Img 20240618 Wa0264

ଶ୍ରୀ ଶ୍ରୀ ହାରିବଳଦେବଜୀଉ ମହାପ୍ରଭୁଙ୍କର ଚଳିତ ବର୍ଷ ରଥ ଯାତ୍ରା ପାଇଁ ପ୍ରଶାସନିକ ପ୍ରାକ-ପ୍ରସ୍ତୁତି ବୈଠକ ଅନୁଷ୍ଠିତ

State

ବାରିପଦା:  ଦ୍ଵିତୀୟ ଶ୍ରୀକ୍ଷେତ୍ର କୁହା ଯାଉଥିବା ବାରିପଦା ସହରରେ ଶ୍ରୀ ହାରିବଳଦେବଜୀଉ ମହାପ୍ରଭୁଙ୍କର ଚଳିତ ବର୍ଷ ରଥ ଯାତ୍ରା ପାଇଁ ବାରିପଦା ଉପଖଣ୍ଡ ତଥା ଜିଲ୍ଲା ପ୍ରଶାସନ ଅନୁକୁଲ୍ୟରେ ପ୍ରାକ-ପ୍ରସ୍ତୁତି ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୌଲତ ଚନ୍ଦ୍ରକାର ଆଧ୍ୟକ୍ଷତା କରିଥିବା ବେଳେ, ମୟୂରଭଞ୍ଜ ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ, ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା, ବାରିପଦା ପୌରପାଳିକା ନଗରପାଳ ଶ୍ରୀ କୃଷ୍ଣାନନ୍ଦ ମହାନ୍ତି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଉମାଶଙ୍କର ମହାରଣା ପ୍ରମୁଖ ବିଶେଷ ଅତିଥି ବୃନ୍ଦ ଭାବେ ଯୋଗଦାନ କରିଥିଲେ। ଏହି ବୈଠକକୁ ଉପଜିଲ୍ଲାପାଳ, ବାରିପଦା ଶ୍ରୀ ଈଶ୍ବର ଚନ୍ଦ୍ର ନାଏକ ପରିଚାଳନା କରିଥିବା ବେଳେ ଶ୍ରୀ ଶ୍ରୀ ହାରିବଳଦେବଜୀଉ ମହାପ୍ରଭୁ ମନ୍ଦିରର ସମସ୍ତ ସେବାୟତଗଣ, ପରିଚ୍ଛା ସେବକ, ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ, ଶ୍ରଦ୍ଧାଳୁ ଏବଂ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦାନ କରିଥିଲେ। ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହର୍ଷୋଲ୍ଲାସରେ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ନୀଳାଦ୍ରି ବିଜେ ଏବଂ ଆଡ଼ପ ମଣ୍ଡପ ଦର୍ଶନ ନୀତିକାନ୍ତି ଶାନ୍ତିଶୃଙ୍ଖଳାରେ ସମ୍ପନ୍ନ ହେବା ଏହି ବୈଠକର ମୁଖ୍ୟ ପ୍ରସଙ୍ଗ ଥିଲା।ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ସହିତ ଏହି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ତତ୍ସହିତ ଉପଜିଲ୍ଲାପାଳ ଶ୍ରୀ ନାଏକ ଆସନ୍ତା ୦୬ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମ ବାବଦରେ ପ୍ରଶାସନିକ ପଦକ୍ଷେପମାନ ବିଷୟରେ ଆଲୋଚନା କରିଥିଲେ। ଏହି ବୈଠକରେ କେଉଁ ବିଭାଗ କେଉଁ କାର୍ଯ୍ୟ କରିବେ ଏବଂ ରଥ ଯାତ୍ରା ସମୟରେ ସମସ୍ତ ଦାୟିତ୍ୱକୁ ନିଖୁଣ ଭାବରେ ଜନସାଧାରଣଙ୍କ ଅବଗତି ଓ ସୁବିଧା ନିମନ୍ତେ କରାଯିବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ୱ ଆବଣ୍ଟନ କରାଯାଇଥିଲା। ସୂଚନା କେନ୍ଦ୍ର ବ୍ୟବସ୍ଥା, ପାନୀୟଜଳ, ଶାନ୍ତିଶୃଙ୍ଖଳା ବଜାୟରଖିବା, ବଡଦାଣ୍ଡ ମରାମତି, ରାସ୍ତା ବୈଦ୍ୟୁତିକରଣ, ସ୍ୱାସ୍ଥ୍ୟ ବ୍ୟବସ୍ଥା, ଅଗ୍ନିଶମ ବ୍ୟବସ୍ଥା, ଟ୍ରାଫିକ, ଯାନବାହାନ ରକ୍ଷଣାବେକ୍ଷଣ, ଅସ୍ଥାୟୀ ଦୋକାନ, ରଥଯାତ୍ରା ଧାରାବିବରଣୀ, ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା । ସୂଚନା ଥାଉକି, ପ୍ରତିବର୍ଷ ଠାରୁ ଚଳିତ ବର୍ଷ ଅଧିକ ଜନଆଦରିକୃତ ରଥଯାତ୍ରା ପାଇଁ ପ୍ରଶାସନ ଚେଷ୍ଟିତ ଏବଂ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ସୁଚାରୁ ରୂପେ ସମ୍ପନ୍ନ କରିବା ପାଇଁ ଏହି ବୈଠକରେ ମତ ପ୍ରକାଶ କରାଯାଇଥିଲା। ଏହି ବୈଠକରେ ସମସ୍ତ ଲାଇନ ବିଭାଗର ସରକାରୀ ଅଧିକାରୀ ଏବଂ ମନ୍ଦିର ପ୍ରଶାସନର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ l