Img 20240702 Wa0247

ୟୁକାଲିପଟାସ ପ୍ଲାଣ୍ଟେସନ କଟାକୁ ନେଇ ବିବାଦ

State
  • ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନେଇ ଆଶଙ୍କା, ପୋଲିସ ନୀରବ
  • ବିବାଦ କୋର୍ଟରେ ଥିଲା ବେଳେ ଗୋଟିଏ ପକ୍ଷ କାଟିନେଉଛି ହଜାର ହଜାର ଗଛ

ବାରିପଦା: ମୟୁରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅନ୍ତର୍ଗତ ଡାଳଗାଁ ଏବଂ ଅନ୍ୟାନ୍ୟ ଗ୍ରାମରେ ହୋଇଥିବା 600 ଏକର ପରିମିତ ୟୁକାଲିପଟାସ ପ୍ଲାଣ୍ଟେସନ ଦିନରାତି କଟା ଚାଲିଥିବା ବେଳେ, ପ୍ଲାଣ୍ଟେସନରେ ପୁଞ୍ଜି ନିବେଶ କରିଥିବା ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଲାଗିରହିଛି | ତେବେ ଉଭୟ ଗୋଷ୍ଠୀ ଶୁଳିଆପଦା ଥାନାରେ ଏତେଲା ଦେଇଥିବା ବେଳେ ପୋଲିସ ଗୋଟିଏ ପକ୍ଷର ମିଛ ମାମଲାକୁ ରୁଜୁ କରି ଅନ୍ୟ ପକ୍ଷର ସତ ମାମଲାରେ କେଶ ରୁଜୁ ନକରିବାରୁ ଉଭୟ ପକ୍ଷଙ୍କ ମଧ୍ୟରେ ଆଇନ ଅଦାଲତରେ ମାମଲା ଚାଲିଥିବା ବେଳେ, ଗୋଟିଏ ପକ୍ଷ ପୋଲିସର ଭିତିରିଆ ସହାୟତା ନେଇ ଜୋର ଜବରଦସ୍ତ ଗଛ କାଟି ନେଉ ଥିବାର ଅଭିଯୋଗ ହୋଇଛି | ଏପରିକି ବାରିପଦା ଏସଡିପିଓ ଉଭୟ ପକ୍ଷଙ୍କୁ ଗତ ଜୁନ 22 ତାରିଖରେ ଆପୋଷ ବୁଝାମଣା ପାଇଁ ଡାକିଥିଲେ ମଧ୍ୟ ତା ପୂର୍ବରୁ ଗୋଟିଏ ପକ୍ଷ ଜୋର ଜବରଦସ୍ତ ଗଛ କାଟି ନେଉଛନ୍ତି | ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରାଯାଉଛି | ଅଭିଯୋଗ କାରୀ ପକ୍ଷର ଲୋକେ ଘଟଣା ସ୍ଥଳକୁ ଯାଇଥିବା ବେଳେ ଗଛକାଟୁଥିବା ପକ୍ଷ ଗୁଣ୍ଡା ଲଗାଇ ମାରପିଟ କରୁଥିବା ଭଳି ଘଟଣା ମଧ୍ୟ ସୃଷ୍ଟି ହୋଇଛି | ତେବେ ମାମଲାକୁ ନେଇ ଉଭୟ ପକ୍ଷ ବାରିପଦା ଉପଜିଲ୍ଲାପାଳଙ୍କ ଅଦାଲତରେ 144 ଏବଂ 145 ଧାରାରେ ଗଛ କଟା ବନ୍ଦ କରିବାକୁ ନେଇ ଆବେଦନ କରିଥିବା ବେଳେ କିଭଳି ଏବଂ କାହା ସାହସରେ ଗୋଟିଏ ପକ୍ଷ ଜୋର ଜବରଦସ୍ତ ହଜାର ହଜାର ଗଛ କାଟି ନେଉଛନ୍ତି ବୋଲି ସ୍ଥାନୀୟ ଅଞ୍ଚଳରେ ପ୍ରଶ୍ନବାଚି ସୃଷ୍ଟି ହେଉଛି | ସେହିପରି ଉଭୟପକ୍ଷଙ୍କ ମଧ୍ୟରେ ବାଦ ବିବାଦକୁ ନେଇ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାକୁ ବସିଥିବା ବେଳେ ପୋଲିସ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସ ନକରି ଗୋଟିଏ ପକ୍ଷ ଗଛ କାଟୁ ଥିବା ବେଳେ ପୋଲିସ ଚୁପ କାହିଁକି ବସିଛି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି l