାରଙ୍କ ଇଣ୍ଟର୍ନସିପ୍ ଯୋଜନାରେ ୧ କୋଟି ଯୁବକ ଉପକୃତ ହେବେ। ପ୍ରଧାନମନ୍ତ୍ରୀ ମୋଦୀଙ୍କର ଯୁବବର୍ଗଙ୍କ ପାଇଁ ଏହା ସ୍ଵତନ୍ତ୍ର ଇଣ୍ଟର୍ନସିପ୍‌ ପ୍ୟାକେଜ୍‌। ଏହା ଅଧୀନରେ ଯୁବକମାନେ ୫୦୦ ବଡ଼ କମ୍ପାନୀରେ ଇଣ୍ଟର୍ନସିପ୍ କରିବାର ସୁଯୋଗ ପାଇବେ। ଏଥିସହ ପ୍ରତି ମାସରେ ୫୦୦୦ ଟଙ୍କା ଇଣ୍ଟର୍ନସିପ୍ ଭତ୍ତା ମଧ୍ୟ ପ୍ରଦାନ କରାଯିବ। ଏହା ସହିତ ଯେଉଁମାନେ ଇଣ୍ଟର୍ନସିପ୍ ସମାପ୍ତ କରିବେ ସେମାନଙ୍କୁ ଅଲଗା ୬,୦୦୦ ଟଙ୍କା ମଧ୍ୟ ପ୍ରଦାନ କରାଯିବ। ସରକାରଙ୍କ ଏହି ଯୋଜନାରେ ୫ ବର୍ଷରେ ୧ କୋଟି ଯୁବକଯୁବତୀ ଉପକୃତ ହେବେ।
ଦେଶର କୋଟି କୋଟି ଟିକସଦାତାଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ଅର୍ଥମନ୍ତ୍ରୀ । ଆୟକର ସ୍ଲାବରେ ପରିବର୍ତ୍ତନ କରି ଆୟକର ଦାତାଙ୍କୁ ଆଶ୍ୱସ୍ତି ଦେଇଛନ୍ତି ଅର୍ଥମନ୍ତ୍ରୀ । ଅର୍ଥମନ୍ତ୍ରୀ କହିଥିଲେ ଯେ ନୂଆ ଟିକସ ବ୍ୟବସ୍ଥାରେ ଷ୍ଟାଣ୍ଡାର୍ଡ ଡିଡକ୍ସନ ୫୦ ହଜାର ଟଙ୍କାରୁ ୭୫ ହଜାର ଟଙ୍କାକୁ ବୃଦ୍ଧି କରାଯିବ। ଏହା ସହିତ ଟିକସ ଢାଞ୍ଚାରେ ପରିବର୍ତ୍ତନ କରାଯିବ । ନୂଆ ଟିକସ ବ୍ୟବସ୍ଥାରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୌଣସି ଟିକସ ଆଦାୟ କରାଯିବ ନାହିଁ। ୩ ଲକ୍ଷରୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୫ ପ୍ରତିଶତ ଟିକସ ଲାଗୁ ହେବ। ୭ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୧୦ ପ୍ରତିଶତ ଟିକସ ଲାଗୁ ହେବ। ୧୦ ଲକ୍ଷରୁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୧୫ ପ୍ରତିଶତ ଟିକସ ଲାଗୁ ହେବ। ୧୨ ଲକ୍ଷରୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୨୦ ପ୍ରତିଶତ ଟିକସ ଲାଗୁ ହେବ। ୧୫ ଲକ୍ଷଟଙ୍କାରୁ ଅଧିକ ଆୟ ଉପରେ ୩୦ ପ୍ରତିଶତ ଟିକସ ଲାଗୁ ହେବ।
ଚଳିତ ବଜେଟରେ ବିହାର ଓ ଆନ୍ଧ୍ରପ୍ରଦେଶ ପାଇଁ ବିଶେଷ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜର ବିକାଶ ହେବ । ନୂଆ ଏୟାରପୋର୍ଟ, ମେଡିକାଲ କଲେଜ ପାଇଁ ଅନୁଦାନ ମିଳିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ସେହିପରି ଆନ୍ଧ୍ରପ୍ରଦେଶ ପାଇଁ ବିଶେଷ ଘୋଷଣା କରାଯାଇଛି । ପୋଲାଭରମ୍‍ ପ୍ରକଳ୍ପ ଶୀଘ୍ର ସମାପ୍ତ ପାଇଁ ପଦକ୍ଷେପ ନିଆଯିବ । ଏଥିପାଇଁ ୧୫ହଜାର କୋଟି ଟଙ୍କାର ସହାୟତା