Photo2 For The News Of Jabardakhal

ଜବର ଦଖଲରେ ଶହ ଶହ ଏକର ସରକାରୀ ଜମି

State
  • ଉଚ୍ଛେଦ ଅଭିଯାନ ସଫଳତାକୁ ନେଇ ପ୍ରଶ୍ନବାଚୀ
  • ବ୍ଲକ ପ୍ରଶାସନର ଆଭିମୁଖ୍ୟକୁ ଅପେକ୍ଷା

ଆଗରପଡ଼ା :ବନ୍ତ ବ୍ଳକର ବିଭିନ୍ନ ସ୍ଥାନରେ ଲୋକେ ସରକାରୀ ଜାଗା ଜମିକୁ ଜବର ଦଖଲ କରି ରଖିଛନ୍ତି । ଯଦ୍ୱାରା ବହୁ ପଂଚାୟତର ଉନ୍ନୟନମୂଳକ କାର୍ଯ୍ୟରେ ବାଧାମଧ୍ୟ ସୃଷ୍ଟି ହେଉଛି । କିନ୍ତୁ ଏହାକୁ ଉଚ୍ଛେଦ କରିବାରେ ବ୍ଳକ ପ୍ରଶାସନ ଆଜି ପର୍ଯ୍ୟନ୍ତ ସଫଳ ହୋଇପାରିନଥିବା ବେଳେ ରାଜ୍ୟ ସରକାର ସରକାରୀ ଜାଗା ଜମିରୁ ଜବର ଦଖଲ ହଟାଇ ଏହାକୁ ତାର ବାଡ଼ ଦେଇ ଫଳକ ଲଗାଇ ସୁରକ୍ଷିତ ରଖିବାକୁ ନିର୍ଦ୍ଦେଶନାମା ଜାରୀ କରିଛନ୍ତି । ତେଣୁ ବର୍ଷବର୍ଷ ଧରି ସରକାରୀ ଜମିକୁ ଜବର ଦଖଲ କରି ରଖିଥିବା ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କ ଠାରୁ ଜାଗା ଜମିକୁ ଜବର ଦଖଲ ମୁକ୍ତ କରିବା ସହ ଉଚ୍ଛେଦ ଅଭିଯାନ ସଫଳ କରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନା ଅନୂଯାୟୀ;ବନ୍ତ ତହସିଲର ମୋଟ କ୍ଷେତ୍ରଫଳ ୬୦ହଜାର ୭ଶହ ୭୭.୭୦ ଏକର ହୋଇଥିବା ବେଳେ ସେଥିମଧ୍ୟରୁ ୫ହଜାର ୫ଶହ୬୧.୧୭ ଏକର ସରକାରୀ ଜମି ରହିଛି । ସେଥିମଧ୍ୟରେ ଗୋଚର ଜମି ୧୮୪୫.୯୮ ଏକର,ଶ୍ମଶାନ ୧୮୩.୦୪ ଏକର,ଅନାବାଦୀ ୮୦୩.୪୨ଏକର,ପିଡ଼ବ୍ୟୁଡ଼ି ୧୯୪.୬୪ଏକର,ଗ୍ରାମ୍ୟ ଜଙ୍ଗଲ ୧୪୮୩.୩୭ଏକର,ସର୍ବସାଧାରଣ ଜମି ୯୦୬.୧୯ଏକର ଓ ବସ୍ତି ଯୋଗ୍ୟ ଜମି ୧୪୪.୫୩ ଏକର ରହିଛି । ଏହିପରି ସ୍ଥଳେ ବିଭିନ୍ନ ପଂଚାୟତରେ ଶହ ଶହ ଏକର ସରକାରୀ ଜମି ଜବର ଦଖଲରେ ରହିଥିବା ଜଣାପଡ଼ିଛି । ଗୋଚର ଜମିକୁ ଜବର ଦଖଲ କରିବା ଫଳରେ ଗୋରୁଗାଈ ମାନଙ୍କ ପାଇଁ ଚାରଣ ଭୁମିର ଅଭାବ ସୃଷ୍ଟି ହେଉଥିବାରୁ ସେମାନେ ରାଜରାସ୍ତାରେ ପହଂଚିଛନ୍ତି । ବିଭିନ୍ନ ସ୍ଥାନରେ ଗ୍ରାମ୍ୟ ଜଙ୍ଗଲ ଓ ଶ୍ମଶାନ ଜମିକୁ ଜବର ଦଖଲ କରି ଚାଷ ଜମିରେ ପରିଣତ କରାଯାଇଛି ।

Photo1 For The News Of Jabardakhal

ଯେପରିକି କାଦବରାଙ୍ଗ ପଂଚାୟତ ଅନ୍ତର୍ଗତ ବନ୍ତଳା ଗ୍ରାମର ପାଖାପାଖି ୬୦ଏକର ସରକାରୀ (ଗୋଚର ଓ ଜଙ୍ଗଲ)ଜମିରୁ ପାଖାପାଖି ୪୦ଏକର ପରି ଜମିକୁ ବର୍ତ୍ତମାନ ଜବର ଦଖଲ କରାଯାଇ ତାକୁ ଚାଷ ଜମିରେ ପରିଣତ କରାଯାଉଛି । ଦିନକୁ ଦିନ ଜଙ୍ଗଲ ଜମିରେ ଉଠିଥିବା ବଡ଼ବଡ଼ ଗଛକୁ ବେନିୟମ ଭାବେ କାଟି ଦିଆଯାଉଛି । ଏହାକୁ ନେଇ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳିପାରୁପାହିଁ । ରାଜସ୍ୱ ନିରୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ । ସେହିପରି ବିଟିପୁର ନୂତନ ପଂଚାୟତର ମାନ୍ୟତା ପାଇବା ପରେ ଉକ୍ତ ପଂଚାୟତରେ ବିଭିନ୍ନ ପ୍ରକାର ଉନ୍ନତିମୂଳକ କାର୍ଯ୍ୟ ହେବାକୁ ଥିବା ବେଳେ ଜବର ଦଖଲରେ ପଂଚାୟତର ବହୁ ଜାଗା ରହିଥିବାରୁ ଏହାର ଉନ୍ନୟନମୂଳକ କାର୍ଯ୍ୟରେ ବହୁ ବାଧା ଉପୁଜୁଥିବା ଜଣାପଡ଼ିଛି । ଅଭିଯୋଗ ପରେ ମଧ୍ୟ ବ୍ଲକ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେହିପରି ବ୍ଲକର ବିଭିନ୍ନ ସ୍ଥାନରେ ଜବର ଦଖଲରେ ବହୁ ଜାଗା ଜମି ରହିଛି । ତେଣୁ ପ୍ରଶାସନର ଆଭିମୁଖ୍ୟ ଉପରେ ଉଚ୍ଛେଦ ଅଭିଯାନ ସଫଳତା ନିର୍ଭର କରୁଥିବାରୁ । ବିଭାଗୀୟ ଅଧିକାରୀ ଏଥିନିମନ୍ତେ କଠୋର ଆଭିମୁଖ୍ୟ ଗ୍ରହଣ କରିବା ସହ ଜବର ଦଖଲକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି ।