Untitled 1

‘ୟୁ ଡିଫିଟେଡ୍ ମି’? : କଣ୍ଟାବାଞ୍ଜି ବିଧାୟକଙ୍କୁ ପଚାରିଲେ ନବୀନ

State

ଭୁବନେଶ୍ବର: ‘ୟୁ ଡିଫିଟେଡ୍ ମି’? ଆଜି ବିଧାନସଭାରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା ଆସନରୁ ବିଧାୟକ ଲକ୍ଷ୍ମଣ ବାଗ୍‌ ଯେତେବେଳେ ନିଜର ପରିଚୟ ଦେଇଥିଲେ, ସେହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଇଂରାଜୀରେ ଏହା ପଚାରିଥିଲେ। ନବୀନ ଏଥି ସହିତ ଲକ୍ଷ୍ମଣ ବାଗଙ୍କୁ ବିଧାୟକ ଭାବେ ଜିତିଥିବାରୁ ଅଭିନନ୍ଦନ ମଧ୍ୟ ଜଣାଇଥିଲେ। ଲକ୍ଷ୍ମଣ ବାଗଙ୍କ ସହ ସ୍ବଳ୍ପ ସମୟ ପାଇଁ କଥା ହୋଇ ନବୀନ ଯେତେବେଳେ ଆଗକୁ ବଢିଥିଲେ ସେତେବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡାଙ୍କ ସମେତ ବିଜେପିର ସବୁ ବିଧାୟକ ନିଜ ନିଜ ଆସନରେ ଛିଡା ହୋଇ ନବୀନଙ୍କୁ ସମ୍ମାନ ଜଣାଇଥିଲେ।
ବିଧାନସଭାରେ ଶପଥ ନେବା ପାଇଁ ଆଜି ଜଣେ ପରେ ଜଣେ ବିଧାୟକ ପହଞ୍ଚି ଥିଲେ। ହେଲେ ସମସ୍ତଙ୍କ ନଜର ରହିଥିଲା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ। କିଛି ବିଧାୟକ ପହଞ୍ଚିିବା ପରେ ବିଧାନସଭାରେ ପହଞ୍ଚିିଥିଲେ ନବୀନ। ବିଧାନସଭାରେ ପହଞ୍ଚିବା ପରେ ବିଜେଡି ବିଧାୟକମାନେ ତାଙ୍କୁ ସ୍ୱାଗତ କରି ଗୃହ ଭିତରକୁ ନେଇଥିଲେ। ଦୀର୍ଘ ୨୪ ବର୍ଷ ଭିତରେ ନବୀନ ବିଧାନସଭାକୁ ଆସିବା ଓ ଆଜିର ଆସିବା ଭିତରେ ଅଲଗା ଥିଲା। ପୂର୍ବରୁ ସେ ସବୁବେଳେ ମୁଖ୍ୟମନ୍ତ୍ରୀ ଭାବେ ଗୃହ ଭିତରକୁ ଯାଇଥିଲେ। ହେଲେ ପ୍ରଥମ ଥର ନବୀନ ବିରୋଧୀ ଭାବେ ବିଧାନସଭାର ପ୍ରବେଶ କରିଥିଲେ।
ସାଧାରଣ ନିର୍ବାଚନ-୨୦୨୪ରେ ନିର୍ବାଚିତ ବିଧାୟକମାନେ ମଙ୍ଗଳବାର ଗୃହରେ ଶପଥ ଗ୍ରହଣ କରିଛନ୍ତି। ଏହି କ୍ରମରେ ସେଠାରେ ହିଞ୍ଚିଳି ବିଧାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶପଥ ନେଇଛନ୍ତି। ଶପଥ ଗ୍ରହଣ ପାଇଁ ନବୀନ ପଟ୍ଟନାୟକ ହସହସ ମୁହଁରେ ବିଧାନସଭାରେ ପହଞ୍ଚିଥିଲେ। ଓଡିଶା ବିଧାନସଭାର ଏହି ଦୃଶ୍ୟରୁ ନବୀନ ବିରୋଧୀ ଦଳ ଆସନରେ ଥିଲେ ବି ସରକାରୀ ଦଳର ସବୁ ସଦସ୍ୟଙ୍କର ତାଙ୍କ ପ୍ରତି ଥିବା ସମ୍ମାନ ଓ ଭଲ ପାଇବା ସ୍ପଷ୍ଟ ବାରି ହେଉଥିଲା।