Gqruitsbiaa8umx 750x430

ହାତୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ

State

ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିର ସ୍ନାନବେଦିରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ସ୍ନାନଯାତ୍ରା। ରତ୍ନବେଦୀରୁ ସ୍ନାନବେଦୀକୁ ଆସି ସୁନା କୂଅର ୧୦୮ ସୁବାସିତ ଜଳରେ ସ୍ନାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି।  ରୀତିନୀତି ଅନୁସାରେ ୧୦୮ ଗରା ଜଳରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ପ୍ରଭୁ ସୁଦର୍ଶନଙ୍କର ଦିବ୍ୟ ସ୍ନାନ ନୀତି ସମ୍ପନ୍ନ ହୋଇଛି। ସେବାୟତମାନେ ୩୫ ଗରା ଜଳରେ ଶ୍ରୀଜଗନ୍ନାଥଙ୍କୁ ସ୍ନାନ କରାଇଛନ୍ତି। ସେହିପରି ବଡ଼ ଠାକୁର ଶ୍ରୀବଳଭଦ୍ର ୩୩ ଗରା ଜଳ ଏବଂ ଦେବୀ ସୁଭଦ୍ରା ୨୨ ଗରା ଜଳରେ ସ୍ନାନ କରିଛନ୍ତି। ୧୮ ଗରା ଜଳରେ ଶ୍ରୀସୁଦର୍ଶନଙ୍କ ସ୍ନାନ କରାଯାଇଛି।
ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ନୀତି ସମୟରେ ଲକ୍ଷାଧିକ ଶ୍ରଦ୍ଧାଳୁ ବଡ଼ଦାଣ୍ଡରେ ସମାଗମ ହୋଇ ଏହାକୁ ଦର୍ଶନ କରିଥିଲେ। ସକାଳୁ ପ୍ରବଳ ଗରମ ଗୁଳୁଗୁଳି ହେଉଥିବାବେଳେ ସ୍ନାନ ସମୟରେ ପ୍ରବଳ ବର୍ଷା ହୋଇଥିଲା। ଶ୍ରଦ୍ଧାଳୁମାନେ ବର୍ଷାରେ ଭିଜି ତିନି ଠାକୁରଙ୍କ ସ୍ନାନ ଯାତ୍ରା ଦେଖିଥିଲେ। ମହାପ୍ରଭୁଙ୍କ ଏହି ମାନବୀୟ ଲୀଳା ଅଧରପୋଛା ସହ ଅନ୍ୟାନ୍ୟ ନୀତି ପରେ ବଡ଼ଠାକୁର ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ସୁଭଦ୍ରା ଗଜବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ।
ଶୁଭ୍ର ରଙ୍ଗର ଗଜବେଶରେ ମହାପ୍ରଭୁ ଓ ହଳଦିଆ ରଙ୍ଗର ଗଜବେଶରେ ବଡ଼ଠାକୁର ଦର୍ଶନ ଦେଇଛନ୍ତି । ମହାପ୍ରଭୁଙ୍କ ଏହି ଅପୂର୍ବ ବେଶ ‌ଦର୍ଶନ କରି ଭକ୍ତମାନେ ନିଜକୁ ଧନ୍ୟ ମନେ କରିଛନ୍ତି। ପ୍ରବଳ ଖରା ଓ ଗୁଳୁଗୁଳି ସତ୍ତ୍ବେ ଭକ୍ତମାନେ ଏହି ବେଶ ଦର୍ଶନ କରି ବହୁତ ଖୁସି ଅନୁଭବ କରିଛନ୍ତି।