Img 20240610 Wa0168

ବାତଜ୍ଵର ନିରାକରଣ ପାଇଁ ସାର୍ବଜନୀନ ଔଷଧ ସେବନ ଏବଂ ମ୍ୟାଲେରିଆ ଓ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଜିଲ୍ଲା ସମନ୍ୱୟ କମିଟିର ବୈଠକ

State

ରୋଗର ପ୍ରତିରୋଧ ଏବଂ ନିୟନ୍ତ୍ରଣ ପାଇଁ ସମସ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ଦେଲେ ନିର୍ଦ୍ଦେଶ

ବାରିପଦା:  ମୟୂରଭଞ୍ଜ ଜିଲ୍ଲାରେ ଫାଇଲେରିଆ ବା ବାତଜ୍ଵର ନିରାକରଣ ପାଇଁ ଆସନ୍ତା ଅଗଷ୍ଟ ୧୦ ରୁ ୧୯ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଅଛି ସାର୍ବଜନୀନ ଔଷଧ ସେବନ ବା (Mass Drug Administration) କାର୍ଯ୍ୟକ୍ରମ। ଏହି ପରିପ୍ରେକ୍ଷୀରେ, ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଧେଙ୍କ ଅଧ୍ୟକ୍ଷତା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ଅଭୟ କୁମାର ଦାଶଙ୍କ ସଂଯୋଜନାରେ ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ମହାତ୍ମା ଗାନ୍ଧୀ ସମ୍ମିଳନୀ କକ୍ଷରେ ଜିଲ୍ଲା ସମନ୍ୱୟ କମିଟିର ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏଥି ସହିତ ମ୍ୟାଲେରିଆ ଓ ଡେଙ୍ଗୁ ରୋଗର ପ୍ରତିରୋଧ ଏବଂ ନିୟନ୍ତ୍ରଣ ସମ୍ବନ୍ଧରେ ଏହି ସମନ୍ୱୟ କମିଟି ବୈଠକରେ ଆଲୋଚନା କରା ଯାଇଥିଲା। ଜିଲ୍ଲାରେ କିପରି ଫାଇଲେରିଆ ନିଦାନ ପାଇଁ ପଦକ୍ଷେପ ସବୁ ନିଆ ଯାଉଛି ଏବଂ ପ୍ରତ୍ୟେକ ସର୍ବେକ୍ଷଣ ତଥ୍ୟକୁ କିଭଳି ଉପଯୋଗୀତାର ସହିତ ସମ୍ପାଦନା କର ଯାଉଛି ସେ ବିଷୟରେ ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ଦାଶ ସମସ୍ତ ସଦସ୍ୟଙ୍କୁ ଅବଗତ କରାଇଥିଲେ। ଏଥିସହିତ ଜିଲ୍ଲାରେ ଚଳିତ ବର୍ଷ କିଭଳି ଭାବରେ ଏହି ସାର୍ବଜନୀନ ଔଷଧ ସେବନ ପ୍ରକ୍ରିୟା ଆରମ୍ଭ ହେବ ସେ ବିଷୟରେ ଆଲୋଚନା କରିଥିଲେ। ଜିଲ୍ଲାରେ ହୋଇଥିବା ସର୍ବେକ୍ଷଣ ତଥ୍ୟକୁ ଆଧାର କରି ଡଃ ଦାଶ କହିଥିଲେ ଯେ ମୁଖ୍ୟତଃ ବହଳଦା, ତିରିଂ, ତାଟ, ବାଦାମପାହାଡ଼, ବିଜାତଳା, ଜାମଦା ଓ ବ୍ଲକରେ ଫାଇଲେରିଆ ସଂକ୍ରମଣ ମାତ୍ରାଧିକ ଥିବା ବେଳେ, ଏହି ସ୍ଥାନ ମାନଙ୍କରେ କିଭଳି ଏହି ସାର୍ବଜନୀନ ଔଷଧ ସେବନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ ସେ ବିଷୟରେ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲାପାଳ ଶ୍ରୀ ସିନ୍ଧେ ଏହି ସମସ୍ତ ପ୍ରକ୍ରିୟାକୁ ଯଥୋଚିତ ଜନାଦୃତ କରାଇବା ପାଇଁ ଏବଂ ସମସ୍ତ ଅଧିକାରୀ ମାନଙ୍କୁ ସେମାନଙ୍କ କର୍ତବ୍ୟ ଏବଂ ଦାୟିତ୍ୱ ବିଷୟରେ ଅବଗତ କରାଇଥିଲେ।

ମ୍ୟାଲେରିଆ ଓ ଡେଙ୍ଗୁ ଭଳି ରୋଗର ସଂକ୍ରମଣ କିଭଳି ନ ହେବ ଏବଂ ଏହାର ପୂର୍ବ ଏବଂ ପର ପଦକ୍ଷେପ ପାଇଁ ଜନ ସମ୍ପର୍କ କାର୍ଯ୍ୟକ୍ରମ ମାନ ସଂଯୋଜନା ସହିତ ମଶା ନିୟନ୍ତ୍ରଣ ପାଇଁ ବିଭିନ୍ନ ପଦକ୍ଷେପ ଯଥା ମଶା ଲାର୍ଭା ଖିଆ ଗମ୍ବୁଶିଆ ମାଛ ପାଳନ, ପାଣି ଜମୁଥିବା ସ୍ଥାନ ମାନଙ୍କରେ ସ୍ୱଚ୍ଛତା, ଅପରିଷ୍କାର ଜଳ ନିଷ୍କାସନ, କୀଟନାଶକ ଔଷଧ ସିଞ୍ଚନ ଭଳି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ କହିଥିଲେ। ସୂଚନା ଥାଉକି ଚଳିତ ବର୍ଷ, ଜନ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ତରଫରୁ, ଜିଲ୍ଲାରେ ୨୮,୫୭,୦୦୦ ରୁ ଉର୍ଧ୍ଵ ଜନସାଧାରଣଙ୍କୁ ଏହି ସାର୍ବଜନୀନ ଔଷଧ ସେବନ ପ୍ରକ୍ରିୟାରେ ସାମିଲ କରାଇବା ପାଇଁ ପ୍ରଶାସନ ଉଦ୍ୟମ କରିଛି। ମୟୂରଭଞ୍ଜ ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବାରୁ ଏଥି ସହିତ ସମ୍ପ୍ରଦାୟ ସଚେତନତା ମାଧ୍ୟମରେ ଲୋକଙ୍କୁ ସଚେତନ କରାଇବା ପାଇଁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କୁ ଜିଲ୍ଲାପାଳ ଦାୟିତ୍ୱ ଦେଇଥିଲେ। ଉକ୍ତ ବୈଠକରେ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ଶାନ୍ତନୁ ଦାଶ, ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ରଜନୀକାନ୍ତ ସ୍ୱାଇଁ, ଆଇ ଏ ଏସ ପ୍ରୋବେସନର ଅଶନୀ ଏ ଏଲ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣଚନ୍ଦ୍ର ସେଠି,ବାରିପଦା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ, ଡଃ ମଧୁସ୍ମିତା ସାମନ୍ତରାୟ, ଜିଲ୍ଲା ସ୍ୱାସ୍ଥ୍ୟ ପ୍ରକଳ୍ପ ବ୍ୟବସ୍ଥାପକ, ଶ୍ରୀ ପ୍ରଭୁ ପ୍ରତ୍ୟନ୍ତ ପତିଙ୍କ ସମେତ ଜିଲ୍ଲାର ପ୍ରମୁଖ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।