ହରିହର ତ୍ରିପାଠୀ
ଓଡ଼ିଶାର କୃଷିଭିତ୍ତିକ ପର୍ବ ଓ ପ୍ରକୃତି ଉପାସନାର ତଥା ପ୍ରକୃତି ସୁରକ୍ଷାର ଅନନ୍ୟ ପରମ୍ପରା ରଜପର୍ବ ଏବେ ତାର ମହତ୍ତ୍ୱ ହରାଇ ସାରିଛି । କାରଣ ରଜକୁ ଆଉ ଗାଁ ଗହଳିରେ ଖୋଜିଲେ ମିଳୁନି । ରଜ ଏବେ ଗ୍ରାମ୍ୟ ପରିବେଶରୁ ବାହାରି ଆସି ସହରବଜାର, କ୍ଲବ, ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ କବ୍ଜାରେ ପଡିଯାଇଛି । ଦିନଥିଲା ରଜପୂର୍ବରୁ ଗାଁଗହଳିର ସ୍ତ୍ରୀଲୋକମାନେ କଟାକଟି, ବଟାବଟି ଭଳି କାର୍ଯ୍ୟ ସାରି ଦେଉଥିଲେ । ଗୁଆ ଭଙ୍ଗା ହୋଇ ରହୁଥିଲା, ମସଲା ଗୁଣ୍ଡ ହୋଇ ରହୁଥିଲା । ଏବେ ସେସବୁ ଝିନ୍ଝଟ ନାହିଁ । ଆଜିକାଲି ରଜ ତିନିଦିନଯାକ ସବୁ ହେଉଛି । କଟାକଟି, ବଟାବଟି ସବୁକିଛି । ଘରେଘରେ ପୋଡ଼ପିଠାର ଆସର ଅପେକ୍ଷା ବିଭିନ୍ନ ଅନୁଷ୍ଠାନମାନଙ୍କରେ ପୋଡ଼ପିଠା ପ୍ରତିଯୋଗିତା ଅଧିକ ହେଉଛି । ରଜପାନ ଲାଗି ଗାଁଠାରୁ ଆରମ୍ଭ କରି ସହରବଜାରରେ ପସରା ମେଲିଛି । ଗାଁଗହଳିର ଗଛମାନଙ୍କରେ ଆଉ ଦୋଳି ଲାଗୁନି । ଦୋଳି ଲାଗିଲାଭଳି ଗଛ ଆଉ ନାହିଁ ତେଣୁ ଗାଁ ପିଲାଏ ତ ଦୋଳି ଖେଳୁନାହାନ୍ତି ବରଂ ସହରର ପିଲାଏ ଅଧିକ ଦୋଳି ଖେଳୁଛନ୍ତି ଏବଂ ସେସବୁ ପାର୍କ ତଥା ବିଭିନ୍ନ ଅନୁଷ୍ଠାନମାନଙ୍କ ଦ୍ୱାରା ଆୟୋଜିତ ହେଉଛି । ମୋଟାମୋଟି କହିଲେ ରଜର ବଜାରୀକରଣ ହୋଇସାରିଛି । ଏହି ଅନନ୍ୟ ଓଡ଼ିଆ ପର୍ବଟି ତା’ର ରଙ୍ଗ, ରସ, ମହକ ସବୁକିଛି ହରାଇ ସାରିଛି !!
