Cm Help

ମହାନତା ଦେଖାଇଲେ ମୁଖ୍ୟମନ୍ତ୍ରୀ, ପୀଡିତଙ୍କୁ ୩୦ ହଜାର ଟଙ୍କା ସହ ଯୋଗାଇଲେ ଚିକିତ୍ସା

State

ଚାନ୍ଦବାଲି : ଏ ଶରୀର କ୍ଷଣସ୍ଥାୟୀ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ ସବୁ କିଛି ଠିକ୍ କିନ୍ତୁ ଯଦି ଛୋଟିଆ ଅଘଟଣଟେ ଘଟି ଯାଉଛି ତେବେ ବଞ୍ଚିବା ଆମ ପାଇଁ ମୁସ୍କିଲ ହୋଇଯାଏ । ଖାସ୍ କରି ବାଲ୍ୟ ଅବସ୍ଥାରେ ଯଦି କୌଣସି ଅଘଟଣ ଘଟୁଛି ତେବେ ଜୀବନଟା ଯେମିତି ଅସହ୍ୟ ହୋଇପଡ଼େ । ତେବେ ଆମେ କହୁଛୁ ମାଧପୁର ଗ୍ରାମର ୧୪ ବର୍ଷର ବାଳକ ବାବୁଲି ବାରିକଙ୍କ କଥା । ଯିଏ କି ଏବେ ଛିଡ଼ା ହୋଇ ଦୁଇ ପାଦରେ ଚାଲିବା ପାଇଁ କରୁଛନ୍ତି ସଂଘର୍ଷ ।

ଛୁଆବେଳୁ ବିଛଣାରେ ପଡି ଛଟପଟ ହେଉଛନ୍ତି ଆଉ ଅର୍ଥାଭାବ କାରଣରୁ ଚିକିତ୍ସା ମଧ୍ୟ ପାଇପାରୁନାହାନ୍ତି । କିନ୍ତୁ ଏ ଖବର ଜାଣିବା ପରେ ମହାନତା ଦେଖାଇଲେ ମୁଖ୍ୟମନ୍ତ୍ରୀ । ଅସହାୟକୁ ଦଇବ ସାହା ହେଲା ଭଳି ବାବୁଲିଙ୍କୁ ସାହା ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦୀର୍ଘ ଦିନ ହେବ ଜଟିଳ ସ୍ନାୟୁଗତ ରୋଗରେ ପୀଡ଼ିତ ଥିଲେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ମାଧପୁର ଗ୍ରାମର ୧୪ ବର୍ଷର ବାଳକ ବାବୁଲି ବାରିକ । ଗରିବ ପରିବାରର ବାବୁଲି ଅର୍ଥାଭାବରୁ ଚିକିତ୍ସିତ ମଧ୍ୟ ହୋଇପାରୁନଥିଲେ ।

ଛୋଟବେଳେ ଏକ ଦୌଡ଼ିରେ ଝୁଣ୍ଟି ପଡିଯାଇଥିଲେ ବାବୁଲି ଯାହାଫଳରେ ତାଙ୍କର ଗୋଡ ଭାଙ୍ଗିଯାଇଥିଲା । ତା ପରେ ଅନେକ ମାସ ପର୍ଯ୍ୟନ୍ତ ବିଛଣାରେ ପଡ଼ିରହିଥିଲେ ବାବୁଲି । ଏହାପରେ ବାତ ରୋଗରେ ପୀଡିତ ହୋଇ ସେଦିନଠାରୁ ଚାଲି ବୁଲି ପାରୁନାହାନ୍ତି । ତେବେ ବାବୁଲିଙ୍କ ଚିକିତ୍ସା ହେଲେ ସେ ଭଲ ହୋଇପାରିବେ ବୋଲି ତାଙ୍କ ମା’ କହିଛନ୍ତି । ତେବେ ଏ ବିଷୟରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ସାମାଜିକ ଗଣମାଧ୍ୟମ ଏବଂ ଅନ୍ୟ ଗଣମାଧ୍ୟମରୁ ଅବଗତ ହେବା ପରେ ଜିଲ୍ଲା ପ୍ରଶାସନକୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ତାଙ୍କ ପରିବାରକୁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏକ ଡାକ୍ତରୀ ଦଳ ବାବୁଲିଙ୍କ ଗ୍ରାମରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି । ସ୍ୱାସ୍ଥ୍ୟ ପରୀକ୍ଷା ପରେ ପରବର୍ତ୍ତୀ ଚିକିତ୍ସା ପାଇଁ ତାଙ୍କୁ କଟକ ଏସ୍‌ସିବି ମେଡିକାଲକୁ ନେବା ପାଇଁ ବ୍ୟବସ୍ଥା କରାଯାଇଛି । ସେପଟେ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ପରିବାର ଲୋକ । ଜିଲ୍ଲା ପ୍ରଶାସନ ବାବୁଲିଙ୍କ ପରିବାରକୁ ସମସ୍ତ ଆନୁଷଙ୍ଗିକ ସହାୟତା ପ୍ରଦାନ କରିବାକୁ ଯୋଗାଯୋଗରେ ଅଛନ୍ତି ।