Scb Ctc

କଟକ ବଡ଼ ଡାକ୍ତରଖାନାରେ ଚାଞ୍ଚଲ୍ୟ: ଫାର୍ମାସିଷ୍ଟଙ୍କୁ ହତ୍ୟା ପାଇଁ ସୁପାରି

State

କଟକ: କଟକ ବଡ଼ ଡାକ୍ତରଖାନାର ଜଣେ ଫାର୍ମାସିଷ୍ଟଙ୍କୁ ହତ୍ୟା ପାଇଁ ସୁପାରି ଦିଆଯିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। କେନ୍ଦ୍ରୀୟ ଔଷଧ ଗୃହକୁ ଏକ ଫାର୍ମାସ୍ୟୁଟିକାଲ୍ କମ୍ପାନିର ସାମଗ୍ରୀ ଯୋଗାଣ ବନ୍ଦ କରିଦେବାରୁ ତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରାଯିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମତେ ୬ ଜଣଙ୍କୁ ଗିରଫ କରାଯାଇଛି। ସଂପୃକ୍ତ ଫାର୍ମାସିଷ୍ଟଙ୍କୁ ହତ୍ୟା କରିବାକୁ ଫାର୍ମାସ୍ୟୁଟିକାଲ୍ କମ୍ପାନି ଏକ ଅପରାଧୀ ଗୋଷ୍ଠୀକୁ ସୁପାରି ଦେଇଥିଲା। ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ମଙ୍ଗଳାବାଗ ଥାନା ପୁଲିସ ଜଗତପୁର ଇପିକଲ ଛକରେ ରହୁଥିବା କିଶନନଗରର ସିପୁ ଓରଫ ଦିବ୍ୟ ରଞ୍ଜନ ମହାନ୍ତି(୩୯), ନାନକାରର ବଣ୍ଟି ଓରଫ ଦିନେଶ ମହାନ୍ତି(୨୫), ମଙ୍ଗଳାବାଗର ଟୁଟୁ ଓରଫ ରଞ୍ଜନ ବେହେରା(୨୯), ପୁରୀଘାଟ ହରିପୁରର ମୁନା ମାଇକେଲ୍ ଓରଫ ଅବିନାଶ ମହାରଣା(୨୬), ମାଛୁଆବଜାରର ବି ସିମାଲୁ(୨୨), ଥୋରିଆ ସାହିର ଚନ୍ଦନ ସେନାପତି(୨୨)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ଝାରପୋଖରୀ ଥାନା ସାରକଣା ଅଞ୍ଚଳରେ ବିଶ୍ବମ୍ଭର ଭୋଳଙ୍କୁ କଟକ ବଡ଼ ଡାକ୍ତରଖାନା ଗେଟ୍ ନିକଟରେ ଗଲା ୧୨ ତାରିଖରେ ଆକ୍ରମଣ କରାଯାଇଥିଲା। ଦୁର୍ବୃତ୍ତମାନେ ତାଙ୍କୁ ଗାଳି ଗୁଲଜ କରିବା ସହିତ ପ୍ରାଣାନ୍ତକ ଆକ୍ରମଣ କରିବା ସଂପର୍କରେ ପତ୍ନୀ ଝାନ୍ସୀ ରାଣୀ ଭୋଳ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରିଥିଲା। ଏହି ଘଟଣାର ତଦନ୍ତ ସମୟରେ ପୁଲିସ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପାଇଥିଲା। ଶ୍ରୀ ଭୋଳ କଟକ ବଡ଼ ଡାକ୍ତରଖାନାର କେନ୍ଦ୍ରୀୟ ଔଷଧ ଗୃହରେ ଫାର୍ମାସିଷ୍ଟ ଭାବେ କାମ କରନ୍ତି। କାଠଗୋଲା ସାହିର ଦିବ୍ୟତେଜ ଫାର୍ମାସ୍ୟୁଟିକାଲ୍ କଟକ ବଡ ଡାକ୍ତରଖାନାରେ ହୃଦରୋଗୀଙ୍କ ପାଇଁ ବ୍ୟବହାର ହେଉଥିବା ଷ୍ଟେଣ୍ଟ ଓ ବେଲୁନ ଯୋଗାଣ ଦାୟିତ୍ବ ନେଇଥିଲା। ମୁଖ୍ୟ ଅଭିଯୁକ୍ତ ମେଡିସିନ୍ ରିପ୍ରେଜେଣ୍ଟେଟିଭ୍ ସିପୁ ଓରଫ ଦିବ୍ୟ ରଞ୍ଜନ ମହାନ୍ତି ଦିବ୍ୟତେଜ ଫାର୍ମାସ୍ୟୁଟିକାଲର ଅନ୍ୟତମ ଅଂଶୀଦାର। ସେ ମେଟ୍ରୋନିକ୍ସ କମ୍ପାନିର ଷ୍ଟେଣ୍ଟ ଓ ବେଲୁନ୍ ଦିବ୍ୟତେଜ୍ ଫାର୍ମାସ୍ୟୁଟିକାଲକୁ ଯୋଗାଣ କରିଥାଏ। ଏହାର ପ୍ରତିବଦଳରେ ୧୫ ପ୍ରତିଶତ କମିସନ ହାତେଇଥାଏ। କିନ୍ତୁ ଏହି ମେଟ୍ରୋନିକ୍ସ କମ୍ପାନିର ଷ୍ଟେଣ୍ଟ୍‌ ଓ ବେଲୁନର ଗୁଣାତ୍ମକ ମାନ ଉପରେ ପ୍ରଶ୍ନ ଉଠିଥିଲା। ଏଥିପାଇଁ ଏହି ସଂସ୍ଥାକୁ ବଡ଼ ଡାକ୍ତରଖାନା ପକ୍ଷରୁ ଉକ୍ତ ସାମଗ୍ରୀ ଅର୍ଡର ଦିଆଯାଇ ନଥିଲା। ଏହାଦ୍ବାରା ମୁଖ୍ୟ ଅଭିଯୁକ୍ତ ସିପୁ ବଡ଼ ଧରଣର ଆର୍ଥିକ କ୍ଷତି ସହିଥିଲା। ଏଥିପାଇଁ ସିପୁ ଫାର୍ମାସିଷ୍ଟ ଶ୍ରୀ ଭୋଳଙ୍କୁ ଦାୟୀ କରିଥିଲା।