ଝିଅମାନେ ଆଉ ବନସ୍ତେ ଡାକିଲା ଗଜ… ଗୀତଟି ଗାଉ ନାହାନ୍ତି । କାରଣ ବନ ନାହିଁ, ନିର୍ଧୁମ ଗଛକଟା ଚାଲିଛି । ହାତୀମାନେ ବଣରୁ ବାହାରି ଆସି ସହରବଜାର, ଗାଁ ଗହଳିରେ ବୁଲୁଛନ୍ତି । ବିଦ୍ୟୁତ୍ ତାରରୁ ବିଦ୍ୟୁତ୍ ଆଘାତ ପାଇ ମରୁଛନ୍ତି । ତେଣୁ ଉପରୋକ୍ତ ଗୀତର ଆଉ କୌଣସି ମହତ୍ତ୍ୱ ନାହିଁ । ମଣିଷ ଧୀରେ ଧୀରେ ସ୍ୱାଭାବିକ ଆନନ୍ଦରୁ ନିଜକୁ ଓହରାଇ ଆଣି କୃତ୍ରିମ ଆନନ୍ଦର ପଛରେ ଧାଉଁଛି । ମଣିଷର ଏହି ପରିବର୍ତ୍ତନର ଧାରାରେ ପାରମ୍ପରିକ ପର୍ବମାନେ ବଳି ପଡୁଛନ୍ତି । ରଜପର୍ବ ତହିଁରୁ ଗୋଟିଏ । ଏବେ ଗଣମାଧ୍ୟମ ବିଶେଷ କରି ବୈଦ୍ୟୁତିକ ଗଣମାଧ୍ୟମ ଅଧିକ ସକ୍ରିୟ ଥିବାରୁ ରଜପର୍ବର ଜୋରଦାର ପ୍ରଚାର ହେଉଛି । ବିଭିନ୍ନ ଟେଲିଭିଜନ ଚ୍ୟାନେଲରେ ଏଥିଲାଗି ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ପ୍ରଦର୍ଶିତ ହେଉଛି । ହେଲେ ସର୍ବସାଧାରଣ ଜୀବନରୁ ରଜ ହଜି ହଜି ଯାଉଛି ।
ଏହି ପର୍ବପାଳନ ପଛର ମହତ୍ତ୍ୱଟିକୁ କେହି ବୁଝିବାର ପ୍ରୟାସ ମଧ୍ୟ କରୁ ନାହାନ୍ତି । ରଜରେ ଭୂମିକୁ ସ୍ପର୍ଶ ନକରିବା, ବୃକ୍ଷ ନକାଟିବା, ପତ୍ର ନଛିଡାଇବା, ଏପରିକି ଫୁଲ ମଧ୍ୟ ନତୋଳିବାର ଯେଉଁ ପ୍ରଥା ବା ନିୟମ ରହିଛି ତାହା କେବଳ ପରିବେଶର ସୁରକ୍ଷା ତଥା ପୃଥିବୀମାତାକୁ ଆହୁରି ସୁନ୍ଦର କରିବା ନିମନ୍ତେ । ଧରିତ୍ରୀକୁ ମାତୃରୂପା ମନେକରି ରଜପର୍ବ ପାଳନର ମହତ୍ତ୍ୱ ରହିଥିବା ବେଳେ ଆଜିର ମଣିଷ ସବୁଠାରୁ ଅଧିକ ଅତ୍ୟାଚାର କରୁଛି ଧରିତ୍ରୀ ଉପରେ । ଧରିତ୍ରୀମାତାର ଶରୀର ଏବେ ଧୂସର କଂକ୍ରିଟ୍ର ଜଙ୍ଗଲରେ ପରିଣତ ହୋଇଛି । ଚାଷଜମିର ପରିମାଣ କମୁଛି, କୋଠାଘରର ସଂଖ୍ୟା ବଢିବାରେ ଲାଗିଛି । ମାଟିରାସ୍ତା କମୁଛି, ଚିକ୍ଣ କଂକ୍ରିଟ୍ ରାସ୍ତା କାୟା ବିସ୍ତାର କରିଚାଲିଛି । ଠିକ୍ ସେମିତି ଗାଁ ଗହଳିରୁ କୃଷକଙ୍କ ସଂଖ୍ୟା କମୁଛି ଆଉ ବଢିଚାଲିଛି ପ୍ୟାଣ୍ଟସାର୍ଟ ପିନ୍ଧା ଅଧାପାଠୁଆଙ୍କ ସଂଖ୍ୟା । ଚାଷୀର ପୁଅ ଯାଇ ସୁରଟ, ଅହମ୍ମଦାବାଦର ସୂତାକଳରେ ଦିନରାତି ୧୨ଘଣ୍ଟା ପରିଶ୍ରମ କରୁଛି ପଛେକେ ବିଲକୁ ଯିବାକୁ ପସନ୍ଦ କରୁନି । ଆମର ପରାଧୀନ ମନୋଭାବ, ବସ୍ତୁବାଦିତା ତଥା ଭୋଗବାଦପ୍ରତି ଲାଳସା ଆମକୁ ସେ ଦିଗରେ ଟାଣିନେଉଛି । ଏଭଳି ସ୍ଥିତିରେ କୃଷିଭିତ୍ତିକ ପର୍ବ ରଜପର୍ବ ପାଳନର ମହତ୍ତ୍ୱକୁ କିଏ କା ବୁଝୁଛି ବା ବୁଝିବାର ଆବଶ୍ୟକତା ମଧ୍ୟ କେହି ଉପଲବ୍ଧି କରୁ ନାହାନ୍ତି ।
ସହରର ବିଶାଳକାୟ ଆଁ ଏବେ ଗାଁ ଆଡକୁ ମାଡି ଆସୁଛି ! ଗାଁସବୁ ସହର ଭିତରେ ବିଲୀନ ହେବାକୁ ବସିଛନ୍ତି । ଗାଁର ଲୋକେ, ଗାଁର ଚଳଣି, ଗାଁ ମାଟି ପାଣି ପବନର ବାସ୍ନାକୁ ପଛକରି ସହରୀଜୀବନକୁ ଆପଣାଇ ନେବାକୁ ପସନ୍ଦ କରୁଛନ୍ତି । ତେଣୁ ସହରୀସଭ୍ୟତା ଗାଁ ଭିତରକୁ ଧସେଇ ପଶୁଛି । ଏଭଳସ୍ଥିତିରେ ପର୍ବପର୍ବାଣି, ଯାନିଯାତ ଆଦିର ଆଧୁନିକୀକରଣ ହେଉଛି ବୋଲି କୁହାଯାଇପାରେ । ସେ ଦୃଷ୍ଟିରୁ ରଜପର୍ବର ମଧ୍ୟ ଆଧୁନିକୀକରଣ ହୋଇଛି । ଏହା କୃଷିଭିତ୍ତିକ ଘରୋଇପର୍ବରୁ ଯାଇ ଅନୁଷ୍ଠାନଭିତ୍ତିକ ଗଣପର୍ବରେ ପରିଣତ ହୋଇଛି । ଏହା କସ୍ମିନ୍କାଳେ ଏକ ଶୁଭଲକ୍ଷଣ ନୁହେଁ ।
ରଜ ଆମର ଏକାନ୍ତ ନିଜସ୍ୱ ପର୍ବ । ଏହା ଓଡ଼ିଆର ଏକ ପରିଚୟ । ବିଶେଷକରି ଉପକୂଳବର୍ତ୍ତୀ ଓଡ଼ିଶାରେ ଏହି ପର୍ବ ଦିନେ ଅତ୍ୟନ୍ତ ଲୋକପ୍ରିୟ ଥିବା ବେଳେ ଆଜିକାଲି ଏହିସବୁ ଅଞ୍ଚଳରେ ହିଁ ରଜ ତା’ର ଅସ୍ତିତ୍ୱ ହରାଇଚାଲିଛି । ଲୋକେ ରଜଛୁଟିକୁ ପର୍ବପାଳନରେ ନ ବିତାଇ ତିନିଦିନ ବିଶ୍ରାମ ଦିବସଭାବେ ଆଦରି ନେଲେଣି । ରଜର ବାଗୁଡିଖେଳ, ତାସପଶାର ମତୁଆଲା ଆସର ଦିଶୁନି, ବଦଳରେ ଗାଁ ଛକମୁଣ୍ଡରେ ଯୁବକମାନେ ଅନ୍ୟପ୍ରକାର ମଉଜରେ ମାତି ଯାଉଛନ୍ତି । ଏହି ପରିପ୍ରେକ୍ଷୀରେ ଆମେ ପୁଣି ଆତ୍ମସମୀକ୍ଷା କରିବା ଆବଶ୍ୟକ । ଆସନ୍ତୁ, ଆମର ଗଣପର୍ବ ରଜକୁ ଆମେ କ୍ଲବରେ ହୋଟେଲରେ, ବଜାରରେ ନିଖୋଜି, ଟେଲିଭିଜନ ପରଦାରେ ନ ଉଣ୍ଡାଳି ପରିବାର ଭିତରେ, ବାପାମାଆ, ଭାଇଭଉଣୀ, ବନ୍ଧୁବାନ୍ଧବ, ସାହିପଡିଶା, ଅଡୋଶୀପଡୋଶୀଙ୍କ ମେଳରେ ଆନନ୍ଦ ଉଲ୍ଲାସ ଭିତରେ ପାଳନ କରିବାକୁ ପୁଣି ଅଭ୍ୟାସ କରିବା ।