Onn 3

ବଦଳିବ ‘ଲକ୍ଷ୍ମୀ’ ବସର ନାଁ, ହେବ ‘ମୁଖ୍ୟମନ୍ତ୍ରୀ ବସ ସେବା’

State

ଭୁବନେଶ୍ବର: ହଟିବ ଲକ୍ଷ୍ମୀ ବସର ନାଁ । ଲେଖା ହେବ ‘ମୁଖ୍ୟମନ୍ତ୍ରୀ ବସ ସେବା’ । ଲକ୍ଷ୍ମୀ ବସ୍‌  ଭବିଷ୍ୟତ ନେଇ ଆଜି ସ୍ପଷ୍ଟ କରିଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା । ଲକ୍ଷ୍ମୀ ବସ୍‌ ନାଁ ବଦଳାଇ ଏହାକୁ ମୁଖ୍ୟମନ୍ତ୍ରୀ ବସ୍‌ ସେବା କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।  ଯାହା ଅତିଶୀଘ୍ର ଆଗାମୀ ଦିନରେ କାର୍ଯ୍ୟକାରୀ କରାଯିବ । ଏହା ସହିତ ନିରବଚ୍ଛିନ୍ନ ଭାବରେ ଲୋକଙ୍କୁ ବସ୍‌ ସେବା ଯୋଗାଇ ଦିଆଯିବ ବୋଲି ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ତେବେ ଚଳିତ ସାଧାରଣ ନିର୍ବାଚନର ପୂର୍ବରୁ ସାରା ରାଜ୍ୟରେ ଲକ୍ଷ୍ମୀ ବସ୍ ଯୋଜନା ଆରମ୍ଭ କରିଥିଲେ ତତ୍କାଳୀନ ନବୀନ ସରକାର। ପ୍ରଥମେ ରାଜ୍ୟର ଉପାନ୍ତ ଜିଲ୍ଲା ମାଲକାନଗିରିରୁ ଗତ ବର୍ଷ ଅକ୍ଟୋବର ୧୨ରେ ଗଡିଥିଲା ଲକ୍ଷ୍ମୀବସ୍ । ଖୋଦ୍ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଯାଇ ଏହାର ଶୁଭାରମ୍ଭ କରିଥିଲେ । ପରେ ରାଜ୍ୟର ସବୁ ଜିଲ୍ଲାରେ ପଞ୍ଚାୟତରୁ ବ୍ଲକକୁ ଗଡ଼ିଥିଲା ଲକ୍ଷ୍ମୀ ବସ୍ ସେବା । ଯେଉଁଥିରେ ମହିଳାଙ୍କ ପାଇଁ ମାତ୍ର ମୂଲ୍ୟ ୫ ଟଙ୍କା ରଖାଯାଇଥିଲା । ବର୍ତ୍ତମାନ ପ୍ରାୟ ରାଜ୍ୟର ୩୦ଟି ଜିଲ୍ଲାରେ ପ୍ରାୟ ୯୫ ପ୍ରତିଶତ ପଞ୍ଚାୟତ ଏହି ସେବା ଦ୍ବାରା ସଂଯୋଜ କରାଯାଇଛି । ତେବେ ଏହି ବସ୍ ଗଡିବା ପରେ ଅଧିଂକାଶ ଅଞ୍ଚଳରେ ଏହି ବସରେ ଯାତ୍ରୀ ହେଉନଥିବା କିମ୍ବା ହାତଗଣତି ଯାତ୍ରୀ ହେଉଥିବା ଦୃଶ୍ୟ ଦେଖିବାକୁ ମିଳୁଥିଲା । ଅନେକାଂଶ ଜାଗାରେ କିଛି କିଛି ଲକ୍ଷ୍ମୀ ବସ୍ ତ ଆଜି ବି ଅରଖ ନୂଆ ହୋଇ ଥୁଆ ହୋଇଛି । ଯାହା ଖତ ପଛେ ଖାଇଲାଣି କିନ୍ତୁ ଲୋକଙ୍କ ପାଦ ପଡିନି । ଯାହାକୁ ନେଇ ଅନେକ ସମାଲୋଚନା ବି ହେଉଥିଲା । ଅନେକ ଅଞ୍ଚଳରେ ଲକ୍ଷ୍ମୀ ବସର ଆବଶ୍ୟକତା ନଥାଇ ଏହାକୁ ଗଡାଉ ଥିବାରୁ ଖାଲି ରାଜକୋଷ କ୍ଷତି ହେବା ସହ ଅନ୍ୟ କିଛି ସୁଲଭ ମିଳୁନଥିଲା ।

ଆଉ ଏବେ ରାଜ୍ୟରେ ନୂଆ ସରକାର ବଦଳିବା ପରେ ଏହି ବସ ସେବା ଯୋଜନା ନେଇ ଅନେକ ଚର୍ଚ୍ଚା ସୃଷ୍ଟି ହୋଇଥିଲା । ସରକାର ବଦଳିବା ପରେ ପରେ ତ ଲକ୍ଷ୍ମୀ ବସରୁ  ଶଙ୍ଖ ଷ୍ଟିକର୍ ଓ ମିଶନ୍ ଶକ୍ତି ଲେଖା ବି ହଟିଯାଇଥିଲା । ଯାହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଥିଲା ବନ୍ଦ ହୋଇଯିବକି ଲକ୍ଷ୍ମୀ ବସ୍ ? ଏପରିସ୍ଥଳେ ଆଜି ପରିବହନ ମନ୍ତ୍ରୀ ଲକ୍ଷ୍ମୀ ବସ୍ ସେବା ବନ୍ଦ ହେବା ନେଇ ଦ୍ୱନ୍ଦ୍ୱ ଦୂର କରିବା ସହ ବସ୍ ସେବା ନିରନ୍ତର ଚାଲୁ ରହିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହା ସହିତ ଏହା ମୁଖ୍ୟମନ୍ତ୍ରୀଙ୍କ ବସ୍ ସେବା ଭାବେ ଚାଲୁରହିବ ବୋଲି ସ୍ପଷ୍ଟ କରିଛନ୍ତି  ।