ସିପୁ ତା’ର ଶଳା ବଣ୍ଟି ଓରଫ ଦିନେଶ ମହାନ୍ତି ସହିତ ମିଶି ଶ୍ରୀ ଭୋଳଙ୍କୁ ହତ୍ୟା ଷଡ଼ଯନ୍ତ୍ର କରିଥିଲେ। ଶଳା ବଣ୍ଟି ତାର ଜଣେ ସାଙ୍ଗ ସହିତ ଯୋଗାଯୋଗ କରିଥିଲା। ଶ୍ରୀ ଭୋଳଙ୍କୁ ହତ୍ୟା କରିବାକୁ ପ୍ରାଥମିକ ଭାବେ ସେ ୪୦ ହଜାର ଟଙ୍କା ଦେଇଥିଲେ। ଏହି ସାଙ୍ଗ ଜଣକ ଶଗଡ଼ିଆ ସାହିର ଟିଟୁ ସହିତ ଯୋଗାଯୋଗ କରିଥିଲା। ଟିଟୁ ଏହି ହତ୍ୟାକାଣ୍ଡ ପାଇଁ ଏକ ତିନି ଜଣିଆ ଟିମ୍ ଗଠନ କରିଥିଲା। ଏଥିରେ ସୁପାରି କିଲର୍ ମୁନା ମାଇକେଲ୍ ସମେତ ବି.ସିମୁଏଲ ଓ ଚନ୍ଦନ ସେନାପତି ଥିଲେ। ଜୁନ ୧୨ ତାରିଖରେ ଯୋଜନା ମୁତାବକ ସିପୁ, ଶଳା ଦିନେଶ ବଡ଼ ଡାକ୍ତରଖାନା କେନ୍ଦ୍ରୀୟ ଔଷଧ ଗୃହ ସାମନାରେ ଛକି ରହିଥିଲେ। ସୁପାରି କିଲର୍ ମୁନା, ବି. ସିମାଲୁ ଏବଂ ଚନ୍ଦନ ଏକ ସ୍କୁଟିରେ ବି ୫୦ ମିଟର ଦୂରରେ ଛିଡ଼ା ହୋଇଥିଲେ। ଯେତେବେଳେ ଶ୍ରୀ ଭୋଳ ଅଫିସ କାମ ସାରି ଘରକୁ ବାହାରିଥିଲେ ସେତେବେଳେ ସିପୁ, ଦିନେଶ ଇଙ୍ଗିତ ଦେଇ ମୁନାକୁ ଚିହ୍ନାଇ ଦେଇଥିଲେ। ମୁନା, ସିମାଲୁ ଏବଂ ଚନ୍ଦନ ଏକ ବାଇକରେ ଶ୍ରୀ ଭୋଳଙ୍କ ପିଛା କରିଥିଲେ। ରାଣୀହାଟ ପଟ ଡାକ୍ତରଖାନା ଗେଟ୍ ନିକଟରେ ତାଙ୍କୁ ଅଟକାଇ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଶ୍ରୀ ଭୋଳ ତଳେ ପଡ଼ିଯାଇଥିଲେ। ଏହି ସମୟରେ ସ୍ଥାନୀୟ ଲୋକ ପହଞ୍ଚି ଯିବାରୁ ମୁନା ସମେତ ୩ ଜଣ ସେଠାରୁ ଫେରାର ହୋଇଯାଇଥିଲେ। ମଙ୍ଗଳାବାଗ ଥାନା ପୁଲିସ ସିସି କ୍ୟାମେରା ଫୁଟେଜ ଯାଞ୍ଚ କରି ଉପରୋକ୍ତ ୬ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଗୋଟିଏ ସ୍କୁଟି, ବାଇକ, ୫ଟି ମୋବାଇଲ୍ ଫୋନ୍, ଷ୍ଟିଲ ରଡ ଇତ୍ୟାଦି ଜବତ ହୋଇଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ମୁନା ବିରୋଧରେ ମଙ୍ଗଳାବାଗ ଥାନାରେ ୨୦୧୯ ଏପ୍ରିଲ ୨୬ରେ ଏକ ଅପରାଧୀକ ମାମଲା ରୁଜୁ ହୋଇଥିଲା। ୨୦୨୧ ଡିସେମ୍ବର ୧୯ରେ ମୁନାକୁ ବାଦାମବାଡ଼ି ଥାନା ପୁଲିସ ଗିରଫ କରିଥିଲା। ସିଟି କଲେଜରେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ରୀଙ୍କୁ ଏସିଡ୍ ମାଡ଼ ପାଇଁ ଧମକ ଦେବା ଏବଂ ବାଖରାବାଦର ରକି ବାରିକକୁ ଆକ୍ରମଣ କରିବା ଅଭିଯୋଗରେ ଡିସେମ୍ବର ୧୮ରେ ମୁନାକୁ ବାଦାମବାଡ଼ି ଥାନା ପୁଲିସ ଗିରଫ କରିଥିଲା।