ପ୍ରଦାନ କରାଯିବ । ପୋଲାଭରମ ଆନ୍ଧ୍ରର ଜୀବନ ରେଖା ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ଅର୍ଥମନ୍ତ୍ରୀ କହିଛନ୍ତି ଯେ ଆମେ ବିହାରର ଗୟାରେ ଶିଳ୍ପ ବିକାଶକୁ ପ୍ରୋତ୍ସାହିତ କରିବୁ। ଏହା ଦ୍ବାରା ପୂର୍ବ ଅଞ୍ଚଳର ବିକାଶ ବଢ଼ିବ। ସଡକ ସଂଯୋଗୀକରଣ ପ୍ରକଳ୍ପର ବିକାଶରେ ମଧ୍ୟ ଆମେ ସହଯୋଗ କରିବୁ। ୨୬,୦୦୦ କୋଟି ଟଙ୍କା ବ୍ୟୟରେ ପାଟନା-ପୂର୍ଣ୍ଣିଆ ଏକ୍ସପ୍ରେସୱେ, ବକ୍ସର-ଭାଗଲପୁର ରାଜପଥ, ବୋଧଗୟା-ରାଜଗୀର-ବୈଶାଲୀ-ଦରଭଙ୍ଗା ଏବଂ ବକ୍ସର ଗଙ୍ଗା ନଦୀ ଉପରେ ଅତିରିକ୍ତ ଦୁଇ ଲେନ ବିଶିଷ୍ଟ ସେତୁ ନିର୍ମାଣ କରାଯିବ।
ଏହା ଛଡ଼ା ଆନ୍ଧ୍ରପ୍ରଦେଶର ରାଜଧାନୀ ଅମରାବତୀର ବିକାଶ ପାଇଁ ପ୍ରାୟ ୧୫,୦୦୦କୋଟି ଟଙ୍କା ଦିଆଯିବ ବୋଲି ଘୋଷଣା କରିଛନ୍ତି ସୀତାରମଣ। ଏହି ଘୋଷଣା ରାଜ୍ୟ ସରକାରଙ୍କ ଏକ ପ୍ରମୁଖ ଚାହିଦା ପୂରଣ କରିଛି। ପୂର୍ବ ବଜେଟ୍ ବୈଠକରେ ଆନ୍ଧ୍ରପ୍ରଦେଶର ଏକମାତ୍ର ରାଜଧାନୀ ଭାବରେ ଅମରାବତୀର ନିର୍ମାଣ ତଥା ବିକାଶ ପାଇଁ ୧୫,୦୦୦ କୋଟି ଟଙ୍କାର ଅନୁଦାନ ମାଗିଥିଲେ ରାଜ୍ୟ ସରକାର।
ଦେଶରେ ଆଉ ୧୨ଟି ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା ହେବ। ଶିଳ୍ପ କାରଖାନାରେ ଯେଉଁ ଶ୍ରମିକମାନେ କାର୍ଯ୍ୟ କରୁଛନ୍ତି , ସେମାନଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାଯିବ । ପିପିପି ମୋଡ୍‌ରେ ରେଣ୍ଟାଲ୍ ହାଉସିଂ ବ୍ୟବସ୍ଥା ନିର୍ମାଣ ହେବ। ଡର୍ମିଟୋରୀ ବ୍ୟବସ୍ଥା ରହିବ। ଯାହାଦ୍ଵାରା ଶ୍ରମିକମାନେ ସୁବିଧାରେ ରହିପାରିବେ।
ବଜେଟ ବିହଙ୍ଗାବଲୋକନ: ୨୦୨୪-୨୫ (କୋଟିରେ)
୨୦୨୨-୨୩(ପ୍ରକୃତ) ୨୦୨୩-୨୪(ବଜେଟ ଆକଳନ) ୨୦୨୩-୨୪(ସଂଶୋଧିତ ବଜେଟ) ୨୦୨୪-୨୫(ବଜେଟ ଆକଳନ)
ରାଜସ୍ୱ ଆୟ- ୨୩୮୩୨୦୬ ୨୬୩୨୨୮୧ ୨୬୯୯୭୧୩ ୩୧୨୯୨୦୦
ପୁଞ୍ଜି ଆୟ- ୧୮୦୯୯୫୧ ୧୮୭୦୮୧୬ ୧୭୯୦୭୭୩ ୧୬୯୧୩୧୨
ସମୁଦାୟ ଆୟ- ୪୧୯୩୧୫୭ ୪୫୦୩୦୯୭ ୪୪୯୦୪୮୬ ୪୮୨୦୫୧୨
ସମୁଦାୟ ବ୍ୟୟ- ୪୧୯୩୧୭ ୪୫୦୩୦୯୭ ୪୪୯୦୪୮୬ ୪୮୨୦୫୧୨
ପ୍ରଭାବୀ ପୁଞ୍ଜି ବ୍ୟୟ- ୧୦୪୬୨୮୯ ୧୩୭୦୯୪୯ ୧୨୭୧୪୩୬ ୧୫୦୧୮୯୯
ରାଜସ୍ୱ ନିଅଣ୍ଟ- ୧୦,୬୯,୯୨୬ ୮୬୯୮୫୫ ୮୪୦୫୨୭ ୫୮୦୨୦୧
ପ୍ରଭାବୀ ରାଜସ୍ୱ ନିଅଣ୍ଟ- ୭୬୩୬୬୨ ୪୯୯୮୬୭ ୫୧୯୩୩୭ ୧୮୯୪୨୩
ବୀତ୍ତିୟ ନିଅଣ୍ଟ- ୧୭୩୭୭୫୫ ୧୭୮୬୮୧୬ ୧୭୩୪୭୭୩ ୧୬୧୩୩୧୨
ପ୍ରାଥମିକ ନିଅଣ୍ଟ- ୮୦୯୨୩୮ ୭୦୬୮୪୫ ୬୭୯୩୪୬ ୪୫୦୩୭